ଲିପ୍ଟରେ ଆସି ଯୁବକଙ୍କ ବେକରେ ଭୁଜାଲି ଲଗାଇ ଲୁଟିବା ଘଟଣାରେ ଜଣେ ଅଟକ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଲୁଟେରାକୁ ଠାବ କରିବାରେ ସକ୍ଷମ ହୋଇଛି। ରାସ୍ତାରେ ଆସୁଥିବା ସମୟରେ ବିଶ୍ୱାସରେ ଜଣଙ୍କୁ ଲିପ୍ଟ ଦେଇ ଜଗନ୍ନାଥପୁର ଗ୍ରାମର ରାଜେନ୍ଦ୍ର କୁମାର ଜେନା (୨୩) ଲୁଟର ଶିକାର ହୋଇଥିଲେ। ଅଧା ବାଟରେ ତାଙ୍କ ବେକରେ ଭୁଜାଲି ଲଗାଇ ମୋବାଇଲ ଓ ମନିପର୍ସ ଚାମ୍ପି ଲୁଟେରା ଜଣଙ୍କ ଚମ୍ପଟ ମାରିଥିଲା। ପୁଲିସ ଶେଖପାଟଣା ଗ୍ରାମର ତୋଫାନ ସେନାପତିକୁ ଉଠାଇ ଆଣି ଥାନାରେ ରଖି ଜେରା କରୁଛି।

ସୂଚନା ଅନୁସାରେ, ବାଲିଅନ୍ତା ଥାନା ଜଗନ୍ନାଥପୁର ଗ୍ରାମର ରାଜେନ୍ଦ୍ର ଶୁକ୍ରବାର କୌଣସି କାର୍ଯ୍ୟରେ ବନମାଳିପୁର ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ତାଙ୍କ ବାଇକରେ ବାଲିପାଟଣା ଅଭିମୁଖେ ଫେରୁଥିଲେ। ତୋଫାନ ଲିପ୍ଟ ମାଗି ରାଜେନ୍ଦ୍ରଙ୍କ ବାଇକରେ ଆସିଥିଲା। କିଛି ବାଟ ଆସିବା ପରେ ଧାନହରା କେନାଲ ବନ୍ଧ ଠାରେ ତୋଫାନ ହଠାତ ଚଳନ୍ତା ଗାଡିରେ ରାଜେନ୍ଦ୍ରଙ୍କ ବେକରେ ଭୁଜାଲି ଲଗାଇ ରହିବା ପାଇଁ କହିଥିଲା। ସେ ତାଙ୍କ ବାଇକକୁ ଧୀରକରିବା କ୍ଷଣି ତାଙ୍କୁ ଧକ୍କା ମାରି ତଳେ ପକାଇଦେଇଥିଲା ଏବଂ ଜୋର ଜବରଦସ୍ତ ରାଜେନ୍ଦ୍ରଙ୍କ ମୋବାଇଲ ଏବଂ ମନିପର୍ସ ଛଡେଇ ଦୌଡ଼ି ପଳାଇଥିଲା ମନିପର୍ସରେ ୮ ଶହ ଟଙ୍କା ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର ଥିବା ରାଜେନ୍ଦ୍ର ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ପୁଲିସ ଲୁଟେରାଙ୍କ ସମ୍ବନ୍ଧରେ ତାଙ୍କ ଠାରୁ ବିସ୍ତୃତ ଭାବେ ତଥ୍ୟ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ ଶେଖପାଟଣା ଗ୍ରାମରେ ଚଢ଼ାଉ କରି ତୋଫାନକୁ ଉଠାଇ ଆଣିଛି। ଉକ୍ତ ଗ୍ୟାଙ୍ଗରେ ଏକାଧିକ ଯୁବକ ସାମିଲ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର