ହାଇକୋର୍ଟରେ ଓଟିଭି ଏମ୍‌ଡି, ନିଷ୍ପତ୍ତି ନେବାକୁ ମହିଳା କମିସନଙ୍କୁ ନିର୍ଦ୍ଦେଶ

କଟକ : ଓଟିଭି ଏମ୍‌ଡି ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ରହିଥିବା ମାମଲା ବନ୍ଦ କରିବା ପ୍ରସଙ୍ଗରେ ରାଜ୍ୟ ମହିଳା କମିସନ ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମତୀ ପଣ୍ଡା ତାଙ୍କ ବିରୋଧରେ ମହିଳା କମିସନଙ୍କ ନିକଟରେ ବିଚାରାଧୀନ ମାମଲା ବନ୍ଦ (ପ୍ରୋସିଡିଂ ଡ୍ରପ୍) କରିବାକୁ ଆବେଦନ କରିଥିଲେ। ଏହି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ମହିଳା କମିସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ତାରିଖରେ ଶୁଣାଣି ସମୟରେ ଉଭୟ ପକ୍ଷଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇ କମିସନ ଯୁକ୍ତିଯୁକ୍ତ ସମୟ ଭିତରେ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ବ୍ୟକ୍ତିଗତ ହାଜିରାରୁ ବାଦ୍‌ ଦେବା ପାଇଁ ଯଦି ଆବେଦନ ଦାୟର କରାଯାଏ ଓ ସଂସ୍ଥା ପକ୍ଷରୁ ଆଇନଜୀବୀ ବା ପ୍ରତିନିଧିଙ୍କ ମାଧ୍ୟମରେ ରିପ୍ରେଜେଣ୍ଟେସନ୍ ଯଦି ଦାଖଲ କରାଯାଏ ତେବେ ଏହାକୁ ଉପଯୁକ୍ତ ଭାବେ ବିଚାରକୁ ନିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାଗିମଙ୍ଗତ ପଣ୍ଡାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନାବାଳିକା ଦୁଷ୍କର୍ମ ନେଇ ଗତ ଅଗଷ୍ଟ ୩୦ରେ ମହିଳା ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୁଲିସ। ଏଥିରେ ଓଟିଭି କର୍ମଚାରୀ, ସୁରକ୍ଷାକର୍ମୀ ଓ ପୁଲିସ କର୍ମଚାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଝିଅକୁ ଦୁଷ୍କର୍ମ ନେଇ ଓଟିଭି ଏମ୍‌ଡିଙ୍କୁ ପୀଡ଼ିତାଙ୍କ ମା’ ଫୋନ୍ ଯୋଗେ ଜଣାଇଥିଲେ। ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ସହ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ ବୋଲି ଗତ ୧୩ ତାରିଖରେ ପୀଡ଼ିତାଙ୍କ ମା’ ମହିଳା କମିସନ ଅଧ୍ୟକ୍ଷାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଏଥିସହିତ ସେ ଫୋନ ବାର୍ତ୍ତାଳାପର ଅଡିଓ ଦେଇଥିଲେ। ଓଟିଭି ଏମ୍‌ଡିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ମହିଳା କମିସନ୍ ନୋଟିସ୍ ଜାରି କରିଥିଲେ। ମହିଳା କମିସନଙ୍କ ନିକଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର