ସାମ୍ପ୍ରଦାୟିକ ସଦ୍‌ଭାବନାର ପ୍ରତୀକ ପଣ୍ଡାକୁଦିଆ ପୂଜା

ଭୁବନେଶ୍ବର: ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ସାମିଲ ହୁଅନ୍ତି ବିଘ୍ନବିନାଶକଙ୍କ ପୂଜାରେ। ଗଣେଶଙ୍କ ପ୍ରତି ଭକ୍ତି ସହିତ ପରସ୍ପର ସ୍ନେହ ଏବଂ ଭଲପାଇବା ସମ୍ମୁଖରେ ହାର ମାନିଯାଏ ଧର୍ମର ଭିନ୍ନତା। ଏଥିପାଇଁ ଆଜି ଉଦାହରଣ ସାଜିଛି ନୀଳକଣ୍ଠ ୟୁଥ୍ ଆସୋସିଏସନ କ୍ଲବ ପକ୍ଷରୁ ପଣ୍ଡାକୁଦିଆରେ ଆୟୋଜିତ ଗଣେଶ ପୂଜା। ୧୨ ବର୍ଷରୁ ଊର୍ଧ୍ବ ସମୟ ଧର୍ମ ବିଭେଦ ଭୁଲି ଏହିଭଳି ପୂଜାର ଆୟୋଜନ ହେଉଛି।

ଏଥିରେ ହରିଶଚନ୍ଦ୍ର ସିଂ, ଜଗନ୍ନାଥ ସିଂ, ଚନ୍ଦନ ଦିଗାଲ ଏବଂ କାଳୁ ମଲ୍ଲିକ ପ୍ରମୁଖ ଭୂମିକା ନେଇଛନ୍ତି। ବସ୍ତିରେ ଭୋଜି ମଧ୍ୟ ଆୟୋଜନ କରାଯାଇଥିଲା। ୭ ତାରିଖ ପର୍ଯ୍ୟନ୍ତ ପୂଜା ଚାଲିବ। କାଳୁ କହନ୍ତି, ବସ୍ତିର ସବୁ ପିଲା ମିଳିମିଶି ଖେଳିବା ବେଳକୁ ଇନ୍ତାକ ମଲ୍ଲିକ, ଶଙ୍କର ସ୍ବାଇଁ, ଆକବର ମଲ୍ଲିକ, ହରି ସିଂ, ଗୁରୁବା ହାଁସଦା ପ୍ରଥମେ ଗଣେଶ ପୂଜା ଆୟୋଜନ ପାଇଁ ଚିନ୍ତା କରିଥିଲେ। ପୂଜା କିଭଳି ହେବ ତାକୁ ନେଇ ଚିନ୍ତା ପଡ଼ିଲା। ବିଏସଏନଏଲ କର୍ମଚାରୀ ବାନର ସିଂ ସେମାନଙ୍କ ମାର୍ଗଦର୍ଶକ ହେଲେ। ଏହାପରେ ନୀଳକଣ୍ଠ ୟୁଥ ଆସୋସିଏସନ ପକ୍ଷରୁ ଗଣେଶ ପୂଜା ଆରମ୍ଭ ହେଲା। ବର୍ତ୍ତମାନ ସମଗ୍ର ବିଶ୍ବରେ ଧାର୍ମିକ ଅସହିଷ୍ଣୁତା ଯେଉଁଭଳି ବୃଦ୍ଧି ପାଇଛି ସେଭଳି ସ୍ଥିତିରେ ପଣ୍ଡାକୁଦିଆ ଗଣେଶ ପୂଜା ସାମ୍ପ୍ରଦା‌ୟିକ ସଦ୍‌ଭାବନାର ବାର୍ତ୍ତା ଦେଉଛି।

ସମ୍ବନ୍ଧିତ ଖବର