ଫରେଷ୍ଟ ପାର୍କରେ ପାର୍କିଂ ଫି’ ନାଁରେ ଲୁଟ୍‌ : ବିଏମ୍‌ସିରେ ଗୋଟେ ନିୟମ, ବିଡିଏର ଆଉ ଗୋଟେ

ଭୁବନେଶ୍ବର : ବିଏମ୍‌ସି ଓ ବିଡିଏର ମୁଖିଆ ଜଣେ। ବିଏମ୍‌ସି କମିସନର ଭାବେ ପ୍ରେମଚନ୍ଦ୍ର ଚୌଧରୀ ପୂର୍ବାହ୍ନରେ ବିଏମ୍‌ସିରେ ବସୁଥିବା ବେଳେ ଅପରାହ୍ଣରେ ବିଡିଏ ଉପାଧ୍ୟକ୍ଷ ଭାବେ ବିଡିଏ କାର୍ଯ୍ୟାଳୟରେ ବସୁଛନ୍ତି। ତଥାପି ବି ଦୁଇଟି ସଂସ୍ଥା ମଧ୍ୟରେ ସମନ୍ବୟ ରହୁନି। ଭୁବନେଶ୍ବରରେ ପାର୍କିଂ ଫି’ ଆଦାୟ ନେଇ ବିଏମ୍‌ସି ଯେଉଁ ନିୟମ କରିଛି ତାକୁ କିନ୍ତୁ ବିଡିଏ ମାନୁନି। ବିଡିଏର କିଛି ଅଧିକାରୀ ଲୋକଙ୍କୁ ଶୋଷଣ କରିବା ପାଇଁ ବିଡିଏ ପାଇଁ ସ୍ବତନ୍ତ୍ର ନିୟମ କରିଛନ୍ତି।

ବିଏମ୍‌ସିର ନିୟମ ଅନୁଯାୟୀ, ପାର୍କିଂ ଫି’ ଆଦାୟ ହେଉଥିବା ଅଞ୍ଚଳରେ ଦୁଇ ଚକିଆ ଗାଡ଼ି ପାର୍କିଂ କଲେ ୪ଘଣ୍ଟାକୁ ୫ଟଙ୍କା ଦେବ। ଚାରିଚକିଆ ଯାନ ପାର୍କିଂ କଲେ ଦୁଇ ଘଣ୍ଟାକୁ ୨୦ଟଙ୍କା ଦେବ। ଏହି ଅନୁଯାୟୀ ପାର୍କିଂ ଫି’ ବି ଆଦାୟ ହେଉଛି।

ହେଲେ ବିଡିଏ ଅଧୀନରେ ଥିବା ଫରେଷ୍ଟ ପାର୍କ ନିକଟରେ ବିଡିଏ ଯେଉଁ ସଂସ୍ଥାକୁ ପାର୍କିଂ ଫି’ ଆଦାୟ କରିବାକୁ ଦେଇଛି ସେହି ସଂସ୍ଥା ଏବେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛି। ବାଇକ୍ ପାର୍କିଂ ପାଇଁ ଦୁଇ ଘଣ୍ଟାକୁ ୧୦ଟଙ୍କା ଲେଖାଏଁ ଆଦାୟ କରୁଛି।

ଧାର୍ଯ୍ୟ ସମୟରୁ ଦୁଇ ଘଣ୍ଟା କମ୍ ଏବଂ ଧାର୍ଯ୍ୟ ଫି’ ଠାରୁ ଦୁଇ ଗୁଣା ଅଧିକ ଆଦାୟ କରୁଛି ଏହି ସଂସ୍ଥା। ଫରେଷ୍ଟ ପାର୍କରେ ପାର୍କିଂ ଫି’ ସଂଗ୍ରହ କରିବା ପାଇଁ ସିଦ୍ଧାନ୍ତ ସାହୁ ନାମକ ବ୍ୟକ୍ତି ଟେଣ୍ଡର ପାଇଥିବା ଟିକେଟ୍‌ରେ ଲେଖା ହୋଇଛି। ଏପରିକି ‌ଟିକେଟ୍‌ରେ ପାର୍କିଂ ଫି’ ପ୍ରିଣ୍ଟ କରିଦେଲେ ‌ଲୁଟ୍‌ ଧରାପଡ଼ିଯିବାର ଆଶଙ୍କା ଥିବାରୁ ହାତରେ ୧୦ଟଙ୍କା ଲେଖି ଦିଆଯାଉଛି।

ଫରେଷ୍ଟ ପାର୍କରେ ଭୋର୍‌ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶହ ଶହ ଲୋକଙ୍କ ଭିଡ଼ ଜମିଥାଏ। ଏପରିକି ରାଜଧାନୀର ବହୁ ଭିଭିଆଇପି, ନେତା, ମନ୍ତ୍ରୀ, ପ୍ରଶାସକ ଏଠାକୁ ପ୍ରତିଦିନ ପ୍ରାତଃଭ୍ରମଣ ପାଇଁ ଆସୁଥିବା ବେଳେ ଟେଣ୍ଡର ନେଇଥିବା ସଂସ୍ଥା ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛି। ସମସ୍ତେ ନିୟମ ବିଷୟରେ ଜାଣିକି ବି ଅଯଥାରେ ପାଟିତୁଣ୍ଡ ନ କରିବାକୁ ଚୁପ୍‌ଚାପ୍ ପଳାଉଛନ୍ତି। ଯିଏ ପାଟି ଫିଟାଉଛି ତା’ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଶୁଣିବାକୁ ପଡ଼ୁଛି। ଏନେଇ ବିଡିଏ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ‌ହେଁ ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର