ବିରାଜିବେ ମହାମାୟା, ଭସାଣିରେ ନାଚିବେ ମୟୂର

ଛନଛନ କାଶତଣ୍ଡୀ ମନ ହରିଲାଣି। ଶରତର ମୃଦୁ ମଳୟ ତନମନରେ ପାର୍ବଣର ରଙ୍ଗ ମାଖିଲାଣି। ମହାମାୟୀଙ୍କୁ ସ୍ବାଗତ କରିବାକୁ ସଜେଇ ହେଲାଣି ପୂଜା ମଣ୍ଡପ। କିଣାକିଣି ପାଇଁ ଜମି ଆସିଲାଣି ବଜାର ଘାଟ। ଆଡ଼ମ୍ବର ସହକାରେ ମା’ଙ୍କୁ ଆବାହନ ପାଇଁ ସଜା ଚାଲିଛି ସୁଦୃଶ୍ୟ ତୋରଣ। ପୂଜା ଅନୁଷ୍ଠାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଘୋଷିତ ପ୍ରତିଯୋଗିତା। କାରିଗରଙ୍କୁ ଫୁର୍‌ସତ ନାହିଁ। ପୂଜା କମିଟିକୁ ତର ନାହିଁ। କୋଉ ପୂଜା ମଣ୍ଡପ‌ କେତେ ଚକ୍‌ମା ଦେଖେଇବ, ଏହା ଦେଖିବାକୁ ଲୋକେ ବି ଆତୁର ‌ହେଲେଣି। ସମଗ୍ର ରାଜଦାନୀରେ ୧୬୫ଟି ପୂଜା ମଣ୍ଡପରେ ମା’ ପୂଜା ପାଇବାକୁ ଯାଉଥିବା ବେଳେ ପୂଜାନୁଷ୍ଠାନର ପ୍ରସ୍ତୁତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ‘ବିରାଜିବେ ମହାମାୟୀ’।

ରାସ୍ତାରେ ନାଚିବେ ମୟୂର। ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରି ମା’ଙ୍କୁ ମେଲାଣି ଦେବେ ମୟୂର ବେଶରେ ସୁସଜ୍ଜିତ କଳାକାର। ଚଳିତ ବର୍ଷ ଦୁର୍ଗାପୂଜାରେ ବମିଖାଲ ଦୁର୍ଗାପୂଜା ସମିତି ଏମିତି ନିଆରା ଆକର୍ଷଣ ଭେଟିଦେବ। ଜୀବନ୍ତ ଓଟୋଙ୍କୁ ମଧ୍ୟ ଏଥର ଭସାଣି ଯାତ୍ରାରେ ଦେଖିବାକୁ ମିଳିବ। ଏଥିସହ ଘୋଡ଼ା ଓ ହାତୀ ବେଶରେ ଆକର୍ଷଣୀୟ ନୃତ୍ୟ କରି ଭସାଣିରେ ରୋମାଞ୍ଚ ଭରିବେ କଳାକାର। କେବଳ ଏହି ଭସାଣି ଯାତ୍ରାରେ ୨୦୦ ପାରମ୍ପରିକ କଳାକାର ସାମିଲ୍‌ ହେବେ। ଏଥିପାଇଁ ୩ଲକ୍ଷ ଟଙ୍କା ଖର୍ଚ ହେବ।
ଚଳିତ ବର୍ଷ ବମିଖାଲ ଦୁର୍ଗାପୂଜା ସମିତି ୫୬ ବର୍ଷରେ ପଦାର୍ପଣ କରିଥିବା ବେଳେ ସୁଦୃଶ୍ୟ ତୋରଣରେ ଜମ୍ମୁ କଶ୍ମୀର ରାଜପ୍ରାସାଦ ଭେଟି ଦେବାକୁ ଯାଉଛି। ଚଳିତ ବର୍ଷ ୩୭୦ ଧାରା ଉଚ୍ଛେଦ ଯୋଗୁଁ ଜମ୍ମୁ କଶ୍ମୀର ଚର୍ଚ୍ଚାରେ ଥିବାରୁ ପୂଜା ସମିତି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସମିତିର ଆବାହକ ପର୍ଶୁରାମ ଜେନା। ଏହି ରାଜପ୍ରାସାଦ ସନ୍‌ପ୍ଲେକ୍ସରେ ନିର୍ମିତ ହେବ। ତେବେ ବାହାରର ଆକର୍ଷଣ ଅପେକ୍ଷା ବିଭୋର କରିବ ଭିତର ମହଲର ଦୃଶ୍ୟ। ଲଣ୍ଠନ ଫିତା ଓ ଆଲୁଆମାଳାର ନିର୍ମାଣ ମନଲୋଭା ହେବ। ପୂରା ବଜେଟ୍‌ ୩୫ ଲକ୍ଷ ଟଙ୍କା ଥିବା ବେଳେ ‌ତୋରଣରେ ୧୮ ଲକ୍ଷ ଟଙ୍କା ଖର୍ଚ ହେବ। ବାପି ଦା’ଙ୍କ ନେତୃତ୍ବରେ କୋଲକାତାର ୩୫ ଜଣ କାରିଗର ତୋରଣ ପ୍ରସ୍ତୁତିରେ ଲାଗିଛନ୍ତି। ଏଥିସହ ୨୨ ଫୁଟ ମେଢ଼ ସହ ମା’ଙ୍କୁ ଚାନ୍ଦି ମୁକୁଟ ଓ ଅଳଙ୍କାରରେ ସଜାଯିବ।

୧୫ ଆଲୁଅ ତୋରଣ
ଚଳିତ ବର୍ଷ ନିଉ କାଳିକା ହୋଟେଲ୍‌ ନିକଟରୁ ଏସ୍‌ପ୍ଲାନେଡ୍‌ ପର୍ଯ୍ୟନ୍ତ ୧୫ଟି ଆଲୁଅ ତୋରଣ ସଜାଯିବ। ମୁଖ୍ୟ ତୋରଣ ସମ୍ମୁଖରେ ଜଳ ଫୁଆରା ସାଙ୍ଗକୁ ବିଭିନ୍ନ ମନୋରଂଜନଧର୍ମୀ ଷ୍ଟ୍ରକ୍‌ଚର ସ୍ଥାପନ ହେବ। ଅଷ୍ଟମୀରେ ଶାଢ଼ି ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଏଥିପାଇଁ କିଛି ମହିଳା ‌ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ପୂଜା ମଧ୍ୟରେ ସବୁଦିନ ଖେଚୁଡ଼ି ପ୍ରସାଦ ବଣ୍ଟାଯିବ। ଅଷ୍ଟମୀ ଦିନ ଅଷ୍ଟମୀ ଭୋଗ ଶ୍ରଦ୍ଧାଳୁଙ୍କୁ ପରସାଯିବ।
ସୁଶାନ୍ତ କୁମାର ଜେନା (ସଭାପତି)

ଦିବ୍ୟାଙ୍ଗ, ବୟସ୍କଙ୍କ ପାଇଁ ହ୍ବିଲ୍‌ ଚେୟାର
ପୂଜାସ୍ଥଳରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ୍‌ ବାହିନୀ ସହ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ୨୦ଟି ସିସି ଟିଭି ଲାଗିବ। ଦିବ୍ୟାଙ୍ଗ ଓ ବୟସ୍କମାନେ ମା’ଙ୍କୁ ଭଲରେ ଦର୍ଶନ କରିବା ପାଇଁ ୫ଟି ହ୍ବିଲ୍‌ ଚେୟାରର ବନ୍ଦୋବସ୍ତ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ୍‌ ଶିଳ୍ପୀଙ୍କ ଦ୍ବାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯିବ।
ସୁଜନ କୁମାର ଜେନା (ସମ୍ପାଦକ)

ସମ୍ବନ୍ଧିତ ଖବର