କୃଷି ଋଣ ଛାଡ଼ ନିର୍ବାଚନ ପ୍ରତିଶ୍ରୁତିର ଅଂଶ ନହେଉ

କୃଷି ଋଣ ଛାଡ଼ ନିର୍ବାଚନ ପ୍ରତିଶ୍ରୁତିର ଅଂଶବିଶେଷ ହେବା ଉଚିତ୍‌ କି ? ଏହି ବିଷୟକୁ ଆଧାର କରି ‘ସମ୍ବାଦ’ ଫୋନ୍‌ ଇନ୍‌ ‌କାର୍ଯ୍ୟକ୍ରମରେ ମତ ରଖିଥିଲେ ଚାଷୀ, ଲୋକ ପ୍ରତିନିଧି ଓ ବିଶିଷ୍ଟ ବୁଦ୍ଧିଜୀବୀ। ସେମାନଙ୍କ କହିବା ମୁତାବକ, କୃଷକମାନେ ନେଇଥିବା ଋଣ ଛାଡ଼ କରାଗଲେ ବହୁ ଚାଷୀ ଉପକୃତ ହେବେ। ମାତ୍ର ବାସ୍ତବରେ ‌କେତେଜଣ ପ୍ରକୃତ ଚାଷୀ ଋଣ ନେଇଛନ୍ତି ତାହା ବିଚାର ସାପେକ୍ଷ। ପୁଣି ଏହା ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି ଲୋକଙ୍କ ମତ। ତେବେ ଆଗକୁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ରାଜନୈତିକ ଦଳମାନଙ୍କର ନିର୍ବାଚନ ପ୍ରତିଶ୍ରୁତିର ଅଂଶବିଶେଷ ହେବା ଉଚିତ୍‌ ନୁହେଁ ବୋଲି ଅଧିକାଂଶ ମତ ରଖିଛନ୍ତି।

କୃଷି ଋଣ ନିର୍ବାଚନ ପ୍ରତିଶ୍ରୁତିର ଅଂଶ ବିଶେଷ। କିନ୍ତୁ ଏହାକୁ ପାଳନ କଲେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେବ। ଏମିତି ବି ଦେଶ ଋଣଗ୍ରସ୍ତ ଥିବା ବେଳେ ସରକାର ଓ ବ୍ୟାଙ୍କ୍‌ ଦେବାଳିଆ ହୋଇଯିବ‌େ। ଏହା ନକରି ତେଲେଙ୍ଗାନା ଭଳି କୃଷି ପ୍ୟାକେଜ୍‌ କରନ୍ତୁ।
ମନୋରଂଜନ ସ୍ବାଇଁ, ତମାଣ୍ଡୋ, ଦିଲ୍ଲୀପ କୁମାର ସାହୁ, ଭଦ୍ରକ

ବଜେଟ୍‌ ନିର୍ଧାରଣ ପୂର୍ବରୁ ପ୍ରତିଶ୍ରୁତି ଠିକ୍‌ ନୁହେଁ। ଏହା ଏକ ଲୋକପ୍ରିୟ ଯୋଜନା ହୋଇପାରେ କିନ୍ତୁ ଲୋକଭିମୁଖୀ ନୁହେଁ। ଏହା ପରିବର୍ତେ ପ୍ରକୃତ ଚାଷୀ ଚିହ୍ନଟ କରି ତାକୁ ପରିଚୟପତ୍ର ଦିଆଯାଉ। ଋଣ ଛାଡ଼ିବା ପରିବର୍ତେ ସରକାର ଜଳସେଚନ, କୃଷିଜାତ ଦ୍ରବ୍ୟର ବଜାର, ଶୀତଳଭଣ୍ଡାର, ବିହନ, ସାର ଓ କୀଟନାଶକର ଦର ହ୍ରାସ କରନ୍ତୁ। ଏଥିସହ ରାଜନୈତିକ ଦଳଗୁଡ଼ିକ ଦେଉଥିବା ନିର୍ବାଚନ ପ୍ରତିଶ୍ରୁତି ନିର୍ବାଚନ କମିସନ ସମୀକ୍ଷା କରି ହସ୍ତକ୍ଷେପ କରିବା ଉଚିତ୍‌।
ଛାୟାକାନ୍ତ ନାୟକ, ପୁରୀ

ଏପରି ହେଲେ ନୂଆନୂଆ ସମସ୍ୟା ମୁଣ୍ଡ ଟେକିବ। ଭୋଟ୍‌ ପାଇଁ ଏହା ଏକ କୌଶଳ ହୋଇପାରେ। ମାତ୍ର କଦାପି ଫଳପ୍ରଦ ହେବ ନାହିଁ। ଅନ୍ୟ ରାଜ୍ୟକୁ ଅନୁକରଣ କରିବା ବୁମେରାଂ ସାବ୍ୟସ୍ତ ହେବ। ତେଣୁ ଚାଷୀମାନେ କାହିଁକି ଋଣ କରୁଛନ୍ତି, ସେ ବାବଦରେ ସମୀକ୍ଷା କରାଯାଉ।
ଶ୍ରୀବତ୍ସ ମହାନ୍ତି, ଯାଁଳା, ଦିବ୍ୟଲୋଚନ ଭାରିମଲ, ଖୋର୍ଧା,
ଚନ୍ଦ୍ରକାନ୍ତ ପଣ୍ଡା, ଭୁବନେଶ୍ବର

ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଯେଉଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ କରଜରେ ବୁଡ଼ି ରହିଛନ୍ତି, ସେମାନଙ୍କୁ ଚିହ୍ନଟ ହେଉ। ଉପାର୍ଜନ ଯେତିକି ପାଇବା କଥା, ପାଉ ନଥିବାରୁ ସେମାନଙ୍କ ପାଇଁ କୃଷି ଋଣ ଛାଡ଼ କରିବା ପାଇଁ ରାଜନୈତିକ ଦଳ ପ୍ରସ୍ତୁତ ରୁହନ୍ତୁ। ଯଦି ସରକାର ଏତେ କିଛି ବାଣ୍ଟୁଛନ୍ତି, ତେବେ କୃଷି ଋଣ ଛାଡ଼ କରିବାରେ ସମସ୍ୟା କେଉଁଠି। କିନ୍ତୁ ଏହା ସତ୍ୟ ଯେ ଅର୍ଥନୀତି ଉପରେ ଏହା ପ୍ରଭାବ ପକାଇବ। ସାଢ଼େ ୪କୋଟି ଲୋକ ଭୋଗିବେ।
ରବୀନ୍ଦ୍ରନାଥ ସାହୁ, ନିମାପଡ଼ା, ଅଜୟ ପାତ୍ର, କୋଣାର୍କ
ସୁଶାନ୍ତ କୁମାର ଦାସ, ବାଲିପାଟଣା

ପ୍ରତିଶ୍ରୁତି ଦେବା ଅନୁଚିତ୍‌। କୃଷି ଋଣ ପାଇଁ କହି କେବଳ ଭୋଟ୍‌ ବ୍ୟାଙ୍କ୍‌ ସୃଷ୍ଟି କରିହେବ। କାରଣ ଏହାକୁ ପ୍ରକୃତ ପକ୍ଷେ କାର୍ଯ୍ୟକାରୀ କରିହେବ ନାହିଁ। ଏହା କେବଳ ଲୋକଙ୍କୁ ବୋକା ବନେଇବା ପାଇଁ। ବାସ୍ତବରେ ନିର୍ବାଚନ ଆସିଲେ ଏମିତି ପ୍ରତିଶ୍ରୁତିମାନ ଆସେ।
ଜେପି ମହାପାତ୍ର, ଭୁବନେଶ୍ବର, ପଦ୍ମଲୋଚନ ମହାକୁଡ଼, କେନ୍ଦୁଝର

ଏହାକୁ ପ୍ରତିଶ୍ରୁତିର ଅଂଶବିଶେଷ କରା ନଯାଉ। ଯେଉଁ ଚାଷୀ କ୍ଷତି ସହୁଛନ୍ତି, ସେମାନଙ୍କୁ ଋଣ ଛାଡ଼ କରାଯାଉ। ନିର୍ବାଚନ ବେଳେ କେବଳ ପ୍ରତିଶ୍ରୁତିର ଅଂଶବିଶେଷ କରିବା ହାସ୍ୟାସ୍ପଦ କଥା।
ରବୀନ୍ଦ୍ର ସାହୁ, ଅନ୍ଧାରୁଆ

କୃଷି ଋଣ ଛାଡ଼ ନିର୍ବାଚନ ଇସ୍ତହାରରେ ରହିବା ଆବଶ୍ୟକ। କିନ୍ତୁ ଏହା କେବଳ ପ୍ରତିଶ୍ରୁତିରେ ନ ରହି କାର୍ଯ୍ୟକାରୀ ହେବା ଉଚିତ। କୃଷକଙ୍କ ବିକାଶ ହେଲେ ହିଁ ଦେଶର ଉନ୍ନତି ସମ୍ଭବ। ତେଣୁ ଯେକୌଣସି ଦଳ ହୁଅନ୍ତୁ ବା ସରକାର ଏନେଇ ସଚ୍ଚୋଟ ହେବା ଜରୁରୀ।
ଆଶୁତୋଷ ଦାଶ, ଭୁବନେଶ୍ବର

କୃଷି ଋଣ ଛାଡ଼ ନିର୍ବାଚନ ଇସ୍ତହାରର ଅଂଶବିଶେଷ ନୁହେଁ, ଏହା ବିକାଶର ଅଂଶବିଶେଷ ହେବା ଦରକାର। କୃଷକ ଦେଶର ଏକ ମୁଖ୍ୟ ଅଙ୍ଗ। ଏହାର ବିକାଶ ଦେଶର ବିକାଶ। ତେଣୁ ଏହାକୁ କୌଣସି ଦଳ ବା ନିର୍ବାଚନ ଇସ୍ତହାରର ଅଂଶବିଶେଷ ନ କରି ବିକାଶ ଦିଗରେ ଆଗକୁ ବଢ଼ାଇବା ଭଲ।
ଶିବପ୍ରସାଦ ନନ୍ଦ, ଭୁବନେଶ୍ବର

କୃଷିଋଣ ଛାଡ଼ କୌଣସି ଦଳର ନିର୍ବାଚନ ପ୍ରତିଶ୍ରୁତି ହେବା ଉଚିତ ନୁହେଁ। ଚାଷ ଓ ଚାଷୀଙ୍କ ବିକାଶ, ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ବା ରାଜନୈତିକ ଦଳ ନିଜେ ପଦ‌କ୍ଷେପ ନେବା ଉଚିତ ନୁହେଁ। ନ ହେଲେ ଏହାଦ୍ବାରା କୃଷକମାନେ କମ୍‌ ଓ ଠକ, ଦଲାଲ୍‌, ଋଣଖିଲାପକାରୀ ହିଁ ଅଧିକ ଲାଭ ପାଇବେ। ସରକାର ପ୍ରକୃତ ଚାଷୀ ଚିହ୍ନଟ କରି ଋଣ ଛାଡ଼ କରିବା ଉଚିତ।
ମୀର ସରିକ୍‌ ଅଲ୍ଲୀ, ଭୁବନେଶ୍ବର

କୃଷି ଋଣ ଛାଡ଼ କରିବା ରାଜ୍ୟ ପାଇଁ ସଙ୍କଟ ଆଣି ଦେବ। ରାଜ୍ୟ ପାଣ୍ଠିରେ ଟଙ୍କା ନଥିବା ସମୟରେ ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ୍‌ ହେବ ନାହିଁ। ଓଡ଼ିଶାର ଜାତୀୟ ଋଣ ଭାରକୁ କମ୍‌ କରି ଦେଖାଇପାରିଲେ ଜାତୀୟସ୍ତରରେ ଓଡ଼ିଶା ଗୌରବାନ୍ବିତ ହୋଇପାରିବ।
ରବିନାରାୟଣ ଦାସ, ନିମାପଡ଼ା

କୃଷି ଋଣ ଛାଡ଼ ନ ହେଲେ ଭଲ ହୁଅନ୍ତି। ଏହି ଋଣ ଛାଡ଼ ଦ୍ବାରା ଓଡ଼ିଶା ରାଜକୋଷ ଉପରେ ଏହାର ପ୍ରଭାବ ପଡ଼ିବ। ରାଜ୍ୟ ସବୁବେଳେ ଆର୍ଥିକ ଚାପରେ ରହିବ।
ସିଦ୍ଧେଶ୍ବର ସାହୁ

ବନ୍ୟା ପ୍ରପୀଡ଼ିତ ଓ ପ୍ରାକୃତିକ ଦୁର୍ବିପାକ ସମସ୍ୟା ସାମ୍ନା କରୁଥିବା ଅଞ୍ଚଳର ଚାଷୀମାନଙ୍କୁ କୃଷି ଋଣ ଛାଡ଼ କରାଯାଉ। ସେମାନଙ୍କୁ ଚିହ୍ନଟ କରି ଋଣ ଛାଡ଼ କରାଯାଉ। ଭୌଗଳିକ ଅବସ୍ଥିତି ଦେଖି, ଉପଯୁକ୍ତ ଚାଷୀକୁ ଚିହ୍ନଟ କରି ଋଣ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେବା ଉଚିତ୍‌।
ଅକ୍ଷୟ କୁମାର ଭୋଇ, ‌ପୁରୀ
ସୁରେନ୍ଦ୍ର କୁମାର ଭୋଇ, ପୁରୀ
ପ୍ରସନ୍ନ କୁମାର ନାୟକ, ନରସିଂହପୁର
ଧନେଶ୍ବର ସାମଲ, ମାହାଙ୍ଗା

କୃଷି ଋଣ ଛାଡ଼ ଏକ ମାରାତ୍ମକ ସାମାଜିକ ବ୍ୟାଧି। ରାଜନୈତିକ ଦଳମାନେ ଯେଉଁ ଘୋଷଣା କରନ୍ତି, ତାକୁ କାର୍ଯ୍ୟକାରୀ କରନ୍ତି ନାହିଁ। ଫଳରେ ପୁଣି ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ଅପର ପକ୍ଷରେ ଅନ୍ୟ କ୍ଷେତ୍ରରେ ଖର୍ଚ ବେଳେ ଏହା ପ୍ରଭାବ ପକାଏ। ‌ସାଧରଣ ଲୋକେ କ୍ଷତିଗ୍ରସ୍ତ ହୁଅନ୍ତି। ପ୍ରକୃତ ଚାଷୀ, ଗରିବ, ଭାଗଚାଷୀ, ଦିନ ମଜୁରିଆ ଉପକୃତ ହୁଅନ୍ତି ନାହିଁ।
ଜନାର୍ଦନ ଦାଶ, ଲକ୍ଷ୍ମୀସାଗର

କୃଷି ଋଣ ଛାଡ଼ ହେଲେ କୃଷକର ସ୍ଥିତି ସୁଧୁରେ ନାହିଁ। ବରଂ ଦେଶ କ୍ଷତି ସହେ। ତେଣୁ କୃଷି ଋଣ ଛାଡ଼ ନିର୍ବାଚନର ଅଂଶବିଶେଷ ହେବା ଆଦୌ ଉଚିତ୍‌ ନୁହେଁ। ଏହା କେବଳ ଭୋଟ୍‌ ରାଜନୀତିର ଅଂଶ ବିଶେଷ ଛଡ଼ା ଆଉ କିଛି ନୁହେଁ।
ଲୋକମାନ ଖାନ୍‌, ଭବାନୀପାଟଣା

ସମ୍ବନ୍ଧିତ ଖବର