ଖେଳପଡ଼ିଆ ନା ମାଟି ଖଣି

ଚନ୍ଦ୍ରଶେଖରପୁର: ପଦ୍ମାବତୀବିହାର ଖେଳ ପଡ଼ିଆରେ ପଡ଼ିଛି ମାଟି ମାଫିଆଙ୍କ ଲୋଲୁପଦୃଷ୍ଟି। ଜେସିବି ଲଗାଇ ମାଟି ତଡ଼ାଯାଉଛି, ଟ୍ରକ୍ ଓ ହାଇୱାରେ ବୁହା ଚାଲିଛି। ଫଳରେ ଏହା ଏକ ମାଟି ଖଣିରେ ପରିଣତ ହୋଇସାରିଛି। ପଡ଼ିଆ ସାରା ବଡ଼ବଡ଼ ପୋଖରୀ ସଦୃଶ ଖାଲଖମା ହୋଇଗଲାଣି। ଆଉ ତାହା ଖେଳପଡ଼ିଆ ହୋଇ ରହିନାହିଁ। ମାଟି ଖଣି ବୋଲି କୁହାଯାଉଛି। ଖୋଲା‌ଖୋଲି ଭାବେ ମାଫିଆମାନେ ଏହି ପଡ଼ିଆରୁ ମାଟି ତାଡ଼ି ବିକ୍ରି କରୁଥିଲେ ବି କେହି ପ୍ରତିବାଦ କରୁନାହାନ୍ତି। ଦିନ ଦି’ପହରରେ ଏଠାରୁ ବେଆଇନ ଭାବେ ମାଟି ଚାଲାଣ ହେଉଥିଲେ ବି ପ୍ରଶାସନ ଓ ରାଜସ୍ବ ବିଭାଗ ସବୁ ନଦେଖିବା ଭଳି ଚୁପ୍ ରହୁଛି। ତେଣୁ ମୁହଁ ଖୋଲିବାକୁ ସାଧାରଣ ଲୋକଙ୍କ ଜୁ’ ନାହିଁ।

ଚନ୍ଦ୍ରଶେଖରପୁର ପଦ୍ମାବତୀବିହାର ରହିଛି ବିଏମ୍‌ସିର ୬ ନମ୍ବର ୱାର୍ଡରେ। ଏହି ଖେଳପଡ଼ିଆ ଆଖପାଖ ଅଞ୍ଚଳରେ ସବୁଠୁ ବଡ଼। ପଦ୍ମାବତୀବିହାର, ଡମଣା, ଶୈଳଶ୍ରୀବିହାର ଅଞ୍ଚଳର ପିଲାମାନେ ଏହି ପଡ଼ିଆରେ ଖେଳକୁଦ କରୁଥିଲେ। ବହୁ କ୍ରୀଡ଼ା ପ୍ରତିଭା ଏଠାରେ ଖେଳି ନାଁ କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଖେଳ ପଡ଼ିଆ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି। ବିଏମ୍‌ସିର ଉଦାସୀନତା ଲାଗି ଏହି ପଡ଼ିଆ ମାଟି ମାଫିଆଙ୍କ କବ୍‌ଜାକୁ ଚାଲି ଯାଇଛି। ପ୍ରତିଦିନ ଏଠାରୁ ଟ୍ରିପ୍ ଟ୍ରିପ୍‌ ମାଟି ଉଠାଇ ନିଆଯାଉଛି। ଫଳରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଓ ବର୍ଷା ହେଲେ ଗର୍ତ୍ତଗୁଡ଼ିକ ପୋଖରୀର ଭ୍ରମ ସୃଷ୍ଟି କରୁଛି। ତେଣୁ ସ୍ଥାନୀୟ ଯୁବକମାନେ ଏଠାରେ ଆଉ ଖେଳି ପାରୁନାହାନ୍ତି। ପାଖରେ ବଡ଼ ଖେଳ ପଡ଼ିଆଟିଏ ଥିଲେ ମଧ୍ୟ ସ୍ଥାନୀୟ ପିଲାମାନେ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ମାଫିଆମାନଙ୍କୁ ବାରଣ କରିବା ସେମାନଙ୍କ ପକ୍ଷେ ଅସମ୍ଭବ। ତେଣୁ ସେମାନେ ପରୋକ୍ଷରେ ବିଏମ୍‌ସି ଓ ରାଜସ୍ବ ବିଭାଗକୁ ଜଣାଇଛନ୍ତି। ମାତ୍ର ଫଳ ଶୂନ। ସ୍ଥାନୀୟ ବାସିନ୍ଦା ରାଜକିଶୋର ବେହେରା କହିଛନ୍ତି ଯେ ସରକାର କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରରେ ଇନ୍‌ଡୋର ଷ୍ଟାଡିୟମ୍‌ ନିର୍ମାଣ କରୁଛନ୍ତି। ମାତ୍ର ଖେଳପଡ଼ିଆର ବିକାଶ ଲାଗି କିଛି କରାଯାଉନାହିଁ। ପଡ଼ିଆର ବିକାଶ କଥା ଦୂରେ ଥାଉ, ମାଟି ମାଫିଆମାନେ ପଡ଼ିଆକୁ ନଷ୍ଟ କରୁଥିବା ବେଳେ ପ୍ରଶାସନ ଚୁପ୍‌ ରହୁଛି। ଏହା ବଡ଼ ବିଚିତ୍ର ନୀତି ବୋଲି ସେ ସମାଲୋଚନା କରିଛନ୍ତି। ସେହିଭଳି ଖେଳାଳି ଉମାକାନ୍ତ ପରିଡ଼ା କହିଛନ୍ତି ଯେ ବର୍ତ୍ତମାନ ପୁଲିସ ଚାକିରି ପାଇଁ ସେ ପ୍ରସ୍ତୁତ ହେଉଛନ୍ତି। ପୂର୍ବରୁ ସେ ଏହି ପଡ଼ିଆରେ ଦୌଡ଼ାଦୌଡ଼ି କରୁଥିଲେ। କିନ୍ତୁ ଏବେ ଏହି ପଡ଼ିଆ ନଷ୍ଟ ହୋଇଯାଇଥିବାରୁ ତାଙ୍କ ଭଳି ଯୁବକମାନେ ଉତ୍କଳ ହସ୍ପିଟାଲ ରାସ୍ତାକୁ ଯାଉଛନ୍ତି। ଏବେଠୁ ପ୍ରଶାସନ ଏହି ପଡ଼ିଆର ସୁରକ୍ଷା ପାଇଁ ପଦକ୍ଷେପ ନ‌ ନେଲେ ବଡ଼ ପଡ଼ିଆଟି ପୂରା ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର