ରାଜ୍ୟ ପେଟ୍ରୋଲିୟମ୍‌ ଡିଲର୍ସ ସଂଘ ସଭାପତିଙ୍କୁ ଅସମ୍ମାନ ଘଟଣା : ପୁଲିସ କମିସନରଙ୍କ ବିରୋଧରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ

ଭୁବନେଶ୍ବର : ରାଜ୍ୟ ପେଟ୍ରୋଲିୟମ ଡିଲର୍ସ ସଂଘ ସଭାପତିଙ୍କୁ ଅସମ୍ମାନ ଘଟଣାରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବିରୋଧରେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ହୋଇଛି। ସଭାପତି ଶଶାଙ୍କ ଶେଖର ସାହୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପେଟ୍ରୋଲ ପମ୍ପ ପାଇଁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ (ଏନ୍‌ଓସି) ପ୍ରଦାନରେ ଅନିୟମିତତା କରାଯାଉଛି। ତେଣୁ ଏ ନେଇ ସଂଘ ପକ୍ଷରୁ କିଛି ଦିନ ତଳେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ଗତ ୨୧ ତାରିଖରେ ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ହେଲେ କୌଣସି କାରଣ ନ ଥାଇ ଶ୍ରୀ ଷଡ଼ଙ୍ଗୀ ଅଚାନକ ରାଗି ଯାଇଥିଲେ। ସେମାନଙ୍କୁ ଉଚ୍ଚ ସ୍ବରରେ କଥାବାର୍ତ୍ତା କରିବା ସହ ଅସମ୍ମାନ କରିଥିଲେ। ଏମିତିକି ସେ ଦେଇଥିବା ଦାବିପତ୍ରକୁ ଗ୍ରହଣ କରି ନ ଥିଲେ। ପ୍ରତିନିଧିମାନେ ଅସମ୍ମାନିତ ହୋଇ ସେଠାରୁ ଫେରିବା ପରେ ଗୃହ ସଚିବ, ମୁଖ୍ୟ ସଚିବଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇଥିଲେ।

ସେହିପରି ପୁଲିସ ମହାନିର୍ଦେଶକଙ୍କୁ ଏ ବିଷୟ‌‌ରେ ଅବଗତ କରାଇଥିଲେ। ହେଲେ ଘଟଣାର ୪ ଦିନ ପରେ କୌଣିସ ପଦକ୍ଷେପ ନିଆ ନଯିବାରୁ ଆଜି ସେମାନେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ଏ ସମ୍ପର୍କରେ ଆଇଆଇସିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ।

ଅନ୍ୟପଟେ ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସଫେଇ ଦିଆଯାଇଛି, କୌଣସି ପୂର୍ବ ସୂଚନା ନ ଦେଇ ସେମାନେ କମିସନର୍‌ଙ୍କୁ ଭେଟିବା ପାଇଁ ଆସିଥିଲେ। ଏହି ସମୟରେ କାଳୀପୂଜା ନେଇ କଟକରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଥିବାରୁ ସିପି ସେଠାକୁ ଯିବା ପାଇଁ ବ୍ୟସ୍ତ ଥିଲେ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲ ଓ ମୁମ୍ବାଇର ପୂର୍ବତନ ପୁଲିସ କମିସନର ସତ୍ୟପାଲ୍‌ ସିଂ ପୁଲିସ କମିସନରଙ୍କ କାର୍ଯ୍ୟାଳୟକୁ ଆସିଥିବାରୁ ଏକ ଘଣ୍ଟା ବିଳମ୍ବ ହୋଇଯାଇଥିଲା। ଏହି ସମୟରେ ବ୍ୟକ୍ତିଜଣଙ୍କ ସିପିଙ୍କୁ ଭେଟିବାକୁ ଚାହିଁବାରୁ ସେ ତାଙ୍କୁ ଅନ୍ୟ ସମୟରେ ଆସିବା ପାଇଁ କହିଥିଲେ। ଏହାପରେ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଆସିବାକୁ ମନା କରିଥିଲେ। ତେବେ ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଆସିବା ପରେ ଏହାର ତଦନ୍ତ ପାଇଁ ଡିସିପିଙ୍କୁ ନିର୍ଦେଶ ଦିଆସରିଛି।

ଲୋକମାନେ ସୋମବାର ସକାଳ ସମୟରେ ବିନା ସୂଚନାରେ ଭେଟି ପାରିବେ। ହେଲେ ଅନ୍ୟ ଦିନମାନଙ୍କରେ ପୂର୍ବ ସୂଚନା ଦେଇ ସିପି, ଏଡିସିପିଙ୍କୁ ଭେଟି ଅଭିଯୋଗ ଜଣାଇପାରିବେ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର