ରାଜଧାନୀରେ ବାର୍‌ରେ ଚଢ଼ଉ: ୧୦ ଯୁବତୀ ଉଦ୍ଧାର

‌ମହଙ୍ଗା ପଡ଼ିଲା ଏକତରଫା ପ୍ରେମ, ବନପାଳ ଗିରଫ

ଭୁବନେଶ୍ବର : ବାପୁଜୀନଗର ରଙ୍ଗିଲା ବାରରେ ଚଢ଼ଉ କରି କ୍ୟାପିଟାଲ ଥାନା ପୁଲିସ ନୃତ୍ୟ କରୁଥିବା ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଆଜି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସରକାରଙ୍କ ନିର୍ଦେଶ ସତ୍ତ୍ୱେ ବାର୍‌ରେ ଡାନ୍ସ ଚାଲିଥିବା ଅଭିଯୋଗ ପାଇବା ପରେ ଜୋନ-୧ ଏସିପି ମାନସ ଗଡ଼ନାୟକ ସଦଳବଳ ଚଢ଼ଉ କରିଥିଲେ। ସରକାରଙ୍କ ନିର୍ଦେଶ ମୁତାବକ ଯୁବତୀମାନଙ୍କୁ ନୃତ୍ୟ କରିବାକୁ ବାରଣ କରାଯିବା ସହ ଉଦ୍ଧାର କରାଯାଇ ସର୍ଟ ଷ୍ଟେ ହୋମରେ ଛଡ଼ା ଯାଇଛି। ଆସନ୍ତାକାଲି ଆଇନଗତ ବ୍ୟବସ୍ଥା ପରେ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ। ସେହିଭଳି ସରକାରଙ୍କ ନିର୍ଦେଶ ନମାନି ବାରରେ ନୃତ୍ୟ ଜାରି ରଖିଥିବାରୁ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରାଞ୍ଚଳ ପୁଲିସ ଆଇନ ବଳରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ତା’ ଛଡ଼ା ବାରକୁ ବନ୍ଦ କରାଯିବା ପାଇଁ ସରକାରଙ୍କୁ ପୁଲିସ ଚିଠି ଲେଖିବ।

‌ମହଙ୍ଗା ପଡ଼ିଲା ଏକତରଫା ପ୍ରେମ, ବନପାଳ ଗିରଫ
ଖଣ୍ଡଗିରି : ମହିଳା ସହକର୍ମୀଙ୍କୁ ଏକତରଫା ପ୍ରେମ କରିବା ଜଣେ ବନପାଳଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରେମରେ ବିଫଳ ହେବା ପରେ ମହିଳାଙ୍କୁ ଧମକ ଦେଇ ଟଣାଓଟରା କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସମ୍ବଲପୁର ବନଖଣ୍ଡରେ ନିଯୁକ୍ତି ପାଇ ଭୁବନେଶ୍ବର ଘାଟିକିଆ ନାକାଗେଟ୍‌ସ୍ଥିତ ବନପାଳ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ୍‌ ନେଉଥିବା ବିଶ୍ବଜିତ ରାଉତ(୨୬)। ପୁଲିସ ସୂଚନାନୁସାରେ ଗତ କିଛି ଦିନ ହେଲା ଜଣେ ମହିଳା ସହକର୍ମୀଙ୍କୁ ବିଶ୍ବଜିତ ଏକପାଖିଆ ଭଲ ପାଉଥିଲେ ଓ ତାଙ୍କୁ ପରୋକ୍ଷରେ ଜଣାଇଥିଲେ। କିନ୍ତୁ ମହିଳା ବନପାଳ ସେଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ। ତେଣୁ ପ୍ରେମରେ ବିଫଳ ବିଶ୍ବଜିତ ରାଗି ଯାଇଥିଲେ। ରବିବାର ଦିନ ସେ ମହିଳା ବନପାଳଙ୍କ ପ୍ରକୋଷ୍ଠକୁ ଯାଇ ତାଙ୍କୁ ଅଶାଳୀନ ଭାଷାରେ ଗାଳିମନ୍ଦ କରି ଧମକଚମକ ଦେବା ସହ ଟଣାଓଟରା କରି ମାଡ଼ ମାରିଥିଲେ। ମହିଳା ବନପାଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀମାନଙ୍କୁ ଲିଖିତ ଅଭିଯୋଗ କରିଥି‌ଲେ। ଏଥିସହିତ ବିଶ୍ବଜିତ ତାଙ୍କୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଖଣ୍ଡଗିରି ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର