ହାଇଟେକ୍‌ ଅଞ୍ଚଳରେ ଦୟନୀୟ ସ୍ଥିତି: ୨୦ ଲିଟର ପାଣି ଜାର୍‌ ୧୦୦ ଟଙ୍କା, ଜଳବନ୍ଦୀ ଦୁଃଖକୁ ବଳେଇଛି ବିଦ୍ୟୁତ୍‌କାଟ

ପୁରୁଣା ଭୁବନେଶ୍ବର : ସୁନ୍ଦରପଦା-ଜଟଣୀ ରାସ୍ତାର ହାଇଟେକ୍‌ ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ଦୁଃଖ ସରୁନାହିଁ। ସ୍ଥାନୀୟ ଲୋକେ ପ୍ରାୟ ୪ ଦିନ ହେଲା ଜଳବନ୍ଦୀ ଓ ଗୃହବନ୍ଦୀ ଅବସ୍ଥାରେ ରହିଥିବା ବେଳେ ବିଦ୍ୟୁତ୍‌କାଟ୍‌ ଯୋଗୁଁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ପିଇବା ପାଣି ବିନା ଶହଶହ ଲୋକ କଲବଲ ହେଉଛନ୍ତି। ପିଇବାକୁ କିଣା ପାଣି ବି ମିଳୁନି। ୨୦ ଲିଟର ବିଶିଷ୍ଟ ପାଣି ଜାର୍‌କୁ ୧୦୦ ଟଙ୍କା ଦେଲେ ବି ସହଜରେ ମିଳୁନାହିଁ। ଗତକାଲି ରାତିରୁ ଦୟାନଦୀରେ ଜଳସ୍ତର କମିଥିଲେ ବି ଏହି ଅଞ୍ଚଳରୁ ବନ୍ୟାପାଣି ପୂରା ଛାଡ଼ିନାହିଁ। ଆଜି କିଛି କିଛି କଲୋନିକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଥିବା ବେଳେ ବିଦ୍ୟୁତ୍ ସଂଯୋଗ ପାଇଁ ମରାମତି କାମ ଆରମ୍ଭ ହୋଇଛି। ଏଥିସହିତ କିଛି କଲୋନିକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

ଗତ ୪ ଦିନ ହେଲା ସୁନ୍ଦରପଦା ଗହୀର ସମେତ ବୋତଣ୍ଡା, ବୀରବନ୍ଧ, ଓରକଳ, କୁହା, କଣ୍ଟିଲୋ, ପଧାନସାହି, କ୍ଷେତ୍ରପାଳ ଓ ପାଞ୍ଚଗାଁ ଆଦି ଅଞ୍ଚଳରେ ଗଢ଼ିଉଠିଥିବା ନୂଆ କଲୋନି ସବୁ ବୁଡ଼ିଯାଇଥିଲା। ବିଶେଷକରି ହାଇଟେକ୍‌ କଲୋନି ଭାବେ ପରିଚିତ ଓରକଳ, କଣ୍ଟି‌ଲୋ ଓ କୁହା ଗହୀର ଅଞ୍ଚଳ ଅଧିକ ମାତ୍ରାରେ ବୁଡ଼ିଯାଇଥିଲା। ଗତକାଲି ରାତିରୁ ସାମାନ୍ୟ ଭାବେ ଜଳସ୍ତର କମିଛି। କିନ୍ତୁ ଏବେ ବି ବହୁ ଆପାର୍ଟମେଣ୍ଟ, ଡୁପ୍ଲେକ୍ସ ଓ ପ୍ରାଇଭେଟ୍ ଘର ପାଣି ଘେରରେ ରହିଛି। ଶୁଭଶ୍ରୀ ଭିଲ୍ଲା, ସ୍କାଏ ଭ୍ୟୁ, ଆନେକ୍ସ, ହାଇଟେକ୍ କଲୋନିଗୁଡ଼ିକରେ ରାସ୍ତାରେ ବନ୍ୟା ପାଣିର ସୁଅ ଚାଲିଛି। ‌ତେବେ ଜଳସ୍ରୋତ କମିଥିବାରୁ ଲୋକ ପାଣିରେ ପଶି ଯିବା ଆସିବା କରୁଛନ୍ତି। କିନ୍ତୁ ସେମାନଙ୍କ ଜୀବନଯାତ୍ରା ସ୍ବାଭାବିକ ହୋଇନାହିଁ। ବିଶେଷକରି ପିଇବା ପାଣି ଓ ବିଦ୍ୟୁତ୍ ମିଳୁନଥିବାରୁ ଶହଶହ ପରିବାର ବଡ଼ ହନ୍ତସନ୍ତ ହେଉଛନ୍ତି। ପାଖରେ ପଇସା ଥିଲେ ବି ପିଇବା ପାଣି କିଣିବାକୁ ମିଳୁନି। ପୂର୍ବରୁ ୪୦ଟଙ୍କାରେ ବିକ୍ରି ହେଉଥିବା ପାଣି ଜାର୍‌କୁ ୧୦୦ଟଙ୍କା ପଡ଼ୁଛି। ତେଣୁ ଯେଉଁଠି ପିଇବା ପାଇଁ ପାଣି କିଣିବାକୁ ଯାଇ ଲୋକେ ଏଭଳି ହୀନସ୍ତା ହେଉଛନ୍ତି, ସେଠି କିଣିକି ଖାଦ୍ୟ ଖାଇବା କେତେ ମହଙ୍ଗା ହେଉଥିବ, ସହଜରେ ଅନୁମେୟ। ଆଜି ପ୍ରଧାନସାହି ପଞ୍ଚାୟତକୁ ଉପଜିଲ୍ଲାପାଳ ଦେବବ୍ରତ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ଅନ୍ୟାନ୍ୟ ଅଧିକାରୀମାନଙ୍କ ପରିଦର୍ଶନରେ ଯାଇଥିଲେ। କିଛି କିଛି ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ତେବେ ପାଣି କମିଥିବାରୁ ସ୍ଥାନୀୟ ଲୋକେ ତୁରନ୍ତ ପୁନଃ ବିଦ୍ୟୁତ୍ ସଂଯୋଗ କରିବାକୁ ଦାବି କରିଥିଲେ। ତେଣୁ କିଛି କିଛି କଲୋନିକୁ ଆଜି ବିଦ୍ୟୁତ୍ ସଂଯୋଗ କରାଯାଇଛି। ଯେଉଁଠି ଟ୍ରାନ୍‌ସଫର୍ମରରୁ ବନ୍ୟା ପାଣି ଛାଡ଼ିଯାଇଛି, ସେହି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ କରାଯାଉଛି। ସେହିଭଳି ଯାତାୟାତ ପାଇଁ ଆଉ ସେଠାରେ ବୋଟ୍‌ ଚାଲିବା ସମ୍ଭବ ହେଉନଥିବାରୁ ପ୍ରଶାସନ ପକ୍ଷରୁ ଦୁଇଟି ଟ୍ରାକ୍ଟର ଯୋଗାଇ ଦିଆଯାଇଛି।

ନାଳ, ଜୋରରୁ ଜବରଦଖଲ ଉଚ୍ଛେଦ ଦାବି
ଆଜି ସ୍ଥାନୀୟ ଲୋକେ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଅନୁରୋଧ କରିଥିଲେ। ପ୍ରାକୃତିକ ନାଳ, ଜୋର ଓ କେନାଲଗୁଡ଼ିକ ଜବରଦଖଲ ହୋଇଥିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜୁଛି ବୋଲି ଅଭିଯୋଗ କରିଥିଲେ। ଜଳ ନିଷ୍କାସନ ପାଇଁ ପୂର୍ବରୁ ଥିବା ନୟନଯୋରୀ ଓ କେନାଲଗୁଡ଼ିକରୁ ଜବରଦଖଲ ହଟିଲେ, କିଛି ମାତ୍ରାରେ ବନ୍ୟା ସ୍ଥିତିକୁ ନିୟନ୍ତ୍ରଣ କରିହେବ ବୋଲି ଦାବି କରିଥିଲେ। ପ୍ରଧାନସାହି ପଞ୍ଚାୟତ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ରାସ୍ତାଘାଟ ବୁଡ଼ିଯାଉଛି। ଗାଁ ରାସ୍ତା କଡ଼ରେ ଥିବା ଜଳସେଚନ ବିଭାଗର ନୟନଯୋରୀକୁ ପୋତି ତାହା ଉପରେ ଦୋକାନ ବଜାର କରାଯାଇଛି। ଅଭିଯୋଗ ଶୁଣିବା ପରେ ଜବରଦଖଲ ଉଚ୍ଛେଦ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର