କିଟ୍‌ରେ ଅଭିନେତା ରାହୁଲ ବୋଷ ଓ ବୈଜ୍ଞାନିକ କୋଟା ହରିନାରାୟଣ

ଡାକ ଟିକଟ୍‌ ଉନ୍ମୋଚିତ

ଚନ୍ଦ୍ରଶେଖରପୁର : କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପଞ୍ଚଦଶ ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ଏକ ସ୍ମାରକୀ ଡାକଟିକଟ ଓ ଲଫାପା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ବଲିଉଡ୍‌ ଅଭିନେତା ତଥା ସମାଜସେବୀ ରାହୁଲ ବୋଷ, ବିଶିଷ୍ଟ ବୈଜ୍ଞାନିକ ଡ. କୋଟା ହରିନାରାୟଣ ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି ପ୍ରଫେସର କାଖା ସେଙ୍ଗେଲିଆ, ଓଡ଼ିଶା ସର୍କଲ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍‌ ଡ. ସନ୍ତୋଷ କୁମାର କାମିଲା, ପୋଷ୍ଟାଲ୍‌ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଗୁପ୍ତା ପ୍ରମୁଖ ଅତିଥି ଭାବେ ଯୋଗଦେଇ, ମାତ୍ର ୧୫ବର୍ଷ ମଧ୍ୟରେ ଏକ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ବିରଳ ବୋଲି ମତ ପ୍ରକାଶ କରିଥିଲେ। ଆଜି ଏଠାରେ ବିଭିନ୍ନ ଦେଶର ଛାତ୍ରଛାତ୍ରୀ ବୈଷୟିକ ଓ ବୃତ୍ତିଗତ ଶିକ୍ଷାଲାଭ କରୁଥିବା ଅତିଥିମାନେ ପ୍ରକାଶ କରିଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଆଜି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସମଗ୍ର ଦେଶରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଗଣିତ ହେଉଛି।

ଏହି ଅବସରରେ କିଟ୍‌ର ରୌପ୍ୟ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ଏକ ସ୍ମାରକୀ ଡାକଟିକଟ ଓ ଲଫାପା ଉନ୍ମୋଚିତ ହୋଇଥିଲା। ମଧ୍ୟପ୍ରଦେଶସ୍ଥିତ ହିମାକ୍ଷର ଫାଉଣ୍ଡେସନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଶିକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର