ସରକାରୀ ‌ୱେବସାଇଟରୁ ହଟିଲା ନେତାଙ୍କ ଫଟୋ, ୧୫୦ ହୋର୍ଡିଂ ବି ଉଚ୍ଛେଦ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ଘଣ୍ଟା ମଧ୍ୟରେ ଆଜି ରାଜ୍ୟ ସରକାରଙ୍କ ସମସ୍ତ ୱେବସାଇଟରୁ ନେତା, ମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି। କେତେକ ୱେବସାଇଟରେ କେବଳ ବିଭାଗୀୟ ସଚିବ ଓ ମୁଖ୍ୟଙ୍କ ଫଟୋ ଥିବାବେଳେ କେତେକ ୱେବସାଇଟରେ କାହା ଫଟୋ ନାହିଁ।

ସେହିପରି ବିଏମ୍‌ସି ପକ୍ଷରୁ ଆଜି ୧୫୦ଟି ହୋର୍ଡିଂ ଓ ୫୦୦ କିଓସ୍କ ଉଚ୍ଛେଦ କରାଯାଇଛି। ଏଥିରେ ବିଭିନ୍ନ ସରକାରୀ ଯୋଜନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗିଥିବା ହୋର୍ଡିଂ, ବ୍ୟାନର, ପୋଷ୍ଟର ଆଦିକୁ କାଢ଼ି ଦିଆଯାଇଛି। ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୮ଟି ସ୍କ୍ବାଡ୍‌ ଆଜି ଏହି ଉଚ୍ଛେଦ କରିଛନ୍ତି। ବେଆଇନ ଭାବେ ଲାଗିଥିବା ସମସ୍ତ ଦଳୀୟ ପୋଷ୍ଟର, ହୋର୍ଡିଂ ଓ ବ୍ୟାନର୍‌କୁ ବି କାଢ଼ି ଦିଆଯାଇଛି। ଅପରପକ୍ଷେ ଯେଉଁମାନେ ନିଲାମ ନେଇଥିବା ବିଜ୍ଞାପନ ସଂସ୍ଥାଙ୍କ ସ୍ଥାନରେ ହୋର୍ଡିଂ ଓ ବ୍ୟାନର୍‌ ଲଗାଇଛନ୍ତି ତାହାକୁ କଢ଼ା ଯାଇନି। କେବଳ ଏଠାରେ ଲାଗିଥିବା ନେତାଙ୍କ ଫଟୋ ଥିବା ସରକାରୀ ବିଜ୍ଞାପନକୁ କାଢ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର