ରାସ୍ତାରୁ ଟେକି ନେଇ ବେକ କାଟିଦେଲେ

ପୁରୁଣା ଭୁବନେଶ୍ୱର : ଭୋଜିଖାଇ ଘରକୁ ଫେରୁଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ରାସ୍ତାରୁ ଟେକି ନେଇ ଛୁରିରେ ବେକ କାଟି ଦେଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ଛାଟିପିଟି ହେଉଥିବା ବେଳେ ଖବରପାଇ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରିଛନ୍ତି। ପରିବାର ଲୋକ ଏ ନେଇ ଏୟାରଫିଲ୍‌ଡ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଏୟାରଫିଲ୍‌ଡ ଥାନା ଅଧୀନ ପଞ୍ଚୁପଲ୍ଲୀ ଗ୍ରାମର ପ୍ରେମାନନ୍ଦ ଭାରିମଲ୍ଲ ରବିବାର ରାତିରେ ଜମୁକୋଳି ଗ୍ରାମକୁ ଭୋଜି ଖାଇବାକୁ ଯାଇଥିଲେ। ସେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜାମୁକୋଳି ଗ୍ରାମର କିଛି ଯୁବକ ତାଙ୍କୁ ଅଟକାଇବା ସହିତ ମାଡ଼ ମାରିଥିଲେ। ପରେ ସେଠାରୁ ଜାମୁକୋଳି ଶ୍ମଶାନ ମୁଣ୍ଡିଆ ରାସ୍ତା ନିକଟକୁ ନେଇଯାଇଥିଲେ। ସେଠାରେ ଏକ ଛୁରିରେ ତାଙ୍କ ବେକକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପ୍ରେମାନନ୍ଦ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ପଞ୍ଚୁପଲ୍ଲୀ ଗ୍ରାମ ସହ ଜାମୁକୋଳି ଗ୍ରାମର ଯୁବକମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ପ୍ରେମାନନ୍ଦ ଏଥିରେ ସାମିଲ ହୋଇ ନଥିଲେ ମଧ୍ୟ ତାଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର