ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି : ବଢ଼ିବ ହୋଟେଲ ଭିତ୍ତିଭୂମି

ଷ୍ଟାର୍‌ ବର୍ଗରେ ସାମିଲ ହେବାକୁ ପରାମର୍ଶ
ସ୍ୱାସ୍ଥ୍ୟକର ଖାଦ୍ୟ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଆୟୋଜିତ ହେବ ହକି ବିଶ୍ୱକପ୍‌। ଏଥିପାଇଁ ସବୁସ୍ତରରେ ପ୍ରସ୍ତୁତି ଚାଲିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଖେଳାଳିଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ରହିବା ପର୍ଯ୍ୟନ୍ତ, ଯେପରି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ବାହାର ଦେଶର ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ଭୁବନେଶ୍ୱର, କଟକ ଓ ପୁରୀରେ ଥିବା ହୋଟେଲଗୁଡ଼ିକର ଭିତ୍ତିଭୂମି ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଅନେକ ହୋଟେଲ ଷ୍ଟାର୍‌ବର୍ଗ ମାନ୍ୟତା ପାଇବାକୁ ଯୋଗ୍ୟତା ରହିଥିଲେ ମଧ୍ୟ ସେମାନେ ଆଜି ପର୍ଯ୍ୟନ୍ତ ଷ୍ଟାର୍‌ ମାନ୍ୟତା ହାସଲ କରି ପାରି ନାହାନ୍ତି। ତେଣୁ ଆସନ୍ତା ୩ ମାସ ମଧ୍ୟରେ ହୋଟେଲଗୁଡ଼ିକ ଷ୍ଟାର୍‌ବର୍ଗରେ ସାମିଲ ହେବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ, ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସଜାଡ଼ିବା ଲାଗି ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା ଆଜି ହୋଟେଲଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ହକି ବିଶ୍ୱକପ୍‌ରେ ଭାଗ ନେବାକୁ ଥିବା ୧୬ଟି ଦେଶର ଖେଳାଳିଙ୍କ ସମେତ ଅଧିକାରୀ, ସମର୍ଥକଙ୍କୁ ମିଶାଇ ୧୫ ହଜାରରୁ ଅଧିକ ଲୋକ ଆସିବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କ ରହିବା ଲାଗି ପର୍ଯ୍ୟାପ୍ତ ହୋଟେଲ ରୁମ୍‌ର ଆବଶ୍ୟକତା ଅଛି। ତାହାକୁ ନଜରରେ ରଖିଲେ, ଏବେ ସୁଦ୍ଧା ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫୬ ହୋଟେଲରେ ୮ ହଜାର ରୁମ୍‌ ଚିହ୍ନଟ ହୋଇଛି। ଅନ୍‌ଲାଇନ୍‌ ବୁକିଂ ବି ଆରମ୍ଭ ହୋଇଛି। ହକି ଫେଡେରେସନ୍‌କୁ ବି ତଥ୍ୟ ଦିଆଯାଇଥିବା ନେଇ ପର୍ଯ୍ୟଟନ ସଚିବ ଶ୍ରୀମତୀ ଶର୍ମା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ହକି ବିଶ୍ୱକପ୍‌ ୧୫ ଦିନ ପୂର୍ବରୁ ଦର୍ଶକଙ୍କ ଆଗମନ ହେବ। ତାହାକୁ ଦୃଷ୍ଟିରେ ରଖି ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ। ନଭେମ୍ବର ପ୍ରଥମ ସପ୍ତାହରୁ ଡିସେମ୍ବର ଶେଷ ସପ୍ତାହ ମଧ୍ୟରେ ୧୫ ହଜାର ଲୋକ ଆସିବାର ଆକଳନ କରାଯାଉଛି। ତାହାକୁ ଦୃଷ୍ଟିରେ ରଖି ପୁରୀ, କଟକ, ଭୁବନେଶ୍ୱରରେ ଥିବା ହୋଟେଲର ଭିତ୍ତିଭୂମି ବିକାଶ କରାଯିବାର ଆବଶ୍ୟକତା ରହିଛି।

ବିଦେଶୀମାନେ ଷ୍ଟାର୍‌ ହୋଟେଲରେ ରହିବାକୁ ପସନ୍ଦ କରିଥାନ୍ତି। ସେହି ଦୃଷ୍ଟିରୁ ଓଡ଼ିଶାର ଅନେକ ହୋଟେଲ ରହିଛି, ଯେଉଁମାନଙ୍କ ଷ୍ଟାର ମାନ୍ୟତା ପାଇବା ଲାଗି ଯୋଗ୍ୟତା ରହିଛି; କିନ୍ତୁ ସେମାନେ ଷ୍ଟାର ବର୍ଗର ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି। ତେଣୁ ଆଜି ହୋଟେଲ କର୍ତୃପକ୍ଷଙ୍କୁ ସଚେତନ କରାଯାଇଛି। ଯେଉଁମାନଙ୍କ ଭିତ୍ତିଭୂମି ରହିଛି, ସେମାନଙ୍କୁ ଅନୁମତି ଦେବାରେ କୌଣସି ବି ବାଧା ଉପୁଜିବ ନାହିଁ। କିନ୍ତୁ ଯେଉଁମାନଙ୍କର ଭିତ୍ତିଭୂମି ନାହିଁ, ସେମାନଙ୍କୁ ଏଥିପ୍ର୍ରତି ଗୁରୁତ୍ୱ ଦେବାକୁ ହେବ। ୨ରୁ ୩ମାସ ମଧ୍ୟରେ ଭିତ୍ତିଭୂମି ସୁଦୃଢ଼ କରି ସେମାନେ ଷ୍ଟାର୍‌ ମାନ୍ୟତା ଲାଗି ଆବେଦନ କରିପାରିବେ। ରାଜ୍ୟସ୍ତରୀୟ କମିଟି ହୋଟେଲଗୁଡ଼ିକୁ ମାନ୍ୟତା ପ୍ରଦାନ କରୁଥିବାରୁ କୌଣସି ଅସୁବିଧା ହେବ ନାହିଁ ବୋଲି ଭୁବନେଶ୍ୱରର ହୋଟେଲ୍‌ ସ୍ୱସ୍ତି ଗ୍ରାଣ୍ଟରେ ଅନୁଷ୍ଠିତ ଏକ କର୍ମଶାଳାରେ ଶ୍ରୀମତୀ ଶର୍ମା କହିଛନ୍ତି। ଏହି କର୍ମଶାଳାରେ ପର୍ଯ୍ୟଟନ ବିଭାଗ ନିର୍ଦେଶକ ନିତୀନ ଜଓ୍ଵାଲେ, ହାରୋର ଅଧ୍ୟକ୍ଷ ଜେକେ ମହାନ୍ତିଙ୍କ ସମେତ ପର୍ଯ୍ୟଟନ ବିଭାଗ ଓ ହାରୋର ସଦସ୍ୟମାନେ ମତ ଉପସ୍ଥାପନ କରିଥିଲେ।

ସ୍ୱତନ୍ତ୍ର ପ୍ୟାକେଜ୍‌ ଉପରେ ଗୁରୁତ୍ୱ

ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ହୋଟେଲଗୁଡ଼ିକ ସ୍ୱତନ୍ତ୍ର ପ୍ୟାକେଜ୍‌ ଓ ଟୁର୍‌ ବ୍ୟବସ୍ଥା କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁ ଅତିଥିମାନେ ଓଡ଼ିଶା ଆସିବେ, ସେମାନଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ନେବା ଲାଗି ସ୍ୱତନ୍ତ୍ର ଟୁର ପ୍ୟାକେଜ୍‌ କରିବାକୁ କୁହାଯାଇଛି। ଭୁବନେଶ୍ୱରରେ ଥିବା ମ୍ୟୁଜିୟମ୍‌ଗୁଡ଼ିକ ଲାଗି ପ୍ୟାକେଜ୍‌ କରାଯିବା ଆବଶ୍ୟକ। ଖଣ୍ଡଗିରି-ଉଦୟଗିରି, ନନ୍ଦନକାନନ, ଚଉଷଠି ଯୋଗିନୀ, ଶିଶୁପାଳଗଡ଼, ଧଉଳି ପରି ପର୍ଯ୍ୟଟନସ୍ଥଳୀକୁ ପ୍ୟାକେଜ୍‌ରେ ସାମିଲ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ପୁରୀ, ଯାଜପୁର, କଟକରେ ଥିବା ହସ୍ତଶିଳ୍ପ ଗ୍ରାମରେ ପର୍ଯ୍ୟଟକମାନେ କିଭଳି ବୁଲିପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ଟୁର୍‌ ଗାଇଡ୍‌ଙ୍କୁ ତାଲିମ ଦିଅ

ଅତିଥିମାନଙ୍କୁ ପର୍ଯ୍ୟଟନସ୍ଥଳୀକୁ ବୁଲାଇ ନେବା ଲାଗି ଦକ୍ଷ ଟୁର ଗାଇଡ୍‌ଙ୍କର ଆବଶ୍ୟକତା ରହିଛି। କିନ୍ତୁ ଏବେ ଯେଉଁମାନେ ଅଛନ୍ତି ଉପଯୁକ୍ତ ତାଲିମ ନେଇନାହାନ୍ତି। ଆଆଇଟିଟିଏମ୍‌ ସହାୟତାରେ ସ୍ୱତନ୍ତ୍ର ଭାବେ ଗାଇଡ୍‌ମାନଙ୍କୁ ତାଲିମ ଦିଆଯାଉଛି। ହୋଟେଲ ଓ ଟୁର ଅପରେଟରମାନେ ସ୍ୱତନ୍ତ୍ର ଗାଇଡ୍‌ ନିୟୋଜିତ କରିବା, ସେମାନଙ୍କୁ ତାଲିମ ଦେବା ଦିଗରେ ପଦକ୍ଷେପ ନେବାକୁ ସଚିବ ଶ୍ରୀମତୀ ଶର୍ମା ପରାମର୍ଶ ଦେଇଛନ୍ତି।

ଅଗ୍ନିଶମ ସାର୍ଟିଫିକେଟ୍‌ ଚିନ୍ତା

ଅନେକ ହୋଟେଲ ଆଜି ପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିନାହାନ୍ତି। ଯେଉଁଥିପାଇଁ ସାର୍ଟିଫିକେଟ୍‌ ହାସଲ କରିପାରୁ ନ ଥିବା ଜଣାପଡ଼ିଛି। ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। କିନ୍ତୁ ହୋଟେଲଗୁଡ଼ିକ ମଧ୍ୟ ଅଗ୍ନିଶମ ଗାଇଡ୍‌ଲାଇନ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଦାବି ହେଉଛି ଯେ ଗାଇଡ୍‌ଲାଇନ୍‌ରେ ସଂଶୋଧନ କରାଯାଉ। ଏବେ ଯେଉଁ ଆଇନ ରହିଛି, ତାହା ରହିଲେ ଅନୁମତି ମିଳିବା କଷ୍ଟକର ହୋଇପଡ଼ୁଛି। ପର୍ଯ୍ୟଟନ ସଚିବ ଶ୍ରୀମତୀ ଶର୍ମା କହିଛନ୍ତି ଯେ ଏନେଇ ଗୃହ ବିଭାଗ ସହ ଆଲୋଚନା ହୋଇଛି। ସଂଶୋଧନ କରାଯିବ।

ସମ୍ବନ୍ଧିତ ଖବର