ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସମସ୍ୟା, ମନ୍ଦିର ପ୍ରଶାସନ ତତ୍ପର

ପୁରୁଣା ଭୁବନେଶ୍ୱର: ମହାଶିବରାତ୍ରିକୁ ୩ ସପ୍ତାହରୁ କମ୍‌ ସମୟ ଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଘେରି ରହିଥିବା ବିଭିନ୍ନ ସମସ୍ୟା ସଂପର୍କିତ ଖବର ଆଜି ‘ସମ୍ବାଦ’‌ରେ ପ୍ରକାଶିତ ହେବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ବିଭିନ୍ନ ବିଭାଗ ସହ ଆଲୋଚନା କରିଛି। ଏହାସହ ଜାଗର ପୂର୍ବରୁ ସବୁ ସମସ୍ୟାର ସମାଧାନ କରିବାକୁ ପତ୍ର ମଧ୍ୟ ଲେଖାଯାଇଛି। ସୂଚନା ଅନୁଯାୟୀ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଅପରାହ୍‌ଣରେ ଏଏସ୍ଆଇ ଓ ବିଏମ୍‌ସି ଅଧିକାରୀଙ୍କୁ ଡକାଇ ବିଭିନ୍ନ ସେବାୟତଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ମେଘନାଦ ପାଚେରି କଡ଼ରେ ଚାଲିଥିବା କାମ ଶୀଘ୍ର ସାରିବାକୁ କୁହାଯାଇଛି। ନଚେତ୍‌ ଟ୍ରଷ୍ଟ ବୋର୍ଡରେ ଅନୁମୋଦନକ୍ରମେ ଉକ୍ତ ମରଣଯନ୍ତା ଖାଲକୁ ପୋତି ଦିଆଯିବ ବୋଲି ଟ୍ରଷ୍ଟ ବୋର୍ଡର ସଭ୍ୟ କହିଛନ୍ତି। ସେହିପରି ଅନ୍ୟାନ୍ୟ ସମସ୍ୟା ପାଇଁ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି ବୋଲି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଶନିବାର ଉତ୍ତରଦ୍ବାର ପଟେ ଯିବେ ଶ୍ରଦ୍ଧାଳୁ
ଆସନ୍ତା ଶନିବାର ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ବରଗଛ ଡାଳକୁ କଟାଯିବ। ଏଥିପାଇଁ ସିଂହଦ୍ବାର ରାସ୍ତାରେ ଶନିବାର ପୁର୍ବାହ୍ନ ୧୦ରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ। ନୂଆ ରାସ୍ତା ମଧ୍ୟ ଦେଇ ଲୋକ ଯିବା ଆସିବା କରିବା ପାଇଁ ସୂଚନା ଦିଆଯାଇଛି। ଆଜି ମନ୍ଦିର ପ୍ରଶାସନ ବୈଠକରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀଙ୍କୁ କୁହାଯାଇଛି। ସେହିପରି ସେଠାରେ ବସୁଥିବା ଭିକ୍ଷୁକମାନେ ହଟିବା ସହ ଅସ୍ଥାୟୀ ଦୋକାନକୁ ସେହି ସମୟ ପାଇଁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି। ଏହି ସମୟରେ ମନ୍ଦିରକୁ ଉତ୍ତରଦ୍ବାର ମଧ୍ୟ ଦେଇ ଯିବା ଆସିବା କରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍‌ କରାଯାଇଛି।

ସମ୍ବନ୍ଧିତ ଖବର