ରିମାଣ୍ଡରେ ଆସିବ ମୂର୍ତି ଚୋର

ଭୁବନେଶ୍ୱର: ବିରଳ ଅଷ୍ଟଧାତୁ ମୂର୍ତି ଚାଲାଣ ମାମଲାରେ ଜେଲ୍‌ ଯାଇଥିବା ଖଣ୍ଡଗିରି ଥାନା ଅଧୀନ ଯଦୁପୁର ଗ୍ରାମର ସୟିଦ୍‌ ଜିଲ୍‌ନୁଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍‌(ସ୍ପେସାଲ ଟାସ୍କ ଫୋର୍ସ)। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରିମାଣ୍ଡରେ ଆସିବା ପରେ ତା’ଠାରୁ ଆହୁରି ଅଧିକ ତଥ୍ୟ ଏହି ଚାଲାଣ ବାବଦରେ ମିଳିବ ବୋଲି ଏସ୍‌ଟିଏଫ୍‌ ଆଶା କରିଛି। ବିରଳ ତଥା ମୂଲ୍ୟବାନ ମୂର୍ତ୍ତି ଜବତ କରାଯାଇ ଥିଲେ ମଧ୍ୟ ଏହା କେଉଁଠୁ ଆସିଥିଲା, କିଏ କିଏ ତା ସହିତ ଅଛନ୍ତି, ଚେର କେତେ ବାଟ ଲମ୍ବିଛି ତାହା ଏସ୍‌ଟିଏଫ୍‌ ଜାଣି ପାରିନାହିଁ। ଏଣୁ ଏହି ଗିରଫ ପଛରେ କେତେକ ନିର୍ଦ୍ଦିଷ୍ଟ କାରଣ ଥାଇ ପାରେ ବୋଲି ଆଶଙ୍କା କରାଯାଉଛି। ଏସ୍‌ଟିଏଫ୍ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଉନ ଥିବାରୁ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାରୁ ନେପାଳ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ଏସ୍‌ଟିଏଫ୍‌ ସୂଚନା ଦେଇଥିଲେ ମଧ୍ୟ କିଭଳି ଧରିଲା ସେ ନେଇ କୌଣସି ସୂଚନା ଦିଆଯାଇ ନଥିଲା। ଜବତ ମୂର୍ତିଗୁଡ଼ିକ ମଧ୍ୟରୁ ଗୋଟିକର ଓଜନ ୧୮ କେଜି ୪୪୦ ଗ୍ରାମ୍‌ ହୋଇଥିବା ବେ‌ଳେ ଅନ୍ୟଟିର ୧୨ କେଜି ୬୦ ଗ୍ରାମ୍‌ ରହିଥିଲା। ମୂର୍ତିଗୁଡ଼ିକ କେଉଁ ମନ୍ଦିରର ବା କେଉଁଠୁ ଆସିଛି ତାହା ଜଣାପଡ଼ି ନାହିଁ। ଏହା ଜାଣିବା ପାଇଁ ଏସ୍‌ଟିଏଫ୍‌ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ)କୁ ଚିଠି ଲେଖିଥିଲା। ଉଭୟ ମୂର୍ତ୍ତିରେ ଖୋଦେଇ ହୋଇ ୧୨୫୪ ଖ୍ରୀଷ୍ଟାବ୍ଦ ଲେଖା ଯାଇଥିଲା।

ସମ୍ବନ୍ଧିତ ଖବର