ସହିଦନଗର- ବମିଖାଲ ଓଭରବ୍ରିଜ୍‌ ଆରମ୍ଭରୁ ଅଡ଼ୁଆ

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେଲା। ସହିଦନଗର- ବମିଖାଲ ଓଭରବ୍ରିଜ୍‌ ଖୋଲିବା ପରେ ରାଜଧାନୀବାସୀଙ୍କ ସମସ୍ୟା ଯେତିକି ସମାଧାନ ହେଲାନି ତାହାଠାରୁ ଅଧିକ ଅଡ଼ୁଆ ସୃଷ୍ଟି ହୋଇଛି। ଓଭରବ୍ରିଜ୍ ଉପରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିବାବେଳେ ଟ୍ରାଫିକ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ହୋଇଯାଇଛି। ପୂର୍ତ୍ତ ବିଭାଗର ଭୁଲ୍ ଡିଜାଇନ୍ ଯୋଗୁଁ ଏବେ ଏହି ରେଲ୍‌ୱେ ଓଭରବ୍ରିଜ୍‌ ଲୋକଙ୍କ ସମସ୍ୟା ଦୂର କରିବା ବଦଳରେ ବଢ଼ାଇ ଦେଇଛି।

ଏହି ଓଭରବ୍ରିଜ୍‌ ୱାନ୍‌ ୱେ ଥିବାବେଳେ ଏଥିରେ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡ଼ ଦିଗକୁ ଯିବା ପାଇଁ ସୂଚନା ଫଳକ ଲାଗିଛି। କିନ୍ତୁ ଏହାକୁ ଲୋକ ମାନିବାକୁ ନାରାଜ। କାରଣ ସହିଦନଗରରୁ ବମିଖାଲ ଦିଗକୁ ଆସିବାକୁ ଥିବା ଲୋକଙ୍କୁ ଓଭରବ୍ରିଜ୍‌ ଉପରେ ଚଢ଼ିବା ପରେ ରସୁଲଗଡ଼ ଦିଗରେ ଯିବାକୁ ପଡ଼ୁଛି। ଏସ୍‌ପ୍ଲାନେଡ୍ ମଲ୍‌ ସମ୍ମୁଖରେ ଓହ୍ଲାଇ ୟୁଟର୍ଣ୍ଣ ନେଇ ପୁଣି ବ୍ରିଜ୍‌ ପାର୍ଶ୍ବରେ ବମିଖାଲ ବା କଳ୍ପନା ଦିଗରେ ଆସିବାକୁ ପଡ଼ୁଛି। ତେଣୁ ‌ସହିଦନଗରରୁ ବମିଖାଲ ଓ କଳ୍ପନା ଦିଗରେ ଆସୁଥିବା ଲୋକ ମଝି ବ୍ରିଜ୍‌ରେ ବାମକୁ ନବୁଲି ଡାହାଣ ପାର୍ଶ୍ବରେ ବମିଖାଲକୁ ଯାଉଛନ୍ତି। ଏଠାରେ ଏକ ଡିଭାଇଡର୍‌ ନିର୍ମାଣ ହୋଇଥିବାରୁ ବମିଖାଲ ପାର୍ଶ୍ବରୁ ଆସୁଥିବା ଗାଡ଼ି ଏବଂ ସହିଦନଗର ପାର୍ଶ୍ବରୁ ଆସୁଥିବା ଗାଡ଼ି ମୁହାଁମୁହିଁ ହେଉଥିବାରୁ ଭିଡ଼ ଜମୁଛି। ଅନୁରୂପ ଅବସ୍ଥା ସହିଦନଗରରୁ ରସୁଲଗଡ଼ ଦିଗକୁ ଆସୁଥିବା ଲୋକଙ୍କୁ ସାମ୍ନା କରିବାକୁ ପଡ଼ୁଛି। ଏସ୍‌ପ୍ଲାନେଡ୍ ମଲ୍‌ ସମ୍ମୁଖରୁ ଲୋକମାନେ ସହିଦନଗର ଏବଂ କଳ୍ପନା ଅଭିମୁଖେ ଯାଉଥିବାରୁ ମଝି ବ୍ରିଜ୍‌ରେ ବାମକୁ ବୁଲିବା ପାଇଁ ଅଟକି ଯାଉଥିବାରୁ ସହିଦନଗରରୁ ରସୁଲଗଡ଼ ଆସୁଥିବା ଲୋକ ଅଧା ରାସ୍ତା ଉପରେ ଅଟକିଯାଉଛନ୍ତି। ଯାହା ଏବେ ସାଂଘାତିକ ରୂପ ନେଲାଣି। ଆଜି ଓଭରବ୍ରିଜ୍‌ ଉପ‌େର ଅସମ୍ଭାଳ ଭିଡ଼ ପରିସ୍ଥିତି ସୃଷ୍ଟି ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ରିଜ୍‌ର ତିନି ମୁହଁରେ ଦୁଇ ଜଣ ଲେଖାଏଁ ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ମୁତୟନ କରାଯାଇଥିଲା। ହେଲେ ଏହି ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ମାନିବାକୁ କେହି ରାଜି ନଥିଲେ। ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏବେ ରାଜଧାନୀବାସୀ ଦହଗଞ୍ଜ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କଲେଣି। ଓଭରବ୍ରିଜ୍‌ ଉପରେ ଯାତାୟାତ କରୁଥିବା ଲୋକ କହିଛନ୍ତି ଯେ, ଏହି ଓଭରବ୍ରିଜ୍‌ ଓସାରିଆ ହୋଇଥିଲେ ବି ଏହାକୁ ୱାନ୍‌ ୱେ କରିଦିଆଯାଇଛି। ଏପରିକି ବ୍ରିଜ୍‌ ଉପରେ ଯେଉଁ ଡିଭାଇଡର୍‌ କରାଯାଇଛି ତାହା ଭୁଲ୍‌ ସ୍ଥାନରେ ଓ ଭୁଲ୍‌ ଡିଜାଇନ୍‌ରେ ନିର୍ମାଣ କରାଯାଇଛି। ଏବେ ଡିଭାଇଡର୍‌ ରସୁଲଗଡ଼ ଓ ବମିଖାଲ ପାର୍ଶ୍ବକୁ ଅଲଗା କରୁଛି। ଏହା ସହିଦନଗର ପାର୍ଶ୍ବକୁ ମୁହଁ କରି ନିର୍ମାଣ ହୋଇଛି। ଏହି ଡିଭାଇଡର୍‌ ଯଦି ରସୁଲଗଡ଼ରୁ ବମିଖାଲ ଦିଗକୁ ନିର୍ମାଣ କରାଯିବ ତେବେ କିଛି ସମସ୍ୟା ଉପୁଯିବନି। ତିନି ଦିଗରୁ ଲୋକ ଯିବା ଆସିବା କରିପାରିବେ ଏବଂ ଭିଡ଼ ନିୟନ୍ତ୍ରଣ ହେବ।

ସମ୍ବନ୍ଧିତ ଖବର