ପୁଲିସର ତଦନ୍ତ ବିରୋଧରେ ବିକ୍ଷୋଭ, ଶବ ରଖି ଥାନା‌ ଘେରିଲେ ଗ୍ରାମବାସୀ

ଭୁବନେଶ୍ବର: ଗତକାଲି ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଆଜି ତମାଣ୍ଡୋ ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାରବର୍ଗଙ୍କ ସହ ଗ୍ରାମବାସୀ ଶବ ରଖି ଥାନା ଘେରାଉ କରିଥିଲେ। ଯୁବକଙ୍କୁ କାମରେ ଲଗାଇଥିବା ମାଲିକ ହତ୍ୟା କରିଛନ୍ତି ଓ ତାଙ୍କୁ ଗିରଫ କରାଯାଉ ବୋଲି ସେମାନେ ଜିଦ୍‌ ଧରିଥିଲେ। ପୁଲିସ୍‌ ଲାଞ୍ଚ ଖାଇ ଅପମୃତ୍ୟୁ ମାମଲା କରି ଦେଇଛି। ତେଣୁ ତୁରନ୍ତ ହତ୍ୟା ମାମଲା ରୁଜୁ କରୁ ବୋଲି ସେମାନେ ଦାବି କରିଥିଲେ। ଘଟଣାସ୍ଥଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପହଞ୍ଚି ବିକ୍ଷୋଭକାରୀଙ୍କୁ ସମର୍ଥନ ଜଣାଇଥିଲେ। ଏହି ଘଟଣା ପଛରେ କିଛି ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ କରିବା ସହ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଥିଲେ। ଖବର ପାଇ ଜୋନ୍‌-୩ ଏସିପି ପ୍ରାଣବନ୍ଧୁ ରାଉତ ପହଞ୍ଚି ଧାରଣାରତ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ ହେବା ସହ ଆବଶ୍ୟକ ପଡ଼ିଲେ ମାମଲା ହତ୍ୟାକୁ ପରିବର୍ତ୍ତିତ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ହଟିଥିଲେ।

ଅଭିଯୋଗ ମୁତାବକ, ଜଟଣୀ ଥାନା ତରାବୋଇର ସନାତନ ମିଶ୍ର ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ଯୀଶୁ ପଟ୍ଟନାୟକଙ୍କ ଘରେ ଦୀର୍ଘ ୧୦ ବର୍ଷ ଧରି କାମ କରୁଥିଲେ। ମାଲିକଙ୍କ ସହ ମନାନ୍ତର ଯୋଗୁଁ ସେ କାମକୁ ଆସୁ ନଥିଲେ। ସପ୍ତାହ ତଳେ ମାଲିକ ତାଙ୍କୁ ପୁଣି କାମ କରିବାକୁ ଡାକିଥିଲେ। ଶନିବାର ସନାତନ କାମ କରିବାକୁ ଆସିଥିଲେ। ହେଲେ କିଛି ସମୟ ପରେ ଘରର ଛାତ ଉପରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଯୀଶୁଙ୍କ ପରିବାରଲୋକ ମୃତ ସନାତନଙ୍କ ଭାଇ ଉମେଶଙ୍କୁ ଖବର ଦେଇଥିଲେ। ତମାଣ୍ଡୋ ଥାନା ପୁଲିସ ମୃତଦେହକୁ ଜବତ କରିଥିଲା। ସନାତନଙ୍କୁ ପିଟି ପିଟି ହତ୍ୟା କରିବା ପରେ ଟାଙ୍ଗି ଦିଆଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଫଳରେ ଆଜି ପରିବାରବର୍ଗ ଶବ ରଖି ଥାନା ଘେରାଉ କରିଥିଲେ। ଅନ୍ୟପଟେ ସନାତନ ଆତ୍ମହତ୍ୟା କରିଥିବା ଯୀଶୁଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର