ଟଙ୍କପାଣି ରୋଡ୍‌ର ନାମ ପରିବର୍ତ୍ତନ ବିରୋଧରେ ବିକ୍ଷୋଭ

ଭୁବନେଶ୍ବର: ରବି ଟକିଜ୍‌ ଛକରୁ ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଟଙ୍କପାଣି ରୋଡ୍‌ର ନାମ ବଦଳାଇ ସହିଦ ଦିବାକର ମାର୍ଗ କରାଯାଇଛି। କିନ୍ତୁ ରାଜଧାନୀର ଏହି ପୁରାତନ ରାସ୍ତାର ନାମ ପରିବର୍ତ୍ତନକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ତେଣୁ ଆଜି ରବି ଟକିଜ୍‌ ରାସ୍ତାରେ ଚିଲ୍ଲି ପୋଖରୀ ନିକଟ ଦୟା ୱେଷ୍ଟ୍‌ କେନାଲ ବ୍ରିଜ୍‌ ଉପରେ ବିକ୍ଷୋଭକାରୀମାନେ ଏକ ପ୍ରତିବାଦ ସଭା କରିଥିଲେ। ରାଜ୍ୟ ସରକାର ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଟଙ୍କପାଣି ରୋଡ୍‌ ନାମକୁ ବଜାୟ ନ ରଖିଲେ, ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କହି ନାରାବାଜି କରିଥିଲେ। ପୁଲିସ ବୁଝାସୁଝା କରିବା ସହ ୭ ଦିନ ଭିତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ ହୋଇଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଟଙ୍କପାଣି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ଟଙ୍କପାଣିଙ୍କ ନାମ ଅନୁସାରେ ଏହି ରାସ୍ତାର ନାମ ରହି ଆସିଅଛି। ବ୍ରହ୍ମେଶ୍ବର ପାଟଣା, ବଡ଼ଗଡ଼, ବାସୁଆଘାଇ, ବାଙ୍କୁଆଳ ଆଦି ଅଞ୍ଚଳ ପାଇଁ ଏହି ଠାକୁରାଣୀଙ୍କ ମହିମା ରହିଛି। ତେଣୁ ରାସ୍ତା ନାଁରୁ ମା’ ଟଙ୍କପାଣିଙ୍କ ନାମ କାଟିବା ସ୍ଥାନୀୟ ଲୋକଙ୍କ ଭାବାବେଗ ଉପରେ କୁଠାରଘାତ ସଦୃଶ। ବିକ୍ଷୋଭକାରୀଙ୍କ କହିବା କଥା ଆମର ପାଇକ ବୀର ତଥା ସହିଦ ଦିବାକରଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି। ତେଣୁ ସରହର ଅନ୍ୟ କୌଣସି ରାସ୍ତାର ନାମକରଣରେ ତାଙ୍କ ନାମ ଯୋଡ଼ା ଯାଉ। ମାତ୍ର ଶହ ଶହ ବର୍ଷ ଧରି ମା’ ଟଙ୍କପାଣିଙ୍କ ନାମରେ ନାମିତ ରାସ୍ତାକୁ ନୂଆ ନାଁ ଦିଆନଯାଉ। ଟଙ୍କପାଣି ରୋଡ୍‌ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଗୋଲକ ଦାସଙ୍କ କହିବା ଅନୁସାରେ ମା’ ଟଙ୍କପାଣି ହେଉଛନ୍ତି ଏହି ଅଞ୍ଚଳର ଆରାଧ୍ୟଦେବୀ।

ବିପଦଆପଦରେ ଲୋକେ ତାଙ୍କ ନାମ ସ୍ମରଣ କରନ୍ତି। ଏହି ରାସ୍ତା ନାଁରୁ ମା’ଙ୍କ ନାମ କଟିବା ବେଶ୍ ବାଧୁଛି। ତେଣୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ କରାଯିବ। ଆଜିର ବିକ୍ଷୋଭ ପ୍ରଦର୍ଶନରେ ଜ୍ୟୋତିସ୍କର ପଟ୍ଟନାୟକ, ସଞ୍ଜୀବ କୁମାର କର, ପୁପୁନ୍ ଭଦ୍ର, ବିଶ୍ବନାଥ ପଣ୍ଡା, ତାପସ ଦାସ, ଲକ୍ଷ୍ମୀଧର ପଣ୍ଡାଙ୍କ ସମେତ ବ୍ରହ୍ମେଶ୍ବରପାଟଣା ଗ୍ରାମବାସୀ, ମା’ଟଙ୍କପାଣି ରୋଡ୍‌ ବ୍ୟବସାୟୀ ସଂଘ, ଟଙ୍କପାଣି ଗ୍ରାମବାସୀ, ଜଗନ୍ନାଥ କଲୋନି, ରାଜାରାଣୀ କଲୋନି, ରତ୍ନାକର ବାଗ୍‌ ଆଦି ଅଞ୍ଚଳର ଲୋକେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର