ଆଜିଠାରୁ ରାତି ୯ଟା ଯାଏ ଖୋଲା ରହିବ ରାଜାରାଣୀ ମନ୍ଦିର

ପୁରୁଣା ଭୁବନେଶ୍ୱର: ଦେଶର ୧୦ଟି ପ୍ରମୁଖ ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ଘୋଷଣା କରିଥିଲା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ। ଏହା ଆସନ୍ତାକାଲି ଅର୍ଥାତ ବୁଧବାରଠାରୁ କାର୍ଯ୍ୟକାରୀ କରାଯିବ। ଏଣିକି ପ୍ରସିଦ୍ଧ ରାଜାରାଣୀ ମନ୍ଦିର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଏଏସ୍ଆଇର ଓଡ଼ିଶା ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ କହିଛନ୍ତି। ଶ୍ରୀ ମଲ୍ଲିକଙ୍କ ସୂଚନା ଅନୁଯାୟୀ ଦେଶର ୧୦ କୀର୍ତ୍ତିରାଜି ମଧ୍ୟରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର ରହିଛି। ଏକାଦଶ ଶତାବ୍ଦୀରେ ନିର୍ମିତ ରାଜାରାଣୀ ମନ୍ଦିର ଏହି ତାଲିକାର ଶୀର୍ଷରେ ରହିଛି। ଜନସାଧାରଣ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ନୂଆଦିଲ୍ଲୀଠାରେ କିଛି ମାସ ପୂର୍ବରୁ ଏହି ଘୋଷଣା କରିଥିଲେ। ପୂର୍ବରୁ ଏହି ଐତିହ୍ୟ ସ୍ଥଳୀଗୁଡ଼ିକ ସକାଳ ୯ଟାରୁ ଅପରାହ୍‌ଣ ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ତେବେ ରାଜାରାଣୀ ମନ୍ଦିର ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ଟି ଐତିହ୍ୟସ୍ଥଳୀରେ ବର୍ଦ୍ଧିତ ଭ୍ରମଣ ସମୟ ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉକିଛି ଐତିହ୍ୟ କୀର୍ତ୍ତିରାଜି ପାଇଁ ତାହା ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୦ କୀର୍ତ୍ତିରାଜି ମଧ୍ୟରେ ରାଜାରାଣୀ ମନ୍ଦିର, ମଧ୍ୟପ୍ରଦେଶ ଛତରପୁରସ୍ଥିତ ଖଜୁରାଓ ଦୁହ୍ଲାଦେଓ ମନ୍ଦିର, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧିସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲସ୍ଥିତ କୀର୍ତ୍ତିରାଜି, କର୍ଣ୍ଣାଟକ ବିଜୟପୁରାସ୍ଥିତ ଗୋଲ ଗମ୍ବୁଜ, ମହାରାଷ୍ଟ୍ର ଗଡ଼ଚିରୌଲି ଅନ୍ତର୍ଗତ ଛାମୁର୍ସି ମର୍କଣ୍ଡ ମନ୍ଦିରମାଳା, ଉତ୍ତରପ୍ରଦେଶ ବାରାଣସୀସ୍ଥିତ ବୈଧଶାଳା ମନମହଲ, ଗୁଜରାଟ ପଟନସ୍ଥିତ ରାଣୀ କି ଭାଓ ରହିଛି।

ସମ୍ବନ୍ଧିତ ଖବର