ରାଜଧାନୀ ଖଟି: କାହାଲିଆ କଲା ଚାଇନା କରୋନା

ସବୁଦିନ ଭଳି ଆଗୁଆ ବୁଲୁ ଚା’ ଦୋକାନ ଖଟିରେ ପହଞ୍ଚି ଯାଇଥିଲେ ବରିଷ୍ଠ ନାଗରିକ ମହେନ୍ଦ୍ର ଜେନା। ଜେନା ମଉସାଙ୍କୁ ଚା କପ୍‌ଟିଏ ବଢ଼ାଇ ଦେଉ ଦେଉ ଚା ଦୋକାନୀ ବୁଲୁ କହିଲା, ‘ଆଜ୍ଞା, ଆପଣ ଆଜି ଟିକିଏ ଅଧିକ ଆଗୁଆ ଆସି ଯାଇଛନ୍ତି।’ ଚା ଢ଼ୋକଟା ପିଉ ପିଉ ଜେନା ମଉସା କହିଲେ, କ’ଣ କରିବା ଭାରି ଡର ଲାଗିଲାଣି ଏ ନୂଆ ରୋଗ ନାଁ ଶୁଣି। ତେଣୁ ଘରେ ଏକା ଏକା ବସିବାକୁ ଭଲ ଲାଗିଲା ନାହିଁ, ଚାଲି ଆସିଲି।’ ତାଙ୍କ ପାଟିରୁ କଥା ସରିଛି କି ନାହିଁ ସେଠି ପହଞ୍ଚିଗଲେ ପ୍ରଫେସ୍। ମଉସାଙ୍କୁ ପ୍ରଣାମ କରି ବସି ପଡ଼ି‌ଲେ। ସେ ବସିଛନ୍ତି କି ନାହିଁ, କୋଉଠି ଥିଲେ ଶଙ୍କର ଆସି ହାଜର। ଜେନା ମଉସା କିଛି କହିବାକୁ ଯାଉଥିଲେ ତ ବଡ଼ ପାଟି କରି କିଛି ଦୂରରୁ ଡାକ ଛାଡ଼ିଲେ ବୁଲୁ।

ଟୁଲୁ କହିଲେ- ହେଇ ଦେଖିଲ ମଉସା ଆପଣ ଆସୁ ଆସୁ ସମସ୍ତେ ଆସି ହାଜର। ଆଉ ଆପଣଙ୍କର ଡର କ’ଣ!
ପ୍ରଫେସ କହିଲେ- କାହିଁକି କ’ଣ ହେଲା କି ମଉସା? ଡର କ’ଣ ପାଇଁ? ମୁରୁକି ହସି ଜେନା ମଉସା କହିଲେ- ନାଇଁ ମ, ଏଇ ଚାଇନା କରୋନା କଥା କହୁଥିଲି। ତାଙ୍କ ପାଟିରୁ କଥା ଛଡ଼େଇ ଟୁଲୁ କହିଲା- ବୁଝିଲେ ଆଜ୍ଞା ଏବେ ପରା ସାଙ୍ଗେ ସାଙ୍ଗେ ମୁଁ ବିମାନବନ୍ଦରରୁ ଫେରୁଛି। ସମସ୍ତେ କ’ଣ ମୁଖା ପିନ୍ଧି ବାହାରିଲେ। ମୁଁ ଅତର୍ଛିଆ ଆଜ୍ଞା। କାଳେ ମୋ‌ତେ ଡେଇଁବ ବୋଲି ମୁଁ ଛାଟିପିଟି ହୋଇ ପଳାଇ ଆସିଛି। ଟୁଲୁଙ୍କ କଥା ସରିଛି କି ନାହିଁ ଶଙ୍କର କହିଲେ- ଏଁ ଗୋଟେ ନ ପାଇଲା କଥା କହିଲା! କରୋନା ରୋଗ କ’ଣ କିଏ ପ୍ଲେନ୍‌ରେ ଲଦିକି ଆଣିଥିଲା ‌ଯେ ତୁମ ଉପରକୁ ଡେଇଁ ପଡ଼ୁଥିଲା। ସେ ରୋଗ ଚାଇନାରେ ହେଇଛି, ଆମର କ’ଣ ଅଛି?। ଜେନା ମଉସା କହିଲେ- ଆରେ ନାଇଁରେ ପିଲା! ଆମ ଭାରତକୁ ପରା ଡେଇଁ ସାରିଛି। ଯେଉଁମାନେ ଚୀନ୍‌ରେ ରହୁଛନ୍ତି, ସେମାନେ ଭାରତକୁ ଫେରିଛନ୍ତି ତ, ତାଙ୍କ ଦେହରେ ସେ ଭୂତାଣୁ ପଳାଇ ଆସିଛି ବୋଲି ଆଶଙ୍କା କରାଯାଉଛି। ‘ନାଇଁ ମ ମଉସା, ସେ ପୋକଜୋକ ଖିଆ ଚାଇନାବାଲାଙ୍କୁ ସେ ରୋଗ ହବ, ତାଙ୍କୁ କାହାଲିଆ କଲାଣି କରୋନା, ଆମକୁ ନୁହେଁ’- କହିଲେ ବୁଲୁ। ପ୍ରଫେସ କହିଲେ- ସେ କଥା ନୁହେଁ ଯେ ଏହା ଏକ ଭାଇରସ୍ ଜନିତ ରୋଗ। ତେଣୁ ଆମ ଦେଶରେ କିଛି ଲୋକଙ୍କୁ ହେଇଥିବ ବୋଲି ସନ୍ଦେହ କରି ବଡ଼ ବଡ଼ ହସ୍ପିଟାଲରେ ଯାଞ୍ଚ କରାଯାଉଛି। ଜେନା ମଉସା କହିଲେ- ତେବେ ଯେମିତି ବି ଥଣ୍ଡା କାଶ ହେଉଥିଲେ, ଏବେ ଆମକୁ ତୁରନ୍ତ ଡାକ୍ତରଙ୍କୁ ଦେଖା କରି ଔଷଧ ଖାଇବାକୁ ପଡ଼ିବ। ସବୁବେଳେ କଥାରେ ନଥା ପୂରାଉଥିବା ଟୁଲୁ କହିଲେ- ମୁଁ ଯାଉଛି ଗାଁକୁ। ଗୋମୂତ୍ର ସେବନ କରିଦେବି। ମୋତେ ଆଉ କରୋନା ଛୁଇଁ ପାରିବନି। ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ। ଜେନା ମଉସା କହିଲେ- ଟିକେ ଛିଞ୍ଚି ହୋଇପଡ଼ିବୁରେ ବାପା!
ଇନ୍‌ଫୋସିଟି କିସ୍ ଅଟୋଷ୍ଟାଣ୍ଡ ବୁଲୁ ଚା’ ଦୋକାନ ଖଟିରୁ ମଧୁ ବାରିକ

ସମ୍ବନ୍ଧିତ ଖବର