ରାଜୀବନଗର ଶିଶୁ ହତ୍ୟା ମାମଲା: ମା’ ସାଇରାମକୁ ତଣ୍ଟିଚିପି ମାରିଦେଲା !

ଭୁବନେଶ୍ବର: ଖଣ୍ଡଗିରି ରାଜୀବନଗରରେ ୪ ବର୍ଷର ଶିଶୁ ସାଇରାମ ହତ୍ୟା ମାମଲାରେ ଆଜି ନୂଆ ମୋଡ଼ ଆସିଛି। ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ଅଭିଯୁକ୍ତ ତନୁଶ୍ରୀ ପରମାଣିକଙ୍କ ୫ ବର୍ଷର ଶିଶୁକନ୍ୟାର ଆଜି ବୟାନ ରେକର୍ଡ କରାଯାଇଛି। ଉଭୟ ଖଣ୍ଡଗିରି ଥାନା ଓ ଭୁବନେଶ୍ୱର ଫାଷ୍ଟଟ୍ରାକ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଶିଶୁକନ୍ୟାର ବୟାନ ରେକର୍ଡ କରାଯାଇଛି। ବୟାନରେ ସେ କହିଛି ଯେ ତା’ ମା’ ସାଇରାମର ତଣ୍ଟିଚିପି ମାରି ଦେଇଛି। ତନୁଶ୍ରୀଙ୍କ ମୁଣ୍ଡଦୋଷ ଥିବା କହି ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୫ବର୍ଷୀୟା ଶିଶୁକନ୍ୟାର ଚାଞ୍ଚଲ୍ୟକର ବୟାନକୁ ପୁଲିସ ଗୁରୁତ୍ବର ସହ ନେଇଛି।

ଅନ୍ୟପଟେ ଘଟଣାକୁ ୧୨ଦିନ ବିତିଥିଲେ ମଧ୍ୟ ତନୁଶ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁନାହିଁ। ତାଙ୍କର କି’ ରୋଗ ହୋଇଛି? ଭଲ ହେବାକୁ ଆଉ କେତେ ଦିନ ଲାଗିବ? ଏଠାରେ ସୁସ୍ଥ ହେବେ ନା ତାଙ୍କୁ ବଡ଼ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯିବ? ସେ ଜେରା ହେବା ଭଳି ପରିସ୍ଥିତି ଆସି ନାହିଁ କି? ଏଭଳି ଅନେକ ପ୍ରଶ୍ନ ପୁଲିସକୁ ବିବାଦକୁ ଟାଣିଛି। ଏତେ ସବୁ ପରେ ବି ଆଜି ପର୍ଯ୍ୟନ୍ତ ତନୁଶ୍ରୀଙ୍କୁ ଗିରଫ କରାଯାଇ ନଥିବାରୁ ପୁଲିସ ତଦନ୍ତ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ମୃତ ସାଇରାମଙ୍କ ବାପା ସମୀର କୁମାର ପାତ୍ର। ସତରେ ତନୁଶ୍ରୀଙ୍କ ମୁଣ୍ଡ ଦୋଷ ଅଛି ନା ଗିରଫରୁ ବର୍ତ୍ତିବା ପାଇଁ ସେ ଏଭଳି ଏକ ଚିକିତ୍ସାର ନାଟକ କରିଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ଏଣେ ପୁଲିସ କହିଛି ଘଟଣା ପରଠାରୁ ତନୁଶ୍ରୀ ଏମ୍‌ସରେ ଆଡମିଟ ହୋଇଥିବାରୁ ତାଙ୍କ ବୟାନ ରେକର୍ଡ କରାଯାଇପାରୁ ନାହିଁ। ସେଥିପାଇଁ ତଦନ୍ତ ଆଗକୁ ବଢ଼ି ପାରୁନି। ତେବେ ପୂରା ଘଟଣାକୁ ପାଖରେ ଦେଖିଥିବା ତନୁଶ୍ରୀଙ୍କ ୫ ବର୍ଷର ଝିଅର ବୟାନ ଏବେ ତଦନ୍ତରେ ସହାୟକ ହେବ। ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଛି। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର