ଖୋଲୁଛି କୁଖ୍ୟାତ ରମେଶର ଠକେଇ ପେଡ଼ି: ମୃତ ବ୍ୟକ୍ତିଙ୍କ ନାଁରେ ଉଠାଇ ନେଇଥିଲା ୨୧ ଲକ୍ଷ ଋଣ

ଭୁବନେଶ୍ବର : ଜାଲ କାଗଜପତ୍ରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନଙ୍କୁ କୋଟି ଟଙ୍କାର ଚୂନ ଲଗାଇଥିବା ସ୍ମୃତି ରଞ୍ଜନ ସାହୁ ଓରଫ୍ ରମେଶକୁ ରିମାଣ୍ଡ ସମୟରେ ଜେରା ବେଳେ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଋଣ ଶାଖାରୁ ୨୧ ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ଅନୁସାରେ, ସୌମେନ୍ଦ୍ର କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଜମି ବନ୍ଧକ ରଖି ୧୦ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ରମେଶ ଏହା ଜାଣିବା ପରେ ତାଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରି ଏହି ଋଣକୁ ରିଫାଇନାନ୍ସ ଜରିଆରେ ଉକ୍ତ ବ୍ୟାଙ୍କକୁ ଟ୍ରାନ୍ସଫର୍ କରି ଦେଇଥିଲା। ସୌମେନ୍ଦ୍ରଙ୍କ ନାଁ ଓ ନିଜର ଫଟୋ ଦେଇ ୨୧ ଲକ୍ଷ ଟଙ୍କା ଋଣ ଉଠାଇ ନେଇଥିଲା। ନିକଟରେ ରମେଶ ମଞ୍ଚେଶ୍ବର ଥାନା ପୁଲିସ ହାତରେ ଧରାପଡ଼ିବା ପରେ ସମ୍ପୃକ୍ତ ବ୍ୟାଙ୍କ ଶାଖା ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର