‌କୋଭିଡ୍‌ ନିୟମ ଭାଙ୍ଗିବାରେ ରେକର୍ଡ, ୧୦ ଘଣ୍ଟାରେ ୧୭୯୦ଙ୍କୁ ଜରିମାନା

ଆମେ କାହିଁକି ଧରିବୁ, ଲୋକେ ନିଜେ ସଚେତନ ହେବେନି କ’ଣ ପାଇଁ: ପୁଲିସ କମିସନର

ଭୁବନେଶ୍ୱର: କରୋନା ଯେତିକି କାୟା ବିସ୍ତାର କରୁଛି ଲୋକଙ୍କ ଆଚରଣ ସେତିକି ବିଶୃଙ୍ଖଳିତ ହେବାରେ ଲାଗିଛି। ଲଢ଼େଇ ଜିତିବା ପାଇଁ ଯେଉଁଠି ଲୋକଙ୍କର ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି, ସେଠାରେ ଜନସାଧାରଣ ବିପଦକୁ ଆମନ୍ତ୍ରଣ କରୁଥିବା ଦେଖାଯାଇଛି। ଆଜି ଏଭଳି ଏକ ପ୍ରମାଣ ମିଳିଛି, ଯାହା କେବଳ କମିସନରେଟ ପୁଲିସ ପାଇଁ ନୁହେଁ, ବରଂ ଖୋଦ୍‌ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ୧୦ଘଣ୍ଟା ମଧ୍ୟରେ କୋଭିଡ୍‌ କଟକଣା ଉଲ୍ଲଙ୍ଘନକାରୀ ଧରା ପଡ଼ିବାରେ ରେକର୍ଡ ହୋଇଛି। ଟ୍ବିନ୍‌ସିଟିରୁ ଆଜି ମାସ୍କ ଓ ସାମାଜିକ ଦୂରତା ମାନି ନଥିବା ୧୭୯୦ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଜୁନ୍‌ ଶେଷ ଆଡ଼କୁ କୋଭିଡ୍‌ ସଂକ୍ରମଣ ଶୀର୍ଷ ଛୁଇଁବାକୁ ଯାଉଛି। ସତର୍କ ରହିବା ପାଇଁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କିନ୍ତୁ ଏତେ ମାତ୍ରାରେ ଉଲ୍ଲଙ୍ଘନକାରୀ ଧରାପଡ଼ିବା ଆଗକୁ ଘୋର ବିପଦକୁ ଆମନ୍ତ୍ରଣ କରିବା ପ୍ରମାଣିତ କରୁଛି।

ଏହି ସବୁ ଉଲ୍ଲଙ୍ଘନକାରୀଙ୍କୁ ଛକ ଜାଗାମାନଙ୍କରେ ଧରା ଯାଇଛି। ମାତ୍ର ଅନ୍ୟ ସମସ୍ତ ସ୍ଥାନକୁ ହିସାବକୁ ନେଲେ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ୪ଗୁଣରୁ ବେଶି ହେବ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥିତିକୁ ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି। ଏତେ ପରିମାଣର ଉଲ୍ଲଙ୍ଘନକାରୀଙ୍କୁ ଧରି କମିସନରେଟ ପୁଲିସ ଆଦୌ ଖୁସି ନୁହେଁ। ଆମେ କାହିଁକି ଆମ ନାଗରିକମାନଙ୍କୁ ଏତେ ପରିମାଣରେ ଧରିବୁ? ସେମାନଙ୍କଠାରୁ ଜରିମାନା ଆଦାୟ କରିବୁ। ସେମାନେ କାହିଁକି ସ୍ବତଃପ୍ରବୃତ୍ତ ଭାବେ ସଚେତନ ହେବେ ନାହିଁ? ଆଶା କରୁଛୁ, ଏହି ପରିସ୍ଥିତିରେ ପରିବର୍ତନ ଆସିବ, ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା କମିବ। କୋଭିଡ ମୁକାବିଲା ସଫଳ କରିବାକୁ ଜନସାଧାରଣ ସଚେତନ ହୋଇ ସହଯୋଗ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର