ଖୋର୍ଦ୍ଧା ଜିଲ୍ଲା ସଂସଦୀୟ କମିଟିର ସଡ଼କ ସୁରକ୍ଷା ବୈଠକ, ଫୁଲନଖରାରୁ ବରକୁଳ; ୨୦ ବ୍ଲାକ୍‌ସ୍ପଟ୍

ସିସିଟିଭି ସଂଖ୍ୟା ବଢ଼ାଇବାକୁ ପ୍ରସ୍ତାବ, ଆସିଲେନି ୭ ବିଧାୟକ, ସାଂସଦ

ଭୁବନେଶ୍ବର: ଜାତୀୟ ରାଜପଥ-୧୬ର ୧୧୪ କିମି ରାସ୍ତା ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଦେଇ ଯାଇଛି। ଫୁଲନଖରାରୁ ବରକୁଳ ମଧ୍ୟରେ ଯାଇଥିବା ଏହି ୧୧୪ କିମି ରାସ୍ତାରେ ୨୦ଟି ବ୍ଲାକସ୍ପଟ୍ (ଦୁର୍ଘଟଣାପ୍ରବଣ) ଚିହ୍ନଟ ହୋଇଛି। ଏଥିରେ ପାହାଳରୁ ରୁଦ୍ରପୁର୍ କଟ୍, ଆଚାର୍ଯ୍ୟବିହାରରୁ ସତସଙ୍ଗବିହାର, ଗଙ୍ଗପଡ଼ା ଛକ, ପିତାପଲ୍ଲୀ ଛକ, ଖଣ୍ଡଗିରି ଛକରୁ କୋଳଥିଆ ଛକ, ଆଇଗିଣିଆରୁ ପାତ୍ରପଡ଼ା, ଗୋହିରା ଛକ, କଳିଙ୍ଗବିହାର ଛକ, ପଳାଶୁଣି ଛକ, ତମାଣ୍ଡୋ ଓଭରବ୍ରିଜ୍, ହଂସପାଳ ଛକ, ଲିଙ୍ଗିପୁର କଟ୍‌ରୁ ଏନଏଚ୍, କେଏମ୍‌ବିବି କଲେଜ୍ ଛକରୁ ଖୋର୍ଦ୍ଧା ସଦର ପୁଲିସ୍ ଥାନା, ଚଣ୍ଡେଶ୍ବରରୁ କୁହୁଡ଼ି ପେଟ୍ରୋଲ ପମ୍ପ୍, ସୋଲାରି ରେଳବାଇ ଷ୍ଟେସନରୁ ନାଭାଲ୍ ଆଉଟ ପୋଷ୍ଟ୍, ଏଜି ଛକରୁ ରାଜଭବନ, ରାମମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ୍, ବମିଖାଲ ଅଞ୍ଚଳ ରହିଛି। ସେହିଭଳି ୫୭ ନମ୍ବର ଜାତୀୟ ରାଜପଥର ୩୭.୭କିମି ଖୋର୍ଦ୍ଧାରୁ ବୋଲଗଡ଼ ଅଞ୍ଚଳ ମଧ୍ୟରେ ଯାଇଛି। ଏଥିରେ ୩ଟି ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଥିବା ସ୍ଥାନ ହେଉଛି ଆଇଟିବିପି ନିକଟସ୍ଥ ତରତୁଆ, ଟିକାତଳା ଓ ବୋଲଗଡ଼। ଭୁବନେଶ୍ବରଠାରେ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନମଣ୍ଡଳୀ ସଡ଼କ ସୁରକ୍ଷା କମିଟି ବୈଠକ‌ରୁ ଏହି ତଥ୍ୟ ମିଳିଛି।

୨୮ଜଣ ଶ୍ରେଷ୍ଠ ସମାରିଟାନ୍
ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଯଥାଶୀଘ୍ର ଚିକିତ୍ସା ସେବା ଯୋଗାଇବା ପାଇଁ ସମାରିଟାନ୍ ପଲିସି କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ, ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବ୍ୟକ୍ତିଙ୍କୁ ଶ୍ରେଷ୍ଠ ସମାରିଟାନ୍ ସମ୍ମାନରେ ସମ୍ମାନିତ କରାଯିବ। ଏଥିପାଇଁ ପୁରସ୍କାରସ୍ବରୂପ ତାଙ୍କୁ ୨ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି। ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରେ ୨୮ଜଣ ବ୍ୟକ୍ତିଙ୍କୁ ଶ୍ରେଷ୍ଠ ସମାରିଟାନ୍ ପୁରସ୍କାର ଦିଆଯାଇସାରିଛି।

ଲକ୍‌ଡାଉନ୍‌ ସତ୍ତ୍ବେ ମରିଛନ୍ତି ୨୧୭
ଲକ୍‌ଡାଉନ୍‌ ସତ୍ତ୍ବେ ବର୍ଷ ୨୦୨୦ରେ ଖୋର୍ଧା ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ରହିଥିଲା। ୨୦୧୯ରେ ମୃତ୍ୟୁ ସଂଖ୍ୟା ୨୮୭ ଥିବା ବେଳେ ୨୦୨୦ରେ ୨୧୭ ରହିଥିଲା। ୨୦୨୦ ମସିହାରେ ମାର୍ଚ୍ଚ ତୃତୀୟ ସପ୍ତାହରୁ ଲକଡାଉନ୍ ଆରମ୍ଭ ହୋଇ ପ୍ରାୟ ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ଥିଲା। ଗାଡ଼ିମଟର ଚଳାଚଳ ଉପରେ କଡ଼ା କଟକଣା ଥିଲା। କିନ୍ତୁ ଏହା ସତ୍ତ୍ବେ ଦୁର୍ଘଟଣାରେ ଏତେ ଲୋକଙ୍କ ମୃତ୍ୟୁ ହେବା ଆଶ୍ଚର୍ଯ୍ୟଜନକ। ତଥ୍ୟ ଅନୁଯାୟୀ, ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ୫୪ଜଣ, ଏପ୍ରିଲରୁ ଜୁନ୍ ମଧ୍ୟରେ ୩୨, ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୬୨ଜଣଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିଲା। ସେହିଭଳି ୨୦୨୦ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ୫୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୩୨ ଓ ଜୁଲାଇରୁ ଡିସେମ୍ବର ମଧ୍ୟରେ ଏହି ସଂଖ୍ୟା ୧୨୮ ରହିଥିଲା।

ସିସିଟିଭି ସଂଖ୍ୟା ବଢ଼ାଇବାକୁ ପ୍ରସ୍ତାବ
ତ୍ରୁଟିପୂର୍ଣ୍ଣ ଗାଡ଼ି ଚାଳନା ଅଧିକାଂଶ ଦୁର୍ଘଟଣାର କାରଣ ବୋଲି ଜଣାପଡ଼ିଛି। ତେବେ ଅମାନିଆ ତଥା ବେପରୁଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ରାଜ୍ୟରେ ସିସିଟିଭି ସଂଖ୍ୟା ବଢ଼ାଇବାକୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି। ଖୋର୍ଧା ଜିଲ୍ଲା ସଂସଦୀୟ କ୍ଷେତ୍ର କମିଟିର ଅନ୍ୟତମ ସଦସ୍ୟ ତଥା ‘ପାସୋ’ର ଅଧ୍ୟକ୍ଷ ସୟଦ ମକବୁଲ୍ ଅଲ୍ଲୀ ଏହି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ମାତ୍ର ୪ହଜାର କ୍ୟାମେରା ଲାଗିଥିବାରୁ ଅମାନିଆଙ୍କୁ ଧରା ଯାଇପାରୁନାହିଁ ବୋଲି ସେ କହିଥିଲେ।

ଆସିଲେନି ୭ ବିଧାୟକ, ସାଂସଦ
ଦୁର୍ଘଟଣା ହ୍ରାସ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ସଂସଦୀୟ କ୍ଷେତ୍ରରେ ସାଂସଦ, ବିଧାୟକ, ବିଏମ୍‌ସି କମିସନର, ଟ୍ରାଫିକ୍ ଡିସିପି, ଭୁବନେଶ୍ବର ଡିସିପି ଆଦି ବରିଷ୍ଠ କର୍ମଚାରୀ ଓ ସଡ଼କ ସୁରକ୍ଷା ସହିତ ଜଡ଼ିତ କିଛି ସ୍ବେଚ୍ଛାସେବୀ ସଙ୍ଗଠନକୁ ନେଇ ୩୦ଜଣିଆ ଏକ କମିଟି ଗଠନ ହୋଇଛି। କିନ୍ତୁ ଶିରିପୁରସ୍ଥିତ ଇମେଜ୍ କଲେଜ୍‌ରେ ଆଜି ଅନୁଷ୍ଠିତ କମିଟିର ପ୍ରଥମ ବୈଠକରେ ୬ ବିଧାୟକ ଓ ଭୁବନେଶ୍ୱର ସାଂସଦ ଯୋଗ ଦେଇନଥିଲେ। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ୫ ବିଧାୟକ ଓ ଚିଲିକା ବିଧାୟକଙ୍କର ଦେଖା ନଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ଥିଲେ। ବିଏମ୍‌ସି କମିସନର୍, ଟ୍ରାଫିକ୍ ଡିସିପି, ଭୁବନେଶ୍ବର ଡିସିପି ମଧ୍ୟ ଆସି ବୈଠକକୁ ଆସି ନଥିଲେ।

ବୈଠକରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଥିଲେ, ସଡ଼କ ସୁରକ୍ଷା କେବଳ ଟ୍ରାଫିକ୍ ପୁଲିସ୍ ଓ ଜାତୀୟ ରାଜପଥର କାମ ବୋଲି ଭାବିବା ନାହିଁ। ଏଥିରେ ସମସ୍ତଙ୍କର ଭୂମିକା ରହିଛି। ତେଣୁ ଆମେ ସଚେତନ ହୋଇ ନିଜ ଦ୍ବାରା ହେଉଥିବା ଅଯଥା ତ୍ରୁଟି ଗୁଡ଼ିକୁ ସୁଧାରି ପାରିଲେ ସମାଜ ପାଇଁ ଭଲ ହେବ ବୋଲି ସେ କହିଥିଲେ। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଆଇ)ଙ୍କ ମନମୁଖୀ କାମ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଏହାସହ ଖଣ୍ଡଗିରି ଫ୍ଲାଏଓଭର୍ କାମ କେବେ ସରିବ ପ୍ରଶ୍ନ କରିଥିଲେ। ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ମେ’ ଦ୍ବିତୀୟ ସପ୍ତାହ ସୁ୍ଦ୍ଧା କାମ ସରିବ ବୋଲି କହିଥିଲେ। ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ପିକେ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର