ରାଜଧାନୀରେ ବଢ଼ୁଛି ସଡ଼କ ଦୁର୍ଘଟଣା : ପ୍ରତିବର୍ଷ ମରୁଛନ୍ତି ୨୦୦ ଚାଳକ

ଭୁବନେଶ୍ୱର : ଭୁବନେଶ୍ୱରରେ ଚିନ୍ତାର କାରଣ ପାଲଟିଛି ସଡ଼କ ଦୁର୍ଘଟଣା। ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ଦୁର୍ଘର୍ଟଣାରେ ଅନେକ ଆହତ ହେଉଥିବା ବେଳେ ପ୍ରତିବର୍ଷ ପ୍ରାୟ ୨୦୦ ଜଣ ଗାଡ଼ି ଚାଳକ ପ୍ରାଣ ହରାଉଛନ୍ତି। ମୃତକଙ୍କ ମଧ୍ୟରୁ ଅର୍ଧାଧିକ ବ୍ୟକ୍ତିଙ୍କ ବୟସ ୩୦ ବର୍ଷରୁ କମ୍‌। ତ୍ରୁଟିପୂର୍ଣ୍ଣ ଗାଡ଼ି ଚାଳନା ସାଙ୍ଗକୁ ଟ୍ରାଫିକ୍‌ ନିୟମ ନ ମାନିବାରୁ ଦୁର୍ଘଟଣା ବଢ଼ୁଛି ବୋଲି ଭୁବନେଶ୍ୱର-୨ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଜି ଛକ ନିକଟ ଟ୍ରାଫିକ୍‌ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ କର୍ମଶାଳାରେ ଯୋଗଦେଇ ଟ୍ରାଫିକ୍‌ ଏସିପି ଯତୀନ୍‌ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା କହିଥିଲେ ଯେ, ସଡ଼କ ଦୁର୍ଘଟଣା ରୋକିବାରେ ଟ୍ରାଫିକ୍‌ ପୁଲିସ ସହ ସାଧାରଣ ଲୋକଙ୍କ ସହାୟତା ଦରକାର। ଯେତେ ଫାଇନ୍‌ ଆଦାୟ କରାଗଲେ ମଧ୍ୟ ଲୋକେ ଚେତୁ ନାହାନ୍ତି। ଗତ ୩ ମାସ ମଧ୍ୟରେ ରାଜମହଲ ଛକ ନିକଟରେ ଟ୍ରାଫିକ୍‌ ଯାଞ୍ଚ କରାଯାଇ ପ୍ରାୟ ସାଢ଼େ ୮ ଲକ୍ଷ ଟଙ୍କାର ଫାଇନ ଆଦାୟ କରାଯାଇଛି। ଭୁଲ୍‌ ରାସ୍ତାରେ ଆସୁଥିବା ଗାଡ଼ି ଚାଳକଙ୍କ ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସେ କହିଥିଲେ।

ସଡ଼କ ସୁରକ୍ଷାର ଯୁଗ୍ମ ଆୟୁକ୍ତ ଚିତ୍ତରଞ୍ଜନ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପାଶୋ ଅଧ୍ୟକ୍ଷ ମକବୁଲ୍‌ ଅଲ୍ଲୀ, ଉପ ସଚିବ ଦିଲ୍ଲୀପ ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କର୍ମଶାଳାରେ ରାଜପଥ ପାର୍ଶ୍ୱରେ ଥିବା ୧୦ଟି ସ୍କୁଲର ୧୭୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ର୍ରୀ ଅଂଶଗ୍ରହଣ କରିଥିଲେ। ‘ମୌସୁମୀ’ ସଂସ୍ଥାର ପ୍ରଦୀପ କୁମାର ମହାନ୍ତି ସହଯୋଗ କରିଥିବା ବେଳେ ମୋଟରଯାନ ନିରୀକ୍ଷକ ସାବୁଆ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର