ଚନ୍ଦ୍ରଶେଖରପୁର: ଯୁବ ରଗ୍ବି ଖେଳାଳିଙ୍କୁ ପ୍ରେରଣା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜି ମଧ୍ୟାହ୍ନରେ ରଗ୍ବି ବିଶ୍ୱ କପ୍ ୨୦୧୯ ଟ୍ରଫି ପହଞ୍ଚିଥିଲା ‘କିସ୍’ ବିଶ୍ୱ ବିଦ୍ୟାଳୟରେ। ଏ ନେଇ କିସ୍ର ଯୁବ ରଗ୍ବି କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ପ୍ରଥମ ଥର ପାଇଁ ଏକ ବିଶ୍ୱ କପ୍ ଟ୍ରଫି କିସ୍ ପରିସରକୁ ଆସୁଥିବାରୁ ଅନୁଷ୍ଠାନର ସଂସ୍କୃତି ବିଭାଗ ଛାତ୍ରଛାତ୍ରୀମାନେ ଆଦିବାସୀ ନୃତ୍ୟକରି ଅତିଥି ଓ ଟ୍ରଫିକୁ ସ୍ୱାଗତ କରିଥିଲେ। ସଭା ପାଇଁ ଆୟୋଜନ କରାଯାଇଥିବା ସ୍ୱତନ୍ତ୍ର ପଡ଼ିଆରେ ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ଓ ଖେଳାଳି ଏକାଠି ହୋଇ ବିଶ୍ୱ କପ୍ ଟ୍ରଫିକୁ ଦେଖିଥିଲେ। ଅନୁଷ୍ଠିତ ଏକ ସଭାରେ ରଗ୍ବି ଇଣ୍ଡିଆର ପରିଚାଳକ ନସିର୍ ହୁସେନ୍, ଟ୍ରଫି ସୁରକ୍ଷା ଅଧିକାରୀ ୟୁକେ ମହାନ୍ତି, ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ଏହି ଖେଳ ବିଷୟରେ ଅବଗତ କରାଇଥିଲେ। କିସ୍ର ସଂପାଦକ ଆର୍ଏନ୍ ଦାଶ ସେଠାରେ ଉପସ୍ଥିତ ଥିଲେ। ଲଣ୍ଡନ ମାଟିରେ ଭାରତୀୟ ଦଳ ରଗ୍ବି ବିଶ୍ୱ କପ୍ ବିଜୟୀ ହୋଇଥିଲା। କିସ୍ର ମୁନ୍ନା ମୁର୍ମୁ ଅଧିନାୟକ ଭାବେ ଉକ୍ତ ଟିମ୍ ପରିଚାଳନା କରିଥିଲେ। ଆଜି ଅନୁଷ୍ଠିତ ସଭାରେ କ୍ରୀଡ଼ାବିତ୍ ମୁନ୍ନା ମୁର୍ମୁ, ରାଜକିଶୋର ମୁର୍ମୁ, ସୁମିତ୍ରା ନାୟକ, ହୁପି ମାଝୀ ଓ ଲିଜା ସର୍ଦ୍ଦାର ପ୍ରମୁଖ ତାଲିମ ପ୍ରଶିକ୍ଷକଭାବେ ଯୋଗଦେଇ ବିଭିନ୍ନ ବର୍ଗର ପିଲାଙ୍କୁ ରଗ୍ବି ବିଷୟରେ ଅଭ୍ୟାସ କରାଇଥିଲେ।