‘ଔଷଧୀୟ ବଗିଚା’ ବୁଲିବାକୁ ସଫାରି

ଭୁବନେଶ୍ବର : ଔଷଧୀୟ ବୃକ୍ଷ ସମ୍ପର୍କରେ ଜ୍ଞାନ ବାଣ୍ଟୁଥିବା ‘ଔଷଧୀୟ ବଗିଚା’ରେ ଏଣିକି ବୁଲିବାକୁ ସୁଯୋଗ ମିଳିବ। ପାତ୍ରପଡ଼ାସ୍ଥିତ ୧୫୦ ଏକର ପରିମିତ ଏହି ଔଷଧୀୟ ବଗିଚା କେବଳ ଜ୍ଞାନ ବାଣ୍ଟିବନି, ବରଂ ଉପଭୋଗ୍ୟ ମଧ୍ୟ ହେବ। ତେବେ ଚାଲିଚାଲି ଏହି ବଗିଚାରେ ବୁଲିବାକୁ ଦିଆଯିବ ନାହିଁ। ଏଥିପାଇଁ ଆପଣଙ୍କୁ ବ୍ୟାଟେରି ଚାଳିତ ସଫାରି ଭଡ଼ା କରିବାକୁ ପଡ଼ିବ। ୩୦ ମିନିଟ୍‌ ପାଇଁ ମୁଣ୍ଡ ପିଛା ୫୦ ଟଙ୍କା ଦେବାକୁ ପଡ଼ିବ। ୪ ଜଣ ହିଁ ଗୋଟେ ସଫାରିରେ ବସିପାରିବେ।

ଏହି ପରିସରରେ ‌୨୬୦ ପ୍ରକାର ଔଷଧୀୟ ବୃକ୍ଷ ସମ୍ବନ୍ଧରେ ଜ୍ଞାନ ପାଇହେବ। ସମସ୍ତ ପ୍ରଜାତି ସମ୍ବନ୍ଧରେ ଜାଣିବା ସହ କେଉଁ ବୃକ୍ଷ କେଉଁ ରୋଗର ଉପଶମ କରିପାରେ ସେ ସମ୍ପର୍କରେ ମଧ୍ୟ ଜ୍ଞାନ ମିଳିବ। ପରିସ‌ରରେ ଥିବା ପ୍ରଦର୍ଶନୀ ହଲ୍‌ ମଧ୍ୟରେ କେଉଁ ଗଛର କେଉଁ ଅଂଶ କେଉଁ ରୋଗର ଉପଶମ କରେ ସେ ସମ୍ପର୍କରେ ଜାଣିହେବ। ‘ବାମ୍ବୁ ଷ୍ଟେସନ୍‌’ରେ ୫୯ କିସମର ବାଉଁଶ ଦେଖିହେବ। ‘ନକ୍ଷତ୍ର ବନ’ରେ କେଉଁ ଗ୍ରହ ଓ ନକ୍ଷତ୍ର ପାଇଁ କେଉଁ ବାସ୍ତୁ ଗଛ ଉଦ୍ଦିଷ୍ଟ ସେ ସମ୍ପର୍କରେ ସବିଶେଷ ଜାଣି‌ହେବ। ଏଥିସହ ‘ଜଳସ୍ରୋତ’ ନିକଟରେ ସେଲ୍‌ଫି ଉଠାଇ ହେବ। ‘ଗୋଲାପ ବଗିଚା’ର ଆକର୍ଷଣକୁ ମଧ୍ୟ ଉପଭୋଗ କରିହେବ ବୋଲି ସହଯୋଗୀ ବନ ସଂରକ୍ଷକ (ଭାରପ୍ରାପ୍ତ, ଭୁବନେଶ୍ବର ରେଞ୍ଜ୍‌) ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ କହିଛନ୍ତି। ଔଷଧୀୟ ବଗିଚା ସକାଳ ସାଢ଼େ ୯ଟାରୁ ମଧ୍ୟାହ୍ନ ୧ଟା ୩୦ ଏବଂ ଦିନ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ବୁଲି ହେବ। ପ୍ରଥମ ପର୍ଯ୍ୟାୟରେ ୩ଟି ସଫାରିର ଶୁଭାରମ୍ଭ ହୋଇଛି। ଗୋଟେ ସଫାରିରେ ୪ ଜଣ ଯାଇପାରିବେ। ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପିସିସିଏଫ୍‌ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ, ପିସିସିଏଫ୍‌ ଡ.ଦେବବ୍ରତ ସ୍ବାଇଁ ଏବଂ ଭୁବନେଶ୍ବର ବନଖଣ୍ଡ ଡିଏଫ୍‌ଓ ଅଶୋକ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ସର୍ବସାଧାରଣଙ୍କ ପାଇଁ ସଫାରି ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ବଗିଚା ମଧ୍ୟରେ ପ୍ରାତଃ ଭ୍ରମଣ କରୁଥିବା ଲୋକେ ପୂର୍ବଭଳି ସକାଳେ ପ୍ରାତଃ ଭ୍ରମଣ କରିପାରିବେ।

ସମ୍ବନ୍ଧିତ ଖବର