ସହିଦନଗର ଥାନାରେ ଆକ୍ରମଣ ଘଟଣା, କୁଆଡ଼େ ଗଲେ ଛାତ୍ରନେତା?

ଭୁବନେଶ୍ବର: ସହିଦନଗର ଥାନା ଭିତରେ ପଶି ପୁଲିସକୁ ପ୍ରାଣାନ୍ତକ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଅଶୋକ ମଲ୍ଲିକ(୨୧) ଓ ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ନାହାକାଣୀ ଅଞ୍ଚଳର ବାଣୀ କଲ୍ୟାଣ ମହାନ୍ତି(୩୦)। ଉଭୟଙ୍କ ବିରୋଧରେ ମାମଲା ନମ୍ବର ୧୧୨/୧୯ ଓ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୪୫୧, ୧୪୭, ୨୯୪, ୩୩୬, ୩୩୨, ୩୩୩, ୩୦୭, ୪୨୭, ୧୪୯, ୧୯୮୪ ନିୟମ ଅନୁଯାୟୀ ସରକାରୀ ସମ୍ପତ୍ତି ନଷ୍ଟ କରିବା (ଧାରା-୩), ୧୯୩୨ ଆପରାଧିକ ଆଇନ୍‌ ସଂ‌ଶୋଧନ (ଧାରା-୭) ରେ ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ପୂର୍ବରୁ ବାଣୀକଲ୍ୟାଣ ନାଁରେ କଟକ ମାଲଗୋଦାମ ଥାନାରେ ୯ରୁ ଅଧିକ ଆପରାଧିକ ମାମଲା ଥିବା ପୁଲିସ କହିଛି। ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଏବେ ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଦୁଇ ଦିନ ତଳେ ସହିଦନଗର ଥାନା ପୁଲିସ ଅମିତ ଜେନା ଓ ଶିବୁ ଓରଫ ଶିବାନନ୍ଦଙ୍କୁ ଗିରଫ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ର ସଭାପତି ଫେରାର ଅଛନ୍ତି। ସେ ଶାସକ ଦଳର କେତେକ ବିଧାୟକଙ୍କ ଛତ୍ରଛାୟା ତଳେ ରହିଥିବା ଅଭିଯୋଗ ହେଉଛି। ତେଣୁ ପୁଲିସ ଚାପରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଳମ୍ବ କରୁଛି। ଏହାର ସୁଯୋଗ ନେଇ ଅନ୍ୟ ଅଭିଯୁକ୍ତମାନେ ଏବେ ଆଗୁଆ ଜାମିନ ଯିବା ପାଇଁ ପ୍ରସ୍ତୁତି ଚଳାଇଥିବା ବିଶେଷସୂତ୍ରରୁ ଖବର ମିଳିଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଭିଏସ୍‌ଏସ୍‌ ନଗରର ନିହାର ରଂଜନ ଦାସ ସାଙ୍ଗମାନଙ୍କ ସହ ସୈନିକ ସ୍କୁଲ୍ ପଛ ଗେଟ୍‌ ନିକଟରେ ବସି ଖଟି କରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଏକ କାର୍‌ ଦ୍ରୁତଗତିରେ ଆସି ସେଠାରେ ଥିବା ବାଇକ୍‌କୁ ଧକ୍କା ଦେଇ ଖସି ପଳାଉଥିଲା। ହେଲେ ନିହାର, ତାଙ୍କ ସାଙ୍ଗ ଆଶିଷ ସେଠୀ ଓ ଅବିନାଶ ସେଠୀ କାର୍‌ର ପିଛା କରିଥିଲେ। କାର୍‌ଟି ଭିଏସ୍‌ଏସ୍‌ ନଗର ଜିଏଲ୍‌ କଲୋନିରେ ପଶିଯିବା ପରେ ନିହାର ଓ ତାଙ୍କ ସାଙ୍ଗମାନେ କାର୍‌ ଚାଳକଙ୍କୁ ଅଟକାଇ ପଚରାଉଚରା ବେଳେ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଖବରପାଇ କାର୍‌ ଚାଳକଙ୍କ ସମର୍ଥକ ସେଠାରେ ପହଞ୍ଚି ନିହାର ଓ ତାଙ୍କ ସାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏତିକିରେ ଥମି ନଥିଲେ ଦୁର୍ବୃତ୍ତ। ପୁଲିସ ଆହତମାନଙ୍କୁ ପିସିଆର୍‌ରେ ଥାନାକୁ ଆଣୁଥିବା ବେଳେ ସେଠାରେ ମଧ୍ୟ ନିହାର ଓ ତାଙ୍କ ସାଙ୍କଙ୍କୁ ଆକ୍ରମଣ କରିଥିଲେ। ଆଉ ଥାନା ଭିତରେ ପଶି ଫୁଲକୁଣ୍ଡ, ଚେୟାର, ଟେବୁଲ୍‌ ଓ ଟିଭିକୁ ଚୂରମାର୍ କରି ଦେଇଥିଲେ।

ସମ୍ବନ୍ଧିତ ଖବର