ଚିନ୍ତା ବଢ଼ାଇଲାଣି ସାଲିଆ ସାହି : ସଙ୍ଗରୋଧ କେନ୍ଦ୍ରରେ ନେଗେଟିଭ୍, ହସ୍ପିଟାଲରେ ପଜିଟିଭ୍

ଭୁବନେଶ୍ବର : ସାଲିଆ ସାହିରେ ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ କରୋନା ସଂକ୍ରମଣ ନେଇ ନୂଆ ଆଶଙ୍କା ସୃଷ୍ଟି ହେଲାଣି। କାରଣ ଏହି ମହିଳାଜଣଙ୍କ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ବିତାଇବା ପରେ ଘରକୁ ଆସିଥିଲେ। ସେଠାରେ ତାଙ୍କର କୋଭିଡ୍‌-୧୯ ପରୀକ୍ଷା ହୋଇଥିବା ବେଳେ ନେଗେଟିଭ୍‌ ଆସିଥିଲା। କିନ୍ତୁ ଘରେ ରହିବାର ପ୍ରାୟ ୨୦ଦିନ ପରେ ଯେତେବେଳେ ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଗଲେ, ସେତେବେଳେ ତାଙ୍କର କରୋନା ପଜିଟିଭ୍‌ ବାହାରିଲା।

ସ୍ବାମୀଙ୍କ ସହ ଅହମ୍ମଦାବାଦରୁ ଫେରିଥିବା ଏହି ମହିଳାଜଣଙ୍କ ସାଲିଆ ସାହି ନିକଟସ୍ଥ ଏକ ଘରୋଇ ସ୍କୁଲରେ ସଙ୍ଗରୋଧରେ ରହିଥିଲେ। ସେଠାରେ ପ୍ରାୟ ୧୫୦୦ଲୋକଙ୍କର କରୋନା ପରୀକ୍ଷା ହୋଇଥିଲା। ଏହି ଦମ୍ପତିଙ୍କର ବି ପରୀକ୍ଷା ହୋଇଥିଲା। କିନ୍ତୁ ନେଗେଟିଭ୍ ଆସିବାରୁ ଘରକୁ ଆସିଥିଲେ। ଏବେ ସ୍ତ୍ରୀର ପଜିଟିଭ୍ ବାହାରିବା ପରେ ସ୍ବାମୀଙ୍କର ସ୍ବାବ୍‌ ଟେ‌ଷ୍ଟ ହୋଇଛି। ତାଙ୍କର କିନ୍ତୁ ନେଗେଟିଭ୍‌ ବାହାରିଛି। ଏହାବାଦ୍‌ ପରିବାର ସମ୍ପର୍କୀୟଙ୍କର ପ୍ରାୟ ୭ଜଣଙ୍କର ସ୍ବାବ୍ ସଂଗ୍ରହ ହୋଇଛି।

କରୋନା ପରୀକ୍ଷାର ମାସକ ପରେ ମହିଳାଙ୍କ ନିକଟରେ ପୁଣି ପଜିଟିଭ୍ ବାହାରିବାରୁ ସାଲିଆ ସାହିରେ ଭୟର ବାତାବରଣ ଖେଳି ଯାଇଛି। ବସ୍ତିବାସିନ୍ଦା କହୁଛନ୍ତି, କରୋନା ଆକ୍ରାନ୍ତଙ୍କ ପରିବାର ସହ ବହୁ ଲୋକ ସଂସ୍ପର୍ଶରେ ଆସିଛନ୍ତି। ଏପରିକି ତାଙ୍କ ଶାଶୂ ହାଣ୍ଡିଆ ବ୍ୟବସାୟ କରୁଥିବାରୁ ତାଙ୍କଠାରୁ ବହୁ ଲୋକ ହାଣ୍ଡିଆ ପିଇଛନ୍ତି। ଯଦି ସେମାନଙ୍କର କାହାର ପରେ ପଜିଟିଭ୍‌ ବାହାରେ, ତେବେ ବହୁ ଲୋକଙ୍କ ପଜିଟିଭ୍‌ ବାହାରିବାର ସମ୍ଭାବନାକୁ ଏଡ଼ାଇ ହେବନି। ଏପରିକି ବହୁ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବା ପରେ ଏବେ ସାଲିଆସାହିରେ ଅଛନ୍ତି। ତେଣୁ କରୋନା ଆକ୍ରାନ୍ତ ହେବାର ଭୟ ସେମାନଙ୍କୁ ଘାରିଛି।

ଅପରପକ୍ଷେ ବିଏମ୍‌ସିର ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ଦେଖାଯିବ, ଆମେ ସେମାନଙ୍କ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା କରିବୁ। କିନ୍ତୁ ସେମାନଙ୍କୁ ଆମେ ଦୁଇରୁ ତିନିଦିନ ଅଲଗା ସ୍ଥାନରେ ସଙ୍ଗରୋଧ ରଖିବୁ। ସେଠାରେ ତାଙ୍କର ଥଣ୍ଡା, କାଶ, ଜ୍ବର ନ କମିଲେ ସ୍ବାବ୍‌ ସଂଗ୍ରହ ହୋଇ ପରୀକ୍ଷା ହେବ। ଥଣ୍ଡା, ଜ୍ବର ଛାଡ଼ିଗଲେ ଘରକୁ ପଠାଇ ଦେବୁ। ସେଠାରେ ସେ ୧୪ ଦିନ ସଙ୍ଗରୋଧ ରହିବେ।

ଏବେ କରୋନା ଆକ୍ରାନ୍ତ ମହିଳା ଓ ତାଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ୨୮ଟି ପରିବାରକୁ ଚିହ୍ନଟ କରାଯାଇଛି। ସେମାନଙ୍କ ଘରେ ସଙ୍ଗରୋଧ ଷ୍ଟିକର୍‌ ଲଗାଯାଇଛି। ସେମାନଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି। ସେମାନେ ୧୪ଦିନ ସଙ୍ଗରୋଧରେ ରହିବେ। ସ୍ଥାନୀୟ ଅଞ୍ଚଳରେ ଗତକାଲିଠାରୁ ବିଶୋଧନ ଆରମ୍ଭ ହୋଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ସାଲିଆ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିବା ନେଇ କିଛି ନିର୍ଦ୍ଦେଶନାମା ପ୍ରକାଶ ପାଇନି।

ବିଏମ୍‌ସି କର୍ତ୍ତୃପକ୍ଷ ବିଶୋଧନ କରିବା କହୁଥିଲେ ହେଁ ବସ୍ତିବାସିନ୍ଦା କହିଛନ୍ତି ଯେ ବିଏମ୍‌ସି ବିଶୋଧନ କରୁନି। ତେଣୁ ଆମେ ନିଜ ଖର୍ଚ୍ଚରେ ବିଶୋଧନ କରୁଛୁ। ଏପରିକି ଯେଉଁ ପରିବାରଗୁଡ଼ିକୁ ସଙ୍ଗରୋଧ କରିବାକୁ କୁହାଯାଇଛି, ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ନଯୋଗାଇଲେ ସେମାନେ କିପରି ଚଳିବେ। ସେମାନେ ଘର ପାଖରେ ଖାଦ୍ୟ ସାମଗ୍ରୀ ନପାଇଲେ ବସ୍ତିରେ ବିଭିନ୍ନ ଦୋକାନକୁ ଯିବେ। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କାକୁ ଏଡ଼ାଇ ହେବନି। ଏପରିକି ଏହି ଅଞ୍ଚଳର ଲୋକମାନେ ବିନା ମାସ୍କରେ ବୁଲୁଛନ୍ତି। ତେଣୁ ବିଏମ୍‌ସି ଏଦିଗରେ କଡ଼ା ପ‌ଦକ୍ଷେପ ନେବାକୁ ହେବ।

ସମ୍ବନ୍ଧିତ ଖବର