ଲୋକାର୍ପିତ ହେଲା ‘ସମର୍ଥ ଟ୍ରଷ୍ଟ’

ଭୁବନେଶ୍ବର: ଦଶ ଦିନ ତଳେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ମାଧ୍ୟମରେ ଖାଦ୍ୟ ବାଣ୍ଟିବା ଯୋଜନା ଆରମ୍ଭ କରିଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସମର୍ଥ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଞ୍ଜିନିୟର୍ସଠାରେ ଏହି ଟ୍ରଷ୍ଟର ଲୋକାର୍ପଣ ଅବସରରେ ଟ୍ରଷ୍ଟର ଉପଦେଷ୍ଟା ଅପରାଜିତା କହିଛନ୍ତି ଯେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକାରାତ୍ମକ ସମାଜ ଗଠନ କରିବା ଏହାର ଲକ୍ଷ୍ୟ। ରାଜ୍ୟର ବୁଦ୍ଧିଜୀବୀ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଓ ସହଯୋଗରେ ଏହି ଟ୍ରଷ୍ଟ କାମ କରିବ।

ଆଗାମୀ ଦିନରେ ଅର୍ଥାତ୍ ମାର୍ଚ୍ଚ ସୁଦ୍ଧା ସମର୍ଥର ସ୍ଥିରୀକୃତ କାର୍ଯ୍ୟକ୍ରମ ମଧ୍ୟରେ ରାଜଧାନୀର ବିଭିନ୍ନ ପାର୍କରେ ମାଗଣା ଯୋଗ ଶିବିର, ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ଆଲୋଚନାଚକ୍ର, ବୃଷରୋପଣ, ଜରାଶ୍ରମ ଓ ବାଳାଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ, ବସ୍ତ୍ର, ପୁସ୍ତକ ଓ କ୍ରୀଡ଼ା ସାମଗ୍ରୀ ବଣ୍ଟନ, ରକ୍ତଦାନ ଶିବିର, ରାଜ୍ୟ ତଥା ଜାତୀୟସ୍ତରର ବିଭିନ୍ନ ସମସ୍ୟାର ପ୍ରାସଙ୍ଗିତକା ଉପରେ ଆଲୋଚନାଚକ୍ର ଓ ଶିକ୍ଷା ସଂସ୍କାର କେନ୍ଦ୍ର ସ୍ଥାପନ କରାଯିବ। ଆଜି ସମର୍ଥ ଟ୍ରଷ୍ଟର ଲୋକାର୍ପଣ ଉତ୍ସବରେ ସମ୍ମାନିତ ଅତିଥି ଭା‌ବେ ପଦ୍ମଶ୍ରୀ ପ୍ରତିଭା ରାୟ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ ମହାରାଜ, ସାହିତ୍ୟିକ ଫନି ମହାନ୍ତି, ଅବସରପ୍ରାପ୍ତ ପ୍ରଶାସକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ଅନୁଷ୍ଠାନର ସଭାପତି କାହ୍ନୁଚରଣ ଦାଶ, ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ଶଶାଙ୍କ ଶେଖର ସାହୁ, ସମ୍ପାଦକ କୁଳମଣି ରାଉତ, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର