ଏମିତି ଆମ ରାଜଧାନୀ: ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବିଏମ୍‌ସିର ପ୍ରତିଶ୍ରୁତି ପାଣିର ଗାର

ଖଣ୍ଡଗିରି: କୌଣସି ଗାଁ କି ଅପନ୍ତରା ବସ୍ତି ନୁହେଁ। ସ୍ମାର୍ଟସିଟିର ଆଇଗିଣିଆ ଛକସ୍ଥିତ ଶିରିଡ଼ି ସାଇ ମନ୍ଦିର ସମ୍ମୁଖ ରାସ୍ତା। ରାସ୍ତା ଉପରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ରାଜପଥ କଡ଼କୁ ଲାଗି ରହିଥିବା ଏହି ରାସ୍ତାର ଏପରି ଦୁରବସ୍ଥା ଯିଏ ଦେଖୁଛି, ନାକ ଟେକୁଛି। କିନ୍ତୁ ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ହେଁ କୌଣସି ସରକାରୀ ବଡ଼ବାବୁ କି ସ୍ଥାନୀୟ ରାଜନେତାଙ୍କ ଆଖି‌ରେ ପଡ଼ୁ ନାହିଁ। ଡ୍ରେନ୍‌ ପାଇଁ ସାରା ସହର ଖୋଳି ପକାଉଥିବା ବିଏମ୍‌ସି ବି ଏଠାକାର ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନ ନେବା ସ୍ଥାନୀୟ ବାସିନ୍ଦାଙ୍କୁ ଅଧିକ ବ୍ୟଥିତ କରୁଛି। ଆଗକୁ ମ୍ୟୁନିସିପାଲିଟି ନିର୍ବାଚନ ଥିବା ବେଳେ ଏହି ସମସ୍ୟା ଏବେ ଆଇଗିଣିଆବାସୀଙ୍କ ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି କୁହାଯାଉଛି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଲା, ଦିନେ କି ଦୁଇ ଦିନର ଘଟଣା ନୁହେଁ, ଦୀର୍ଘ ୨ବର୍ଷ ହେଲା ରାସ୍ତାରେ ଡ୍ରେନ୍ ପାଣି ଭାସୁଛି। ପାଣି ଭାସି ଭାସି ମନ୍ଦିର ଯାଏ ପହଞ୍ଚୁଛି। ଏହି ବାଟ ଦେଇ କାର୍ କିମ୍ବା ବସ୍ ଗଲେ ଲୋକଙ୍କ ଉପରେ ଏହି ଦୂଷିତ ପାଣିଛିଟା ପଡ଼ୁଛି। ଫଳରେ ଏହାକୁ ନେଇ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ନଜିର ମଧ୍ୟ ରହିଛି। ଖାଲି ସେତିକି ନୁହେଁ, ରାସ୍ତାକଡ଼ରେ ଥିବା ଦୋକାନକୁ ଯିବାକୁ ହେଲେ ଏହି ନର୍ଦ୍ଦମା ପାଣି ଉପର ଦେଇ ଯିବାକୁ ପଡ଼ୁଛି। ମନ୍ଦିର କମିଟି ଏବଂ ଆଖପାଖ ଦୋକାନୀ ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିବାରୁ ବିଏମ୍‌ସି କର୍ତ୍ତୃପକ୍ଷ କହିଥିଲେ, ସେଠାରେ ଥିବା ଦୋକାନ ହଟିଲେ କାମ ହୋଇପାରିବ। ତେବେ ବ୍ୟବସାୟ ବାଧାପ୍ରାପ୍ତ ହେଉ ପଛେ, ସମସ୍ୟାର ସମାଧାନ ହେବ ଭାବି ମନ୍ଦିର ସମ୍ମୁଖରେ ବସୁଥିବା ଫୁଲ, ଚାରା ଓ ପାନ ଦୋକାନୀ ଦୋକାନ ଉଠେଇଦେଲେ। କିନ୍ତୁ ଏହା ପରେ ବି କେହି ଆସିଲେନି କି ଡ୍ରେନ୍ କାମ ବି ହେଲାନି।

ଏ ସମ୍ପର୍କରେ ଶିରିଡ଼ି ସାଇ ମନ୍ଦିର କମିଟିର ତପନ ସେନାପତି କହିଛନ୍ତି ଏହା ଅନେକ ଦିନର ସମସ୍ୟା। ବିଧାୟକ ଆସିଥିଲେ, ଡ୍ରେନ୍ କରାଇଦେବେ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ। କିନ୍ତୁ ସମସ୍ୟା ଯେଉଁଠି କି ସେଇଠି। ମନ୍ଦିର ଖୋଲିବାକୁ ଅନୁମତି ମିଳିଥିବାରୁ ମନ୍ଦିର ପ୍ରଶାସନ ଫେବ୍ରୁଆରି ୧ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି। ହେଲେ ଏମିତି ଅବସ୍ଥାରେ ଶ୍ରଦ୍ଧାଳୁମାନେ ମନ୍ଦିର ଆସିବାକୁ କ’ଣ ଇଚ୍ଛା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ମା’ ତାରିଣୀ ଫର୍ଣ୍ଣିଚର୍‌ କାରିଗରମାନଙ୍କ କହିବା କଥା, ଦୋକାନକୁ ଗ୍ରାହକ ଆସି ପାରୁନାହାନ୍ତି। ନର୍ଦ୍ଦମା ପାଣିର ଉତ୍କଟ ଗନ୍ଧରେ ନାକ ଫାଟି ପଡ଼ୁଛି। ଭୁବନେଶ୍ବରରେ ଦୋକାନ କରି ବି ନାଳ ପାଇଁ ବେପାର ଠପ୍। ଆଗ କରୋନା ପେଟପାଟଣା ଛଡ଼ାଇ ନେଲା ଏବେ, ଏହି ନାଳ ପେଟରେ ନାତ ମାରୁଛି। ସ୍ଥାନୀୟ ବାସିନ୍ଦା ସୋନୁ ନାୟକ କହିଛନ୍ତି, ବାବାଙ୍କ ମନ୍ଦିର ଖୋଲିବା ପୂର୍ବରୁ ଯଦି କର୍ତୃପକ୍ଷ ଆମ ଦୁଃଖ ନ ବୁଝନ୍ତି, ଧାରଣା‌‌‌ରେ ବସିବୁ।

ସମ୍ବନ୍ଧିତ ଖବର