ନୂଆ କାରିଗରୀ ଜ୍ଞାନକୌଶଳକୁ ଗ୍ରହଣ କରିବାକୁ ପଡ଼ିବ

ଲୋକାର୍ପିତ ହେଲା ଶ୍ରୀରାମ ଦାଶଙ୍କ ‘ସମୟର ସାମ୍ନା’

ଭୁବନେଶ୍ୱର : ପୁସ୍ତକର ମୃତ୍ୟୁ ନାହିଁ। ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ଆଜିର କାରିଗରୀ ଜ୍ଞାନ କାଗଜ, କାଳିରେ ମୁଦ୍ରିତ ପୁସ୍ତକକୁ ଏବେ ନହେଲେ ବି ଟିକେ ବିଳମ୍ବରେ ମୃତ୍ୟୁମୁଖକୁ ଠେଲି ଦେବ ନିଶ୍ଚୟ। ଏଣୁ ନୂଆ କାରିଗରୀ ଜ୍ଞାନ କୌଶଳର ବିସ୍ଫୋରଣକୁ ବୟସ୍କ ବ୍ୟକ୍ତିଙ୍କୁ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଆଜି ରାଜ୍ୟ ଅଭିଲେଖାଗାର ପରିସରରେ ‘ଟାଇମ୍‌ପାସ୍‌’ ପ୍ରକାଶନୀ ପକ୍ଷରୁ ଆୟୋଜିତ ବିଶିଷ୍ଟ ସ୍ତମ୍ଭକାର ଶ୍ରୀରାମ ଦାଶଙ୍କ ‘ସମୟର ସମ୍ନା’ ପୁସ୍ତକ ଲୋକାର୍ପଣ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଆହୁରି କହିଲେ, ବିଭିନ୍ନ ଖବରକାଗଜରେ ପ୍ରକାଶିତ ବିଭିନ୍ନ ସମୟର ୩୩ଟି ସ୍ତମ୍ଭକୁ ନେଇ ସଂକଳିତ ଏହି ପୁସ୍ତକ ନୂଆପିଢ଼ି ପାଇଁ ବେଶ୍‌ ଉପାଦେୟ ଓ ଅନୁକରଣୀୟ ହେବ।
ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ଯୋଗ ଦେଇ କହିଲେ, ଜଣେ ସ୍ତମ୍ଭକାର ଜନମତ ସୃଷ୍ଟିକାରୀ ହେବା ଆବଶ୍ୟକ। ସମସାମୟିକ ସମୟର ପକ୍ଷଭୁକ୍ତ ଦାର୍ଶନିକ ହେବା ଦରକାର। ତେବେ ଯାଇ ସମାଜର ମଣିଷମାନେ ନିଶା ଦେଇ ଶୁଆଇ ଦେଇଥିବା ନୀତି ଆଦର୍ଶ ଜାଗ୍ରତ ହୋଇପାରିବ।

ଏହି ପୁସ୍ତକରେ ବିତର୍କିତ ଇତିହାସ,ବୌଦ୍ଧିକ ଧର୍ମ, ରାଜନୈତିକ ବ୍ୟବସ୍ଥା, କଂଗ୍ରେସର ଅବକ୍ଷୟ, ବିଦେଶ ଭ୍ରମଣ, କୃଷକ ଓ ବିଭିନ୍ନ ଘଟଣା ଉପରେ ମତମନ୍ତବ୍ୟ ଆଦି କମ୍‌ ଶବ୍ଦରେ ବ୍ୟାପକ ଭାବେ ବର୍ଣ୍ଣିତ ହୋଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କିସ୍‌ର କୁଳପତି ହରେକୃଷ୍ଣ ଶତପଥୀ ଯୋଗ ଦେଇଥିବା ବେଳେ ମନୋରଞ୍ଜନ ମହାପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଟାଇମ୍‌ପାସ୍‌ର ନିର୍ଦ୍ଦେଶକ ସରୋଜ ବଳ ସ୍ୱାଗତ ଭାଷଣ ଦେଇଥିଲେ ଓ ମୁରଲୀଧର ପରିଡ଼ା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର