‘ସମ୍ବାଦ’ ପ୍ରଭାବ: ପିଲାଙ୍କୁ ‘ସଡ଼କରୁ ସ୍କୁଲ୍‌’

ପଥପ୍ରାନ୍ତରୁ ଉଦ୍ଧାର ହେଲେ ୧୧ ଶିଶୁ

ଭୁବନେଶ୍ୱର: ଆଜି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ ପରିସରରେ ଭିକ ମାଗୁଥିବା ଏବଂ କାମ କରୁଥିବା ବେଳେ ୧୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଓପେପା, ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ପୁଲିସ୍‌, ଚାଇଲ୍‌ଡ ଲାଇନ୍‌ ଏବଂ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ମାର୍କେଟ୍‌ ବିଲ୍‌ଡିଂରେ ଚଢ଼ଉ କରି ଏହି ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁଙ୍କୁ ରୁଚିକା ଓପନ୍‌ ସେଲ୍‌ଟର୍‌ରେ ରଖାଯାଇଛି। ଏଠାରେ ପିଲାମାନଙ୍କୁ କାଉନ୍‌ସେଲିଂ କରାଯିବା ପରେ ତଦନ୍ତ ହେବ। ତଦନ୍ତ ପରେ କେଉଁ ପିଲା ଘରକୁ ଫେରିବେ ଏବଂ କେଉଁ ପିଲାମାନେ ସରକାରଙ୍କ ଦ୍ୱାରା କରାଯାଇଥିବା ‘ଆବାସିକ ହଷ୍ଟେଲ୍‌’ରେ ରହିବେ, ସେନେଇ ସ୍ଥିର ହେବ ବୋଲି ଚାଇଲ୍‌ଡ ଲାଇନ୍‌ର ନିର୍ଦେଶକ ବେଣୁଧର ସେନାପତି କହିଛନ୍ତି।

ସୂଚନାଯୋଗ୍ୟ ‘ସମ୍ବାଦ’ରେ ଗତ ୧ ତାରିଖରେ ପ୍ରକାଶିତ ଖବର ‘ସଡ଼କରେ ଶଢ଼ୁଛି ଶୈଶବ: ଭିକ୍ଷା ପାଇଁ ପିଲାଙ୍କୁ ଶୁଙ୍ଘାଉଛନ୍ତି ନିଶା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆଜି ଏହିପରି ଏକ ମିଳିତ ଶିଶୁ ଉଦ୍ଧାର ଅଭିଯାନ କରାଯାଇଥିଲା। ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ) ମୁତାବକ, କୌଣସି ପିଲା ସ୍କୁଲ୍‌ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ନିୟମ ରହିଛି। ତେଣୁ ଏହି ଆଧାରରେ ଶିଶୁମାନଙ୍କୁ ପଥପ୍ରାନ୍ତରୁ ଉଦ୍ଧାର କରାଯାଇ ‘ଷ୍ଟ୍ରିଟ୍‌ ଟୁ ସ୍କୁଲ୍‌’ ତଥା ‘ସଡ଼କରୁ ସ୍କୁଲ୍‌’ ଶୀର୍ଷକ ଏକ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ଆଜି ୧୧ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, ସଂପ୍ରତି ଭୁବନେଶ୍ୱରରେ ନୟାପଲ୍ଲୀ, ରାଜଭବନ ସ୍କୁଲ୍‌ ଏବଂ ୟୁନିଟ୍‌ ୧ ଭଳି ୪ଟି ‘ଆବାସିକ ହଷ୍ଟେଲ୍‌’ରେ ୧୫୦ ଶିଶୁଙ୍କୁ ରଖାଯାଇ ଶିକ୍ଷା ଦିଆଯାଉଛି। ସମସ୍ତ ଖର୍ଚ ସରକାର ବହନ କରୁଛନ୍ତି।

ସମ୍ବନ୍ଧିତ ଖବର