ସାଉଥ୍‌କୋ‌ରେ ଦୁର୍ନୀତି : ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ!

ତଦନ୍ତ ଦାବି କଲା ଫରୱାର୍ଡ ବ୍ଲକ

ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍ ବିତରକ ସଂସ୍ଥା ‘ସାଉଥ୍‌କୋ’ର ସିଟି ସର୍କଲରେ ବ୍ୟାପକ ଅନିୟମିତତା ଓ ଟେଣ୍ଡର୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଗୋଳାବନ୍ଧ ପ୍ରକଳ୍ପ ଓ ୧୦ କିମି. ଭୂତଳ କେବୁଲ ବିଛାଇବା ପାଇଁ ୨ କୋଟି ୮୬ ଲକ୍ଷ ୨୮ହଜାର ୬୧୭ ଟଙ୍କାର ଟେଣ୍ଡର୍‌କୁ ପ୍ରମୁଖ ଖବର କାଗଜରେ ବିଜ୍ଞାପନ ପ୍ରକାଶ ନକରି ଓ ବୈଷୟିକ କମିଟିର ବିନା ଅନୁମୋଦନରେ ଦିଆଯାଇଛି। ୟୁନିଟ୍‌-୬ସ୍ଥିତ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏଭଳି ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ, ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ତାଙ୍କ ଅଭିଯୋଗ ମୁତାବକ, ଅଭିଯୋଗ ହେବା ପରେ ସାଉଥ୍‌କୋ ୟୁଟିଲିଟିର ମୁଖ୍ୟ ଭିଜିଲାନ୍ସର ଅଧିକାରୀ ତଦନ୍ତ ପାଇଁ ଅଧିକୃତ ଅଧିକାରୀଙ୍କୁ ଚିଠି ଜରିଆରେ ୨୦୧୬ ମସିହା ଅଗଷ୍ଟ ୧୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଚିଠି ପହଞ୍ଚିବାର ୩ ବର୍ଷ ପରେ ଅଧିକୃତ ଅଧିକାରୀ ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ତଦନ୍ତ ପାଇଁ ସାଉଥ୍‌କୋର ସିଇଓ ପି. ଅରୁଣ କୁମାରଙ୍କ ନିକଟକୁ ପଠାଇଥିଲେ। ୩ ବର୍ଷ ପରେ ଆସିଥିବା ଚିଠି ଏବେ ସିଇଓଙ୍କ ପାଖରେ ୮ ମାସ ହେଲା ପଡ଼ି ରହିଛି। ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସିଇଓ ଶ୍ରୀ କୁମାର ପୂର୍ବରୁ ରାୟଗଡ଼ା ସାଉଥ୍‌କୋରେ ଏସ୍‌ଇ (ଅଧୀକ୍ଷଣ ଯନ୍ତ୍ରୀ) ଭାବରେ କାର୍ଯ୍ୟ କରୁଥିବା ବେଳେ ୨୦୦୮ ମସିହାରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍‌ ଯାଇଥିଲେ। ଶ୍ରୀ କୁମାରଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ନ କରିବାକୁ ଭିଜିଲାନ୍ସ ଚିଠି ଲେଖି ସରକାରଙ୍କୁ ସୁପାରିସ୍‌ ମଧ୍ୟ କରିଥିଲା। କିନ୍ତୁ ତାଙ୍କୁ ସାଉଥ୍‌କୋର ଗୁରୁତ୍ୱପୂର୍ଣ୍ଣ ପଦରେ ଦୀର୍ଘ ବର୍ଷ ଧରି ଅବସ୍ଥାପିତ କରାଯିବା ସହ କାର୍ଯ୍ୟକାଳ ଦୁଇ ବର୍ଷ ଅଧିକ ସମ୍ପ୍ରସାରଣ କରାଯାଇଛି। ବର୍ତ୍ତମାନର ଏସ୍‌.ଇ ଲେଙ୍କା ପ୍ରସାଦ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ରାଜ୍ୟ ସାଧାରଣ ସଂପାଦକଙ୍କ ସମେତ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲା ୟୁଥ୍ ଲିଗ୍ ସମ୍ପାଦକ ମିଥୁନ୍ ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ପି. ଅରୁଣ କୁମାର ‘ସମ୍ବାଦ’କୁ କହିଛନ୍ତି, ଭିଜିଲାନ୍ସ ମୋ ବିରୋଧରେ ଏଭଳି କୌଣସି ନିର୍ଦ୍ଦେଶ ଦେଇ ନାହିଁ। ବିନା ଟେଣ୍ଡର୍‌ରେ ଏତେଗୁଡ଼ାଏ ଟଙ୍କାର କାମ ହେବା ପ୍ରଶ୍ନ ଉଠୁନାହିଁ। ଏଭଳି ଅଭିଯୋଗ ଉଦ୍ଦେଶ୍ୟମୂଳକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର