ହତ୍ୟାର ଶିକାର ଅଚିହ୍ନା ବ୍ୟକ୍ତିଙ୍କ ପରିଚୟ ଖୋଜା ଅଭିଯାନ: ରାଜଧାନୀର ୮ ହତ୍ୟା ମାମଲାର ଫାଇଲ ଖୋଲିଲା

ଭୁବନେଶ୍ବର : ୨୭ ମେ’ ୨୦୧୨। ଚନ୍ଦକା ଗୋଠପାଟଣା ଅଞ୍ଚଳରେ ଏକ ନିକାଞ୍ଚନ ସ୍ଥାନରେ ଜଣେ ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ମାମଲା ରୁଜୁ ହେଲା, କିନ୍ତୁ ପରିଚୟ ମିଳିଲା ନାହିଁ। ୯ ବର୍ଷ ପରେ ଫାଇଲ୍ ପୁଣି ଖେ‌‌ାଲିଛି ପୁଲିସ। ସ୍ବତନ୍ତ୍ର ଟିମ୍ ଗତକାଲି ରାଜଧାନୀ ଭୁବନେଶ୍ବର ଓ ଆଜି ଢେଙ୍କାନାଳରେ ଛାନଭିନ୍ ଚଳାଇଛି। ପରିଚୟ ମିଳିଲେ ହତ୍ୟାକାଣ୍ଡର ମଧ୍ୟ ପର୍ଦ୍ଦାଫାସ୍ ହୋଇପାରିବ ବୋଲି ଆଶା ରଖିଛି ପୁଲିସ। ସେହିପରି ୨୦୧୭ ଫେବ୍ରୁଆରି ୧ ତାରିଖରେ କୁଆଖାଇ ବ୍ରିଜ୍ ତଳୁ ଏକ ଏୟାରବ୍ୟାଗରେ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା। ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ୪ ବର୍ଷରୁ ଅଧିକ ଦିନ ହେଲାଣି ପରିଚୟ ମିଳିପାରୁନି। ଯାହା ଫଳରେ ତଦନ୍ତ ଆଗକୁ ଯାଇପାରୁନି। ଏହି ଭଳି ଭାବେ ହତ୍ୟା ମାମଲାର ଶିକାର ହୋଇ ମୃତକଙ୍କ ପରିଚୟ ମିଳି ନ ଥିବା ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ପ୍ରାୟ ୮ଟି ଫାଇଲ ପୁନର୍ବାର ଖେ‌ାଲିଛି କମିସନରେଟ ପୁଲିସ। ସେମାନେ କିଏ? ସେମାନଙ୍କ ଘର କେଉଁଠି ? ରାଜଧାନୀରେ ରହୁଥିଲେ ନା ଅନ୍ୟ କେଉଁଠୁ ଏଠାକୁ ଆସିଥିଲେ? ତାହାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ବତନ୍ତ୍ର ଟିମ୍ ଏହା ଉପରେ କାର୍ଯ୍ୟ କରିବ।

ମିଳିଥିବା ସୂଚନା ଅନୁସାରେ, ମଞ୍ଚେଶ୍ବର ଥାନା ଅଞ୍ଚଳରେ ଦୁଇଟି, ଚନ୍ଦକା ଅଞ୍ଚଳରେ ଦୁଇଟି, ଜଟଣୀ ଅଞ୍ଚଳରେ ଗୋଟିଏ, ବଡ଼ଗଡ଼ ଥାନା ମେଘେଶ୍ବର ମନ୍ଦିର ଭିତରେ ହତ୍ୟା କରାଯାଇଥିବା ବୃଦ୍ଧଙ୍କର ପରିଚୟ ମିଳିପାରି ନାହିଁ।

ସାଥୀ ଶ୍ରମିକଙ୍କୁ କଂକ୍ରିଟ ଖଣ୍ଡରେ ଛେଚି ହତ୍ୟା ଘଟଣା, ମିଳିଲାନି ପରିଚୟ, ୭୨ ଘଣ୍ଟା ପରେ ସଂସ୍କାର ହେଲା ମୃତଦେହ
ରାଜମହଲ-ଶିଶୁଭବନ ରାସ୍ତା ସ୍ମାର୍ଟ ଜନପଥରେ ସାଥୀ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟାକାଣ୍ଡରେ ଶିକାର ମୃତକଙ୍କ ପରିଚୟ ମିଳିଲା ନାହିଁ। କେବଳ ନାଁ ତ୍ରିନାଥ ବୋଲି ଅଭିଯୁକ୍ତ ନାରାୟଣ ସାହୁ ପୁଲିସ ଆଗରେ କହିଥିଲା। କିନ୍ତୁ ତା ଘର କେଉଁଠି, ସେ କେଉଁଠି ରୁହେ ସେ ସମ୍ପର୍କରେ ମଧ୍ୟ କିଛି ପରିଚୟ ମିଳିଲା ନାହିଁ। ସେହିପରି ନିୟମ ଅନୁସାରେ, କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷିତ ଗୃହରେ ମୃତଦେହ ୭୨ ଘଣ୍ଟା ରହିଲା ପରେ ସତ୍ୟନଗର ଶ୍ମଶାନରେ ସଂସ୍କାର କରାଯାଇଛି।

ଅପମୃତ୍ୟୁ ମାମଲାର ଶିକାର ଅଚିହ୍ନା ମୃତଦେହ ଫାଇଲ ମଧ୍ୟ ରିଓପନ୍ କରାଯିବ
କେବଳ ହତ୍ୟାର ଶିକାର ନୁହେଁ, ଅପମୃତ୍ୟୁ କିମ୍ବା ଆତ୍ମହତ୍ୟା କରିଥିବା ଅଚିହ୍ନା ବ୍ୟକ୍ତିଙ୍କ ଫାଇଲ ମଧ୍ୟ ରିଓପନ୍ କରାଯିବ। ଏଥିପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ସେଲ୍ ଖୋଲିଛି। ଜଣେ ଏସିପିଙ୍କ ନେତୃତ୍ବରେ ଏହି ଟିମ୍ କାମ କରୁଛି। ଅଚିହ୍ନା ମୃତଦେହର ପରିଚୟ ମଧ୍ୟ ଖୋଜିବେ।

ସବୁ ମାମଲାର ତିଆରି କରାଯିବ ପୋଷ୍ଟର
ଗତ ଫେବ୍ରୁଆରିରେ ଚନ୍ଦକା ଥାନା ଅନ୍ଧାରୁଆ-ଦାସପୁର ରାସ୍ତାରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡକାଟ ଘଟଣାରେ ପୁଲିସ ପ୍ରୟୋଗ କରିଥିବା ଫର୍ମୁଲା ସବୁ ଘଟଣାରେ ଅବଲମ୍ବନ କରାଯିବ ବୋଲି ଜଣାପଡ଼ିଛି। ମୃତଦେହର ଫଟୋ, ଶରୀରରେ ଥିବା ପୋଷାକ, ହାତ, ବେକ କିମ୍ବା ଗୋଡ଼ରେ ଥିବା ଧାତବ ପଦାର୍ଥ କିମ୍ବା ଅନ୍ୟ କିଛି ସାମଗ୍ରୀ, ଶରୀରରେ ଥିବା ଦାଗ ବା ଚିହ୍ନ, ଆଖପାଖରେ ପଡ଼ିଥିବା ସାମଗ୍ରୀକୁ ଆଧାର କରି ପୋଷ୍ଟର ତିଆରି କରାଯିବ। ଯେମିତି ଗୋଠପାଟଣାରେ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ମୃତଦେହ ନିକଟରୁ ମିଳିଥିବା ଲୁଗା ଜରିରେ ଢେଙ୍କାନାଳ କାମାକ୍ଷାନଗରରର ଠିକଣା ରହିଥିଲା, ଅନୁରୂପ ଭାବେ କୁଆଖାଇ ବ୍ରିଜ୍ ତଳୁ ଯୁବତୀଙ୍କୁ ଯେଉଁ ଅଖାରେ ଭର୍ତ୍ତି କରାଯାଇଥିଲା ତାହା ଚୋକଡ଼ ଅଖା ଓ ସେଥିରେ ଜଗତପୁରର ଠିକଣା ରହିଥିଲା। ତାହାକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି।

ସେତେବଳର ତଦନ୍ତ ଅଧିକାରୀ, ଆଇଆଇସିଙ୍କ କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ
ହତ୍ୟାର ଶିକାର ହୋଇଥିବା ଅଚିହ୍ନା ବ୍ୟକ୍ତିଙ୍କ ମାମଲାରେ କାହିଁକି ପୁଲିସ ପର୍ଦ୍ଦାଫାସ୍ କରିପାରି ନ ଥିଲା? ଅଚିହ୍ନା ବୋଲି କଣ ତଦନ୍ତକାରୀ ପୁଲିସ ବେଶୀ ଆଗ୍ରହ ଦେଖାଇ ନ ଥିଲା କି? ନା ପୁଲିସ ପରିଚୟ ପାଇବା ଲାଗି ସେତିକି ଚେଷ୍ଟା କରି ନ ଥିଲା? ଏବେ ଯେତେବେଳେ ପୁଲିସ ହତ୍ୟାର ଶିକାର ହୋଇଥିବା ଅଚିହ୍ନା ବ୍ୟକ୍ତିଙ୍କ ଫାଇଲ ରିଓପନ୍ କରିଛି ସେତେବେଳେ ଏମିତି ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ଯାହା ସେତେବେଳେର ତଦନ୍ତକାରୀ ଅଧିକାରୀ ଓ ଆଇଆଇସିଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

ସମ୍ବନ୍ଧିତ ଖବର