ଦ୍ବିତୀୟ ଦିନରେ ନୃତ୍ୟାଞ୍ଜଳି ମହୋତ୍ସବ: ମର୍ଦ୍ଦଳ ଓ ତବଲାର ଯୁଗଳବନ୍ଦୀ

ଭୁବନେଶ୍ବର: ମର୍ଦ୍ଦଳ ଓ ତବଲାର ଯୁଗଳବନ୍ଦୀରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସଂଧ୍ୟା। ବିଶିଷ୍ଟ ଓଡ଼ିଶୀ ମର୍ଦ୍ଦଳଗୁରୁ ସଚିଦାନନ୍ଦ ଦାସ ଓ ପ୍ରଖ୍ୟାତ ତବଲା ଗୁରୁ କୁଳମଣି ସାହୁଙ୍କ ଏହି ଯୁଗଳବନ୍ଦୀ ଦର୍ଶକଙ୍କୁ ବିମୋହିତ କରୁଥିଲା। ପରେ ପରେ ନୃତ୍ୟଗୁରୁ ଆଶିଷ ଦାସ, ଗୁରୁ ଯୁଧିଷ୍ଠିର ଦାସ, ମାମାଲି ପରିଜା ଓ ଆଦ୍ୟାଶା ମିଶ୍ରଙ୍କ ଏକକ ନୃତ୍ୟ ପରିବେଷଣ ବେଶ୍ ଚିତ୍ତାକର୍ଷକ ଥିଲା। ଶେ‌ଷରେ ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଅବସର ଥିଲା, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ନାଟକ ଅନୁଷ୍ଠାନ ‘ନୃତ୍ୟାଞ୍ଜଳି’ ପକ୍ଷରୁ ଆୟୋଜିତ ‘୨୭ତମ ନୃତ୍ୟାଞ୍ଜଳି ମହୋତ୍ସବ’ର ଦ୍ବିତୀୟ ସଂଧ୍ୟା। ଦିବସବ୍ୟାପୀ ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ଜଣ ନୃତ୍ୟଶିଳ୍ପୀ ଏକକ ନୃତ୍ୟ ପରିବେଷଣ କରିଥିଲେ। ସଂଧ୍ୟାରେ ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଗୁରୁ ରାମହରି ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଗୁରୁ ସୁକାନ୍ତ କୁମାର କୁଣ୍ଡୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଗୁରୁ ନିମା‌କାନ୍ତ ରାଉତରାୟ ଓ ରଞ୍ଜନ ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର