ଆମେ ଧର୍ମ ଓ ରାଷ୍ଟ୍ରକୁ ବିପଥଗାମୀ କରୁଛେ: ଶଙ୍କରାଚାର୍ଯ୍ୟ

ବାରଙ୍ଗ/ତ୍ରିଶୁଳିଆ: ଧର୍ମ, ସଂସ୍କୃତି, ପରମ୍ପରା ଓ ଦେବଦେବୀଙ୍କ ପ୍ରତି ଆମର ଆସ୍ଥା ରହୁନାହିଁ। ସନାତନ ହିନ୍ଦୁ ପରମ୍ପରାକୁ ଭୁଲି ଆମେ ଅନ୍ୟର ପରମ୍ପରାକୁ ଆପଣେଇବାରେ ଲାଗିଛେ। ଏହା ଆମ ଧର୍ମ ଓ ରାଷ୍ଟ୍ରକୁ ବିପଥଗାମୀ କରୁଛି ବୋଲି କହିଛନ୍ତି ପୁରୀ ଗୋବର୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ବାରଙ୍ଗସ୍ଥିତ ଝୁନ୍‌ଝୁନ୍‌ୱାଲା ବିଦ୍ୟାପୀଠ ଖେଳ ପଡ଼ିଆରେ ଆୟୋଜିତ ଧର୍ମ ମହାସଭାରେ ଯୋଗଦେଇ ଶଙ୍କରାଚାର୍ଯ୍ୟ ‘ଧର୍ମ, ରାଷ୍ଟ୍ର, ବିଜ୍ଞାନ’ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ। ଆଧ୍ୟାତ୍ମିକ ଓ ବୈଜ୍ଞାନିକ ପଦ୍ଧତିରେ ଆକର୍ଷଣ, ବିକର୍ଷଣ ପ୍ରକ୍ରିୟା ସମ୍ବନ୍ଧରେ କହିବା ସହ ଜୀବନର ଲକ୍ଷ୍ୟସ୍ଥଳ ପରଂବ୍ରହ୍ମ ବୋଲି କହିଥିଲେ। ସେ କହିଲେ, ଜଳ ଅଛି ବୋଲି ଶୋଷ ଅଛି। ଖାଦ୍ୟ ଅଛି ବୋଲି ଭୋକ ଅଛି। ସେହିଭଳି ଅମୃତ ନଥିଲେ ମୁକ୍ତିର ଇଚ୍ଛା ନ ଥାଆନ୍ତା। ଜନ୍ମ ନଥିଲେ ମୃତ୍ୟୁ ବି ନ ଥାଆନ୍ତା। ଜୀବନ ସ୍ବାଭାବିକ କିନ୍ତୁ ମୃତ୍ୟୁ ଅସ୍ବାଭାବିକ। ଚେଷ୍ଟା ବଳରେ ଏଠାରେ ନାସ୍ତିକ ବି ଆସ୍ତିକ‌ ହୋଇପାରିବ। ଈଶ୍ବରଙ୍କ ଇଚ୍ଛା ପୂରଣ ହେବା ସହ ସଂସ୍କାର ଆସିପାରିବ। ରାଷ୍ଟ୍ର ଓ ବିଶ୍ବର କଲ୍ୟାଣ ହୋଇପାରିବ।

ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ସଚିବ ନିର୍ବିକଳ୍ପାନନ୍ଦ, ଜଗନ୍ନାଥ ସଂସ୍କୃତି ଗବେଷକ ଡ. ପ୍ରଫୁଲ୍ଲ ରଥ, ଡ. କିସନ ଲାଲ୍‌ ଭରତିଆ, କଟକ କ୍ଷେତ୍ରୀୟ ସମ୍ପାଦକ ଲିଙ୍ଗରାଜ ପତି, ପୂର୍ବାଞ୍ଚଳ ଆଦିତ୍ୟ ବାହିନୀ ସଞ୍ଚାଳକ ଶୁଭେନ୍ଦୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶଙ୍କରାଚାର୍ଯ୍ୟ ସ୍ବାଗତ କମିଟିର ସଭାପତି ଅଭିମନ୍ୟୁ ବେହେରା, ବିଜୟ ପଣ୍ଡା, ସୁମିନା ପ୍ରଧାନ ଓ ନିରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର