କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡ କେଳେଙ୍କାରୀ ଘଟଣା

ଗୁମର ଫିଟୁଛି, ରହସ୍ୟ ବଢ଼ୁଛି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡର ନବୀକରଣ ନାଁରେ ହୋଇଥିବା ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ଘଟଣାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଇନ୍‌ଫୋସିସ୍‌ ପକ୍ଷରୁ ଦାୟିତ୍ବ ଦିଆଯାଇଥିବା ଏନ୍‌ଜିଓର ପ୍ରତିନିଧିଙ୍କୁ ହସ୍ପିଟାଲର ଜଣେ ପୂର୍ବତନ କର୍ମଚାରୀ ୱାର୍ଡ ବୁଲାଇବା ଘଟଣା ଚର୍ଚାକୁ ଆସିଥିବା ବେଳେ କିଛି ସାଦା ପୋଷାକଧାରୀ ଅଜଣା ବ୍ୟକ୍ତି ସେମାନଙ୍କ ଚାରିପାଖରେ ଘେରି ରହିଥିବା ସାମ୍ନାକୁ ଆସିଛି। ଏହି ବ୍ୟକ୍ତିମାନଙ୍କୁ କିଏ ପଠାଇଥିଲା ଓ ଏହି ଘଟଣାରେ ସେମାନଙ୍କର କ’ଣ ସଂପୃକ୍ତି ରହିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଶୁ ୱାର୍ଡର ନବୀକରଣ ନାଁରେ ହୋଇଥିବା ହରିଲୁଟ୍‌ରେ ଏକ ସିଣ୍ଡିକେଟ୍ କାମ କରୁଥିବା କୁହାଯାଉଛି। ତେବେ ଏହାକୁ କୌଣସି ପ୍ରକାର ଚାପି ଦେବାକୁ ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡକୁ ପରିଚାଳନା କରୁଛି ଇନ୍‌ଫୋସିସ୍। ଇନ୍‌ଫୋସିସ୍ ପକ୍ଷରୁ ଦୁଇ ବର୍ଷ ତଳେ ଏହାର ନବୀକରଣ ପାଇଁ ୧କୋଟି ୨୬ଲକ୍ଷ ଟଙ୍କା ଦିଆଯାଇଥିଲା। ହେଲେ ନବୀକରଣ ତ ଦୂରର କଥା ୱାର୍ଡର କିଛି ସ୍ଥାନରେ ରଂଗ ମାରି, ସିଲିଂ କରି ଲକ୍ଷାଧିକ ଟଙ୍କା ଲୁଟି ନିଆଗଲା। ହସ୍ପିଟାଲ କର୍ତୃପକ୍ଷଙ୍କ ଏହା ଉପରେ କୌଣସି କତୃତ୍ବ ନ ଥିବାରୁ ଘଟଣା ସଂପର୍କରେ ଜାଣି ମଧ୍ୟ ଚୁପ୍ ରହିଲେ। ହେଲେ ଗତ ମଙ୍ଗଳବାର ଏନ୍‌ଫୋସିସ୍‌ ସଂସ୍ଥାର ଏନ୍‌ଜିଓ ପ୍ରତିନିଧି ହସ୍ପିଟାଲ ଶିଶୁ ୱାର୍ଡ ବୁଲାଇବା ଘଟଣା ପରେ କେଳେଙ୍କାରୀ ଘଟଣା ପୁଣିଥରେ ସାମ୍ନାକୁ ଆସିଛି। କେବଳ ଯେ ପୂର୍ବତନ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ତା ନୁହେଁ ବରଂ ପ୍ରତିନିଧିଙ୍କ ଚାରିପାଖରେ ସାଦା ପୋଷାକରେ ଅଜଣାବ୍ୟକ୍ତି ଘେରି ରହିବା ଘଟଣାକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏନ୍‌ଜିଓର ୨ଜଣ ପ୍ରତିନିଧି ଶିଶୁ ୱାର୍ଡ ପରିଦର୍ଶନ କରିବାର ସୂଚନା ରହିଥିଲା। ତେବେ ଏହି ଦୁଇ ପ୍ରତିନିଧିଙ୍କ ବାଦ୍ ୨/୩ଜଣ ଅଜଣା ବ୍ୟକ୍ତି ସେମାନଙ୍କ ପାଖେ ପାଖେ ରହିଥିଲେ। ପୂର୍ବତନ କର୍ମଚାରୀ ଜଣକ ବିନା ଅନୁମତିରେ ସେମାନଙ୍କୁ ୱାର୍ଡ ବୁଲାଇ ଦେଖାଇବା ପରେ ହସ୍ପିଟାଲର ବରିଷ୍ଠ ଅଧିକାରୀ ଘଟଣାରେ ସନ୍ଦେହ କରି ପୁଣିଥରେ ସେମାନଙ୍କୁ ୱାର୍ଡ ବୁଲାଇ ଦେଖାଇଥିଲେ। ଏନ୍‌ଜିଓର ପ୍ରତିନିଧି ୱାର୍ଡର ବିଭିନ୍ନ ଫଟୋ ଓ ତଥ୍ୟ ସଂଗ୍ରହ କରିଥିଲେ ବୋଲି ଜଣାପଡ଼ିଛି।

ଡାକ୍ତରଙ୍କ ଛୁଟିରେ ଯିବା ଘଟଣା: କର୍ତୃପକ୍ଷଙ୍କ ରିପୋର୍ଟ ଦାଖଲ
କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ବିନା ଅନୁମତିରେ ବିଦେଶ ପଳାଇବା ଘଟଣାରେ ହସ୍ପିଟାଲ କର୍ତୃପକ୍ଷ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି। ‘ସମ୍ବାଦ’ରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ୧୫ଦିନ ମଧ୍ୟରେ ରିପୋର୍ଟ ତଲବ କରିଥିଲେ। ହସ୍ପିଟାଲ କର୍ତୃପକ୍ଷ ଏହାର ଯାଞ୍ଚ କରିବା ସହିତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହାସହ ହସ୍ପିଟାଲର ସର୍ଜରି ୱାର୍ଡରେ ଜଣେ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଟଙ୍କା ମଗାଯିବା ଘଟଣାରେ ମଧ୍ୟ ରିପୋର୍ଟ ପ୍ରଦାନ କରାଯାଇଛି। ରୋଗୀଙ୍କ ସଂପର୍କୀୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ଘଟଣାର ଯାଞ୍ଚ କରାଯିବା ସହିତ ରିପୋର୍ଟ ଦାଖଲ ହୋଇଛି।

ସମ୍ବନ୍ଧିତ ଖବର