ଛଉରେ ‘ସୀତା ସ୍ୱୟମ୍ବର’

ଜାତୀୟ ଛଉ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ସୀତା ସ୍ୱୟମ୍ବରଠୁ ନେଇ ବସନ୍ତ ବିହାର। ପୁଣି ନଟରାଜଙ୍କଠୁ ନେଇ ଗରୁଡ଼ ବାହନ। ପୌରାଣିକ କଥାବସ୍ତୁର ସାରକଥାଠୁ ନେଇ ସାମାଜିକ ସଚେତନଧର୍ମୀ କଥାସାରର କମନୀୟ ଉପସ୍ଥାପନାକୁ ଛଉ ନୃତ୍ୟରେ ଭେଟି ଦେଇଥିଲେ ଶିଳ୍ପୀବୃନ୍ଦ। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଥିବା ୩ ଦିନିଆ ‘ଜାତୀୟ ଛଉ ନୃତ୍ୟ ଉତ୍ସବ’ରେ ଦେଖିବାକୁ ମିଳିଥିଲା ଏହିଭଳି ନିଆରା ଉପସ୍ଥାପନା।

ପ୍ରାରମ୍ଭରେ ‘ଆଙ୍ଗିକ’ ନୃତ୍ୟାନୁଷ୍ଠାନର ସଦାଶିବ ପ୍ରଧାନଙ୍କ ଏକକ ଉପସ୍ଥାପନାରେ ‘ନଟରାଜ’ ଦେଖିବାକୁ ମିଳିଥିଲା। ପରେ ଆଙ୍ଗିକର ଦଳଗତ ନୃତ୍ୟରେ ‘ଗରୁଡ଼ ବାହନ’ର ନାଟକୀୟ ଉପସ୍ଥାପନା ନୃତ୍ୟରେ ବେଶ୍‌ ମନୋହର ଥିଲା। ଏଥିରେ ମୟୂରଭଂଜ ଛଉ ନୃତ୍ୟ ଶୈଳୀର ବୈଶିଷ୍ଟ୍ୟ ଦେଖିବାକୁ ମିଳିଥିଲା। ତାଙ୍କ ପରେ ପଶ୍ଚିମବଙ୍ଗର ବୀଣାପାଣି ରୂପଚାନ୍ଦ ଛଉ ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ପୁରୁଲିଆ ଛଉ। ଦିଲ୍ଲୀପ ମାହାତୋଙ୍କ ନୃତ୍ୟ ସଂଯୋଜନାରେ ଶିଳ୍ପୀମାନେ ‘ସୀତା ସ୍ୱୟମ୍ବର’ କଥାକୁ ବର୍ଣ୍ଣନା କରିଥିଲେ। ପରେ ମୟୂରଭଂଜର ନିଚୁଆପଦା ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନର ଶିଳ୍ପୀମାନେ ମୟୂରଭଂଜ ଛଉ ଶୈଳୀରେ ଭେଟି ଦେଇଥିଲେ ‘ବନବାସୀ’। ବନ୍ୟଜନ୍ତୁ ସୁରକ୍ଷା ନିହତ କଥାବସ୍ତୁକୁ ବେଶ୍‌ ରୋଚକ ଢଙ୍ଗରେ ପରିବେଷଣ କରିଥିଲେ ହରିପଦ ମହାନ୍ତ ଓ ସାଥୀ ଶିଳ୍ପୀମାନେ। ସେହିପରି ବସନ୍ତ ବିହାର ଏବଂ ଜାମ୍ବବାନ ପ୍ରସଙ୍ଗକୁ ନୃତ୍ୟରେ ପରସି ଦେଇଥିଲେ ଶିଳ୍ପୀବୃନ୍ଦ।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ତୃପ୍ତି ଦାସ ଏବଂ ସଚିବ ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।୨୬ ଓ ୨୭ରେ ମଧ୍ୟ ଛଉ ନୃତ୍ୟର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର