ଶିବକୁ ଝୁରୁଛନ୍ତି ବସ୍ତିବାସିନ୍ଦା ‘ଭାଇକୁ ଡାକ୍‌, ତା ସାଙ୍ଗେ ଖାଇବି’

ଭୁବନେଶ୍ବର: ମା’ ଭାଇ କୁଆଡ଼େ ଯାଇଛି। ତୁ କାହିଁକି କାନ୍ଦୁଛୁ? ସେ କ’ଣ ଖାଇବନି? ଯା’ ତାକୁ ନେଇକି ଆସିବୁ। ଭାଇ ଆସିଲେ ମୁଁ ଖାଇବି। ଗତକାଲି ବାଲିଆପାଟ ବସ୍ତିର ୬ ବର୍ଷୀୟ ଶିଶୁ ଜି.ଶିବ ସ୍ବେରେଜ ପକ୍ଷରୁ ଖୋଳାଯାଉଥିବା ଚୁଆରେ ବୁଡ଼ି ପ୍ରାଣ ହରାଇଥିଲେ ହେଁ ସାନ ଭାଇ ଜି.ସନ୍ତୋଷ (୪) ଅଳି କରି ଭାଇକୁ ଖୋଜୁଛି। ଭାଇ ଆସିଲେ ଖାଇବ ବୋଲି ଜଗି ବସୁଛି। ହେଲେ ବିଚରା ମା’ ଜି.ପାପା ନା ସାନ ପୁଅକୁ ବୁଝାଇ ପାରୁଛନ୍ତି ନା ଆଖିରୁ ବୋହି ଆସୁଥିବା ଅଶ୍ରୁଧାର ଅଟକାଇ ପାରୁଛନ୍ତି। ଏ ଘଟଣା ପରଠୁ ଶୋକରେ ବୁଡ଼ିଛି ବାଲିଆପାଟ। ସବୁଦିନ ଭଳି ଗତକାଲି ବି ଶିବ ଅଙ୍ଗନବାଡ଼ି ଯାଇଥିଲା। ସେଠାରୁ ଫେରିଲା ପରେ ପୁଅକୁ ଗାଧୋଇ ଦେଇ ମା’ ଖୁଆଇଥିଲେ। ଭାତ ସାଙ୍ଗକୁ କାଲି ତା’ର ପ୍ରିୟ ଖାଦ୍ୟ ଅଣ୍ଡା ତରକାରି ହୋଇଥିବାରୁ ଶିବ ପେଟେ ଖାଇଥିଲା। ଖାଇଲା ପରେ ମା’ ତା’କୁ ଶୋଇ ପଡ଼ିବାକୁ କହିଲେ। ହେଲେ ଶିବର ଜିଦ୍‌ ସେ ଖେଳିବାକୁ ଯିବ। କୁନି ପୁଅର ଅଝଟ ପଣ ଆଗେ ହାର୍‌ ମାନି ତାକୁ ଖେଳିବାକୁ ଛାଡ଼ି ଦେଇଥିଲେ ଜି. ପାପା। ମାତ୍ର ଜାଣି ନଥିଲେ ସେଠି ସ୍ବେରେଜ ପକ୍ଷରୁ ଖୋଳା ଯାଉଥିବା ଚୁଆ ତାଙ୍କୁ ରାକ୍ଷସ ଭାଳି ଜଗି ବସିଛି। ଖେଳ ଭିତରେ ମଜି ଯାଇଥିବା ବେଳେ ଚୁଆରେ ଗୋଡ଼ ଖସି ଯାଇଥିଲା। ସାଙ୍ଗମାନେ ଦୌଡ଼ି ଆସି ଶିବ ଘରେ ଜଣେଇଲେ। ମାତ୍ର ସେଠି ପରିବାର ଓ ପଡ଼ୋଶୀ ପହଞ୍ଚିବା ବେଳକୁ ଶିବ ଶବ ହୋଇଯାଇଥିଲା।

ଶିବର ମା’ ଜି.ପାପା କହିଛନ୍ତି, ସବୁବେଳେ ସେ ଘରଠୁ ଦୂରରେ ନିକାଞ୍ଚନରେ ଥିବା ସେଇ ପଡ଼ିଆକୁ ଖେଳିବାକୁ ଯାଏ। କାଲି ବି ଯାଇଥିଲା। ମତେ କହିଦେଇ ଗଲା ଯେ ଆଉ ଫେରିଲାନି। ଶିବର ଦେହାନ୍ତ ପରେ ମା’ ପାଗଳପ୍ରାୟ ତାକୁ ଘାରି ହେଉଛନ୍ତି। ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ କହିଛନ୍ତି, ସ୍ବେରେଜର କାମ ଅଧାରେ ପକେଇ ଚାଲି ଯାଇଥିବାରୁ ଅକାଳରେ ଏକ ଶିଶୁର ଜୀବନ ଚାଲିଯାଇଛି। ଏହି ଖାମଖିଆଲି କାମ ଯୋଗୁଁ ବିଭିନ୍ନ ସମୟରେ ଗାଈ ଗୋରୁମାନେ ବି ପ୍ରାଣ ହରାଉଛନ୍ତି। ତେଣୁ ତୁରନ୍ତ ଶିବର ପରିବାରକୁ ସ୍ବେରେଜ ବୋର୍ଡ ପକ୍ଷରୁ ଆର୍ଥିକ ସହାୟତା ସହ ପରିବାରର ଜଣକୁ ଚାକିରି ଯୋଗାଇ ଦେବାକୁ ଦାବି କରାଯାଇଛି। ସାହିର ସଭାପତି ରମେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ଅମୂଲ୍ୟ କୁମାର ବେହେରା କହିଛନ୍ତି, ଯଦି ସ୍ବେରେଜ ବୋର୍ଡ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆନଯାଏ ତେବେ ସ୍ବେରେଜ କାର୍ଯ୍ୟାଳୟ ଘେରାଉ କରିବୁ। ଶିବର ମୃତ୍ୟୁ ପରେ ତାହା ମଣିଷ ଖିଆ ଚୁଆ ପାଲଟି ଯାଇଛି। କରୋନା ଯୋଗୁଁ କାମ ବନ୍ଦ ରହିଥ‌ିଲେ ମଧ୍ୟ ଚୁଆ ଚାରି ପାଖ ମୁକୁଳା ପକାଇ ଦିଆଯାଇଛି। ଅନ୍ତତଃ ତା’ର ଚାରି ପାର୍ଶ୍ବରେ ଅସ୍ଥାୟୀ ବାଡ଼ ପକାଇ ଦେଇଥିଲେ ଜଣେ ନୀରିହ ଶିଶୁର ଜୀବନ ଅକାଳରେ ଚାଲି ଯାଇନଥାଆନ୍ତା।

ସମ୍ବନ୍ଧିତ ଖବର