ତାରମୁକ୍ତ ହେବ ସ୍ମାର୍ଟ ସିଟି, ଅପ୍ଟିକାଲ ଫାଇବର ଜରିଆରେ ପହଞ୍ଚିବ ଇଣ୍ଟରନେଟ୍‌

ଭୁବନେଶ୍ବର : ତାର ମୁକ୍ତ ହେବ ସ୍ମାଟ ସିଟି ଭୁବନେଶ୍ବର। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପ୍ରତ୍ୟେକ ଘରକୁ ଭୂତଳ ଅପ୍ଟିକାଲ କେବୁଲ୍‌ ଜରିଆରେ ଇଣ୍ଟରନେଟ୍‌ ଯୋଗାଇବାକୁ ଯାଉଛି। ଏ ପର୍ଯ୍ୟନ୍ତ ୬୮୦ କିଲୋମିଟର କେବୁଲ ବିଛା ସରିଛି। ଏଥିରୁ ୫୫୦ କିଲୋମିଟର ସଫଳତାର ସହ ପରୀକ୍ଷା କରାଯାଇଛି। ଇଣ୍ଟରନେଟ୍‌ ଯୋଗାଇବା ପାଇଁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ଇଣ୍ଟରନେଟ୍‌ ପ୍ରୋଭାଇଡର୍‌ଙ୍କ ଠାରୁ ଟେଣ୍ଡର ଜରିଆରେ ପ୍ରସ୍ତାବ ଆହ୍ବାନ କରାଯାଇଥିବା ସୂଚନା ଦେଇଛନ୍ତି ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂହ।

ବିଏସ୍‌ସିଏଲ୍‌ ଜିଏମ୍‌ କମଲଜିତ୍‌ ଦାସ କହିଛନ୍ତି, ପୂର୍ବରୁ ବିଭିନ୍ନ ଇଣ୍ଟରନେଟ୍‌ ଯୋଗାଉଥିବା ସଂସ୍ଥା ବିଦ୍ୟୁତ ଖୁଣ୍ଟ ଓ ଟେଲିଫୋନ୍‌ ଖୁଣ୍ଟରେ ତାର ନେଉଥିଲେ। ମୁଣ୍ଡ ଉପରେ ତାର ସବୁ ଝୁଲି ରହୁଥିଲା। ସାଧାରେଣ ଲୋକଙ୍କ ପ୍ରତି ଏହା ଅନେକ ସମୟରେ ବିପଦ ସୃଷ୍ଟି କରିବା ସହ ସହରର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିଲା। ଏବେ ବିଏସ୍‌ସିଏଲ୍‌ର ଏହି ଭୂତଳ ନେଟ୍‌ୱର୍କକୁ ଇଣ୍ଟରନେଟ୍‌ ଗ୍ରାହକ ଓ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥା ବ୍ୟବହାର କରିବେ। ଉତ୍ତମ ସ୍ପିଡ୍‌ ସହ ସହର ମଧ୍ୟ ସୁନ୍ଦର ଦିଶିବ। ୬୮୦ କିଲୋମିଟରରେ ସମ୍ପୂର୍ଣ୍ଣ ରାଜଧାନୀକୁ ଏଥିରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ଅପ୍‌ଟିକାଲ୍‌ ଫାଇବର କମ୍ୟୁନିକେସନ ନେଟ୍‌ୱର୍କ ବିଏସ୍‌ସିଏଲ୍‌ ସିସିଟିଭି କ୍ୟାମେରା, ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌, ଡିଜିଟାଲ ସାଇନ୍‌ବୋର୍ଡ, ଟିଭିଡିଏସ୍‌ ସିଷ୍ଟମ୍‌, ୱାଇଫାଇ ସିଷ୍ଟମ୍‌ରେ ବ୍ୟବହାର କରାଯାଉଥିଲା। ଏବେ ଏହି ବ୍ୟବସ୍ଥାରେ ସାଧାରଣ ଲୋକ ଇଣ୍ଟରନେଟ୍‌ ସୁବିଧା ପାଇବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର