୧୦ ହଜାର ଟଙ୍କାରେ ‘ସ୍ମାର୍ଟ କିଓସ୍କ’ ଡିଲ୍‌!

ବ୍ୟବସାୟୀଙ୍କଠାରୁ ଆଦାୟ ହେଉଛି ଟଙ୍କା, ବିଏମ୍‌ସି, ବିଏସ୍‌ସିଏଲ୍‌ କର୍ମଚାରୀ ସାମିଲ୍‌

ଭୁବନେଶ୍ବର: ସ୍ମାର୍ଟ ଜନପଥ ନିର୍ମାଣ ପାଇଁ ଏବେ ଜନପଥ କଡ଼ରୁ ଭେଣ୍ଡିଂ ଜୋନ୍ ବ୍ୟବସାୟୀଙ୍କୁ ଉଠା ଚାଲିଛି। ଯାହାର ଦୋକାନ ଭଙ୍ଗାଯାଉଛି, ସେମାନଙ୍କୁ ସ୍ମାର୍ଟ କିଓସ୍କ ଯୋଗାଇ ଦିଆଯାଉଛି। ହେଲେ ଏହି ସ୍ମାର୍ଟ କିଓସ୍କ ବଣ୍ଟନକୁ ନେଇ ଏବେ ଜୋରଦାର୍ ଡିଲ୍‌ ଚାଲିଛି। ଏହି ଡିଲ୍‌ ବିଏମ୍‌ସି, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) କର୍ମଚାରୀ ଓ ଉଠାଦୋକାନୀ ମହାସଂଘର କିଛି କର୍ମକର୍ତ୍ତା କରୁଛନ୍ତି। ଏନେଇ ବିଏମ୍‌ସି ଓ ବିଏସ୍‌ସିଏଲ୍‌ର ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲେ ବି ସମସ୍ତେ ଚୁପ୍।

ମିଳିଥିବା ସୂଚନା ଅନୁଯାୟୀ, ସ୍ମାର୍ଟ ଜନପଥ ପାଇଁ ବର୍ତ୍ତମାନ ସୁଦ୍ଧା ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ମଧ୍ୟରେ ଖୋଲିଥିବା ଭେଣ୍ଡିଂ ଜୋନ୍‌, ଶ୍ରୀୟା ଛକ ଭେଣ୍ଡିଂ ଜୋନ୍‌ ଓ ରୁପାଲି ଛକ ଭେଣ୍ଡିଂ ଜୋନ୍‌ର ବ୍ୟବସାୟୀଙ୍କୁ ଉଚ୍ଛେଦ କରିବା ପରେ ସେମାନଙ୍କୁ ସ୍ମାର୍ଟ କିଓସ୍କ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪୨ଟି କିଓସ୍କ ବଣ୍ଟା ସରିଲାଣି। ଏବେ ପ୍ରାୟ ୫୮ଟି କିଓସ୍କ ବଳିଥିବା ବେଳେ ଆଗକୁ ଆଉ ୧୦୦ଟି ସ୍ମାର୍ଟ କିଓସ୍କ ନିର୍ମାଣ କରି ଆବଣ୍ଟନ ହେବ। ହେଲେ ଏହି କିଓସ୍କ ବାଣ୍ଟିବା ପାଇଁ କର୍ମଚାରୀମାନେ ଡିଲ୍‌ ଆରମ୍ଭ କରିଦେଇଛନ୍ତି। ଯିଏ ୧୦ ହଜାର ଟଙ୍କା ଆଗୁଆ ଦେବ ତାଙ୍କ ନାଁ ସ୍ମାର୍ଟ କିଓସ୍କ ପାଇବା ତାଲିକାରେ ଚଢ଼ାଯିବ। ଯେଉଁଥିପାଇଁ ଏବେ ରାଜଧାନୀର ଗଳିକନ୍ଦିର ବ୍ୟବସାୟୀ, ରାଜଧାନୀ ବାହାରର ବ୍ୟବସାୟୀ ଜନପଥରେ ଦୋକାନ କରିବାକୁ ଆଖେଇଛନ୍ତି।

ଆଜି ଏହିଭଳି ଏକ ଡିଲ୍‌ ସତ୍ୟନଗରସ୍ଥିତ ମଙ୍ଗଳା ମନ୍ଦିରରେ ହୋଇଥିବା ଜଣାଯାଇଛି। ସତ୍ୟନଗରରେ ଥିବା ମା’ ମଙ୍ଗଳା ଭେଣ୍ଡିଂ ଜୋନ୍‌ରେ ୪୩ଟି ଦୋକାନ ଥିବା ବେଳେ ଏଠାରେ ଥିବା ବ୍ୟବସାୟୀଙ୍କୁ ଜନପଥରେ ଦୋକାନ ଦେବାର ଲୋଭ ଦେଖାଯାଇଛି। ବିଏମ୍‌ସି ଓ ବିଏସ୍‌ସିଏଲ୍‌ର କିଛି ଅଧିକାରୀ ଉଠାଦୋକାନୀ ମହାସଂଘର କିଛି କର୍ମକର୍ତ୍ତାଙ୍କୁ ନେଇ ଏହି ଡିଲ୍‌ ହୋଇଛି। ମନ୍ଦିରରେ ଭୋଜି ହେବା ସହ ବ୍ୟବସାୟୀଙ୍କଠାରୁ ୧୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଛି। ଆଉ ତାଲିକାରେ ନାଁ ଚଢ଼ିବା ପରେ ସ୍ମାର୍ଟ ଜନପଥ କଡ଼ରେ ଦୋକାନ ଦେବାକୁ ଆଶା ଦେଖାଯାଇଛି।

ଏହି ମା’ ମଙ୍ଗଳା ଭେଣ୍ଡିଂ ଜୋନ୍‌ରେ ଦୋକାନ କରୁଥିବା ବ୍ୟବସାୟୀମାନେ ପୂର୍ବରୁ ଜନପଥ କଡ଼ରେ ଦୋକାନ ଖୋଲିଥିବା ବେଳେ ସେମାନଙ୍କୁ ବିଏମ୍‌ସି ଉଠାଇ ଏଠାରେ ଭେଣ୍ଡିଂ ଜୋନ୍ କରି ବସାଇଥିଲା। କିନ୍ତୁ ଏବେ ବିଏମ୍‌ସି କର୍ମଚାରୀ ଆସି ସେମାନଙ୍କୁ ପୁଣି ଜନପଥକୁ ଫେରାଇ ନେବାକୁ ଲୋଭ ଦେଖାଇ ଟଙ୍କା ଆଦାୟ କରିଛନ୍ତି। ଏପରିକି ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ଦୋକାନ କରିଥିବା ‌କିଛି ଲୋକଙ୍କୁ ସ୍ମାର୍ଟ ଜନପଥ କଡ଼ରେ ଦେକାନ ଦେବା ଆଶା ଦେଖାଇ ୨୦ରୁ ୩୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଅଧିକାଂଶ ଦୋକାନରେ ଭେଣ୍ଡିଂ ଜୋନ୍ ପାଇଥିବା ବ୍ୟବସାୟୀ ଦୋକାନକୁ ଭଡ଼ାରେ ଲଗାଇ ଅନ୍ୟତ୍ର ବ୍ୟବସାୟ କରୁଥିବା ବେଳେ ଯେଉଁମାନେ ଏଠାରେ ଭଡ଼ାରେ ବ୍ୟବସାୟ କରୁଛନ୍ତି, ସେମାନଙ୍କ ନାଁରେ ବି ‌ସ୍ମାର୍ଟ କିଓସ୍କ କରାଇଦେବା ଲୋଭ ଦେଖାଇ ଟଙ୍କା ଆଦାୟ କରାଯାଉଛି। ଏନେଇ ବିଏମ୍‌ସି ଓ ବିଏସ୍‌ସିଏଲ୍‌ର କିଛି ଅଧିକାରୀ ଅବଗତ ଅଛନ୍ତି। କିନ୍ତୁ ଅଦୃଶ୍ୟ କାରଣ ପାଇଁ ସମସ୍ତେ ଚୁପ୍।

ଉଠାଦୋକାନୀ ମହାସଂଘର କର୍ମକର୍ତ୍ତା ଏହିଭଳି ଡିଲ୍‌ କରୁଥିବା ନେଇ ନିଖିଳ ଓଡ଼ିଶା ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୋ ନିକଟରେ ବି ଏମିତି କିଛି ଅଭିଯୋଗ ଅଛି। ମହାସଂଘ କାହାଠାରୁ ଟଙ୍କା ଆଦାୟ କରୁନି। କିଛି ଲୋକ ମହାସଂଘ ନାଁରେ ଏମିତି କରୁଛନ୍ତି। ବିଏମ୍‌ସି ଓ ବିଏସ୍‌ସିଏଲ୍‌ ଅଧିକାରୀ ପ୍ରକୃତ ବ୍ୟବସାୟୀଙ୍କୁ ସ୍ମାର୍ଟ କିଓସ୍କ ପ୍ରଦାନ କରନ୍ତୁ। ଯଦି କିଏ ଟଙ୍କା ମାଗୁଛି, ତାର ତଦନ୍ତ ହେଉ। ନଚେତ ବହୁ ଗରିବ ବ୍ୟବସାୟୀ ଟଙ୍କା ଦେଇ ଫସିଯିବେ। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କିଛି ଉତ୍ତର ମିଳିନଥିଲା।

‘ସ୍ମାର୍ଟ କିଓସ୍କ’ ଛୋଟ ପଛରେ କାହା ଚାଲ୍‌?
ସ୍ମାର୍ଟ ଜନପଥରେ ଯେଉଁ କିଓସ୍କ ପଡ଼ିଛି ତା’ର ନିର୍ମାଣରେ ବି ବଡ଼ କେଳାଙ୍କାରୀ ଥିବା ଅଭିଯୋଗ ହୋଇଛି। ସବୁ କିଓସ୍କ ଗୋଟିଏ ପ୍ରକାରର ହେବ କୁହାଯାଇଥିଲେ ହେଁ ଦୁଇ ପ୍ରକାରର କିଓସ୍କ ନିର୍ମାଣ ହୋଇଛି। କିଛି କିଓସ୍କ ୬ଫୁଟରେ ୪ଫୁଟ ଥିବା ବେଳେ କିଛି କିଓସ୍କ ୬ଫୁଟରେ ୩ଫୁଟ ଅଛି। ହେଲେ ବ୍ୟବସାୟୀଙ୍କଠାରୁ ସମାନ ଫି’ ନିଆଯାଉଛି। ତେଣୁ ଛୋଟ କିଓସ୍କ ପାଉଥିବା ବ୍ୟବସାୟୀମାନେ କାହିଁକି ୧୨ ହଜାର ଟଙ୍କା ଜମା କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଛୋଟ କିଓସ୍କ ପାଇଁ ସେମାନେ ୧୦ ହଜାର ଟଙ୍କା ଦେବେ ବୋଲି କହୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଗୋଟିଏ ପ୍ରକାରର, ଗୋଟିଏ ରଙ୍ଗର କିଓସ୍କ କରାଯାଉଥିବା ନେଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କହୁଥିଲେ ହେଁ ଫୁଟେ ଓସାର କମ୍‌ କିଓସ୍କ କିପରି ନିର୍ମାଣ ହେଲା। ଯେଉଁ ସଂସ୍ଥା ଏହାକୁ ନିର୍ମାଣ କଲା ଏବଂ ଯେଉଁ ଅଧିକାରୀ ଏହା ଦାୟିତ୍ବ‌ରେ ଥିଲେ, ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର