ଫାବିପିରାଭିର ବଟିକା ନେଇ ଜାରି ହେଲା ଏସ୍‌ଓପି, ଡାକ୍ତରଙ୍କ ପରାମର୍ଶରେ ଗୃହ ପୃଥକବାସରେ ଥିବା ରୋଗୀ ଖାଇପାରିବେ ବଟିକା

ଔଷଧ ପାଇଁ ଜିଲ୍ଲାସ୍ତରରେ ରହିବେ ନୋଡାଲ ଅଧିକାରୀ

ଭୁବନେଶ୍ବର: ଗୃହ ପୃଥକବାସରେ ରହୁଥିବା ଲକ୍ଷଣଯୁକ୍ତ କରୋନା ରୋଗୀଙ୍କ ପାଇଁ ଫାବିପିରାଭିର ବଟିକା ନେଇ ରାଜ୍ୟ ସରକାର ଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର୍‌ (ଏସ୍‌ଓପି) ଜାରି କରିଛନ୍ତି। ଏହି ବଟିକା ଖାଇବା ଲାଗି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚଠାରୁ ଆରମ୍ଭ କରି ଲିଖିତ ମଞ୍ଜୁରି, ଔଷଧର ଡୋଜ୍, ପାର୍ଶ୍ବ ପ୍ରତିକ୍ରିୟା ଓ ଔଷଧ ଯୋଗାଣ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍‌ଓମାନଙ୍କୁ ଚିଠି ଜାରି କରାଯାଇଛି। ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସ୍ପଷ୍ଟ ଭାବେ କୁହାଯାଇଛି।

ଶିଶୁ, ଗର୍ଭବତୀ ମହିଳାଙ୍କୁ ଔଷଧ ନ ଖାଇବା ଲାଗି ପରାମର୍ଶ

ରାଜ୍ୟରେ ଏବେ ବହୁ ସଂଖ୍ୟାରେ କରୋନା ରୋଗୀ ଗୃହ ପୃଥକବାସରେ ରହିଛନ୍ତି। ଫାବିପିରାଭିର ହେଉଛି ଏକ ଆଣ୍ଟିଭାଇରାଲ ବଟିକା। ଏହି ବଟିକା ଖାଇବା ଲାଗି ଡାକ୍ତରଙ୍କ ପରାମର୍ଶ ଜରୁରୀ। ଏହାସହ ରୋଗୀ ଲିଖିତ ଭାବେ ମଞ୍ଜୁରି ଦେବାକୁ ହେବ। ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ପକ୍ଷରୁ ଡାକ୍ତରଙ୍କ ପରାମର୍ଶରେ ଗୃହ ପୃଥକବାସରେ ରହୁଥିବା ରୋଗୀଙ୍କୁ ଏହି ବଟିକା ଦିଆଯିବ କି ନାହିଁ, ତାହା ସ୍ପଷ୍ଟ କରିବେ। ଯଦି ସଂପୃକ୍ତ ରୋଗୀଙ୍କୁ ଫାବିପିରାଭିର ବଟିକା ଦିଆଯିବା ନେଇ ସ୍ଥିର ହୁଏ, ତା’ହାଲେ ୫ଦିନର କୋର୍ସକୁ ଆର୍‌ଆର୍‌ଟି ପକ୍ଷରୁ ଯୋଗାଇ ଦିଆଯିବ। ଏହି ସମୟରେ ଆର୍‌ଆର୍‌ଟି ପକ୍ଷରୁ ସଂପୃକ୍ତ ବଟିକାକୁ କିଭଳି ଖିଆଯିବ, ଏହାର ପାର୍ଶ୍ବ ପ୍ରତିକ୍ରିୟା ଆଦି ସଂପର୍କରେ ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ସୂଚନା ଦେବାକୁ କୁହାଯାଇଛି।

ଯଦି ଔଷଧ ଖାଇବା ସମୟରେ ରୋଗୀ ନିଜ ଶରୀରରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇବା ସଂପର୍କରେ ଜଣାନ୍ତି ଓ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟେ, ତାହାଲେ ସଂପୃକ୍ତ ରୋଗୀଙ୍କୁ କୋଭିଡ୍‌ କେୟାର ବ୍ୟବସ୍ଥାକୁ ସ୍ଥାନାନ୍ତର କରିବା ଲାଗି ଆର୍‌ଆର୍‌ଟି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ। ବଟିକାରେ କିଛି ପାର୍ଶ୍ବ ପ୍ରତିକ୍ରିୟା ରହିଥିବାରୁ ରୋଗୀମାନେ ମନଇଚ୍ଛା ଫାବିପିରାଭିର ବଟିକା ନ ଖାଇବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ରକ୍ତରେ ୟୁରିକ୍ ଏସିଡର ମାତ୍ରା ବୃଦ୍ଧି ପାଇବା, ପତଳା ଝାଡ଼ା, ଶ୍ବେତ ରକ୍ତ ଶର୍କରା ପରିମାଣ ହ୍ରାସ ଓ ଯକୃତ ଏନଜାଇମରେ ବୃଦ୍ଧି ଘଟିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥାଏ। ଯଦି ଏଭଳି କୌଣସି ଲକ୍ଷଣ ଦେଖାଦିଏ, ତାହାଲେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଲାଗି କୁହାଯାଇଛି। ତେବେ ଗର୍ଭବତୀ ମହିଳା, ଗର୍ଭବତୀ ହେବା ନେଇ ସମ୍ଭାବନା ଥିବା, ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହି ବଟିକା ଖାଇବା ଲାଗି ବାରଣ କରାଯାଇଛି। ଏହାସହ ଶିଶୁମାନଙ୍କୁ ମଧ୍ୟ ଏହି ବଟିକା ନ ଦେବା ଲାଗି କୁହାଯାଇଛି।

ଏହି ବଟିକା ଯୋଗାଣ ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ରହିବା ଲାଗି ନିର୍ଦେଶ ଦିଆଯାଇଛି। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ, ତଥ୍ୟ ସଂଗ୍ରହ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଏସ୍‌ଏମ୍‌ଏସ୍‌, ହ୍ବାଟ୍‌ସଆପ, ଇ-ମେଲ ଓ ଟେଲିମେଡିସନ୍‌ର ସୁବିଧା କରିବାକୁ କୁହାଯାଇଛି। ଔଷଧ ଯୋଗାଣ ଯେପରି ବାଧାପ୍ରାପ୍ତ ନ ହୁଏ, ରାଜ୍ୟ ଔଷଧ ନିଗମ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ବ ଦେବା ପାଇଁ ବିଭାଗ ନିର୍ଦେଶ ‌ଦେଇଛି।

ସମ୍ବନ୍ଧିତ ଖବର