ରଥଦାଣ୍ଡରେ ରଥାରୂଢ଼ ଶ୍ରୀଲିଙ୍ଗରାଜ: ଘଣ୍ଟାଏ ବିଳମ୍ବରେ ଗଡ଼ିଲା ରଥ

ଭୁବନେଶ୍ବର: ଭଉଣୀ ମା’ ରୁକ୍ମିଣୀ ଓ ଶ୍ରୀଦୋଳଗୋବିନ୍ଦଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାମେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ। ଆଜି ଭୋର୍‌ରୁ ମଙ୍ଗଳ ଆଳତି ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଧୂପ, ବଲ୍ଲଭ, ଭୋଗ ମଣ୍ଡପ କରାଯାଇଥିଲା। ମନ୍ଦିରର ସବୁ ନୀତିକାନ୍ତି ସରିବା ପରେ ଅପରାହ୍ନ ସାଢ଼େ ୧ଟାରେ ଶ୍ରୀଜୀଉ ପହଣ୍ଡି ବିଜେ କରିଥି‌ଲେ। ଅପରାହ୍ନ ୨ଟାରେ ରଥାରୂଢ଼ ହୋଇଥିଲେ ପ୍ରଭୁ। ରଥ ଉପରେ ମହାପ୍ରଭୁଙ୍କ ପରିକ୍ରମା ସରିବା ପରେ ସେବାୟତମାନେ ଶ୍ରୀଜୀଉଙ୍କୁ ସିଂହାସନରେ ବିଜେ କରାଇଥିଲେ।

ପରେ ଛେରା ପହରା ସମାପନ କରାଯାଇଥିଲା। ଚାରି ଦ୍ୱାର ପୂଜା ସାରିବା ପରେ ରଥରେ ଚାରି ଅଶ୍ବଙ୍କୁ ଯୋଚା ଯାଇଥିଲା। ଏହା ପରେ ଚାରାମାଳ ଖୋଲି ଦିଆଯାଇଥିଲା ଓ ଅପରାହ୍ନ ୪ଟା ୩୫ମିନିଟ୍‌ରେ ଡାହୁକଙ୍କୁ ରଥ ଭାର ଅର୍ପଣ କରାଯାଇଥିଲା। ଏହାର ୫ମିନିଟ୍‌ ପରେ ଅର୍ଥାତ୍‌ ୪ଟା ୪୦ମିନିଟ୍‌ରେ ରଥ ଗଡ଼ିବା ଆରମ୍ଭ ହୋଇଥିଲା। ତେବେ ସନ୍ଧ୍ୟା ୬ଟା ୨୦ମିନିଟ୍‌ ସୁଦ୍ଧା ରଥ ତିନିମୁଣ୍ଡିଆ ଛକରେ ପହଞ୍ଚିବା ବେଳକୁ ସୂର୍ଯ୍ୟାସ୍ତ ହୋଇଯିବାରୁ ରଥଟଣା ବନ୍ଦ କରାଯାଇଥିଲା।

ଆଜି ସେହିଠାରେ ମହାପ୍ରଭୁ ରଥ‌ରେ ରହଣି କରିବେ। ମହାପ୍ରଭୁଙ୍କ ସାନ୍ଧ୍ୟ ଓ ରାତ୍ର ପୂଜା ବିଧି ରଥରେ ହିଁ ଅନୁଷ୍ଠିତ ହେବ। ଆସନ୍ତାକାଲି ଅପରାହ୍ନ ୩ଟାରେ ପୁଣି ରଥ ଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗୋଟିଏ ଦିନରେ ରଥ ମାଉସୀ ମା’ ମନ୍ଦିରରେ ଲାଗିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ମାତ୍ର ଟାଣ ଖରା ଓ ପୂଜା ନୀତି ବିଳମ୍ବ ଯୋଗୁଁ ରଥ ଟଣା ବିଳମ୍ବିତ ହୋଇଥିଲା। ତେଣୁ ଅପରାହ୍ନ ସାଢ଼େ ୩ଟାରେ ରଥ ଟଣା ହେବାକୁ ଧାର୍ଯ୍ୟ ହୋଇଥିଲେ ବି ୪ଟା ୪୦ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା। ତିନିମୁଣ୍ଡିଆ ଛକରେ ରଥ ପହଞ୍ଚିବା ବେଳକୁ ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଟଣା ବନ୍ଦ କରାଯାଇଥିଲା।

ସେବା ଯୋଗାଇଲେ ସେଚ୍ଛାସେବୀ

ରଥଯାତ୍ରା ପାଇଁ ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର କରାଯାଇଥିଲା। ରଥଦାଣ୍ଡରେ କମିସନରରେଟ୍ ପୁଲିସ, ସ୍କାଉଟ୍‌ ଗାଇଡ଼୍‌, ହରି ଓଁ କ୍ଲବ, ଭାରତ ବିକାଶ ପରିଷଦ, ସେବା ପ୍ରତିନିଧି, ସ୍ନେହୀ ସମାଜ, ପ୍ରଦୀପ ସେବା ଟ୍ରଷ୍ଟ, ସମ୍ପର୍କ ପରିବାର, ସତ୍ୟସାଇ ସେବା ଗ୍ରୁପ୍‌, ନିର୍ଭୟା ଟ୍ରଷ୍ଟ, ଏକାମ୍ର କଲେଜ, ପତଞ୍ଜଳି ମହିଳା ଶାଖା, ପାଟରା ସମାଜ, କଂସାରୀ ସମାଜ, ସଦ୍‌ଜ୍ଞାନ ବିକାଶ ସଂଘ, ଗୌତମନଗର ଉନ୍ନୟନ ପରିଷଦ, ଉତ୍କଳ ବିକାଶ ଯୁବ ପରିଷଦ, ଏକାମ୍ର ସାଂସ୍କୃତିକ ପରିଷଦ, ଶୁଭ ସକାଳ ଗ୍ରୁପ୍‌, ଜଳନ୍ଧର ବଧ ପୂଜା କମିଟି ଆଦି ବହୁ ଅନୁଷ୍ଠାନ ଜଳଛତ୍ର ବ୍ୟବସ୍ଥା କରିଥିଲେ। ସେହିଭଳି ଶଙ୍କର ମଲ୍ଲ ଗ୍ରୁପ୍‌ ପକ୍ଷରୁ ୫ ହଜାର ଲୋକଙ୍କୁ ଦହିବରା, ପୁରୀ ତରକାରୀ ବଣ୍ଟନ କରାଯାଇଥିଲା। ଗୋ‌ସାଗ‌ରେଶ୍ବର ଯୁବକମାନଙ୍କ ଦ୍ବାରା ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।

ଏକାଠି ରଥ ଟାଣିଲେ ସୁର ଓ ଅଶୋକ

ରଥ ଟଣା ବେଳେ ଏକାଠି ହୋଇ ବିଜେଡି ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ରଥ ଦଉଡ଼ି ଧରିଥିଲେ। ସେମାନଙ୍କ ସହ ବିଜେଡି, ବିଜେପି, କଂଗ୍ରେସର କର୍ମୀମାନେ ମଧ୍ୟ ଏକାଠି ହୋଇ ରଥ ଟାଣିଥିଲେ। ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଶପଥ ନେବା ପରେ ମେୟର ସୁଲୋଚନା ଦାସ ଓ ଅନ୍ୟ କର୍ପୋରେଟର୍‌ମାନେ ଏକାଠି ଆସି ରଥ ଉପରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ।

ମନ୍ଦିରରେ ଉଡ଼ିଲା ୧୦୮ ହାତିଆ ବାନା

ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାରେ ୧୦୮ ହାତ ଲମ୍ବର ଏକ ବିଶାଳ ବାନା ସ୍ଥାପନ କରାଯାଇଥିଲା। ଦକ୍ଷିଣା ପବନରେ ଏହି ବିଶାଳ ବାନା ବାନା ଉଡ଼ିବା ଆଜି ଖୁବ୍‌ ଆକର୍ଷଣୀୟ ଦେଖାଯାଉଥିଲା।

ରାସ୍ତାରେ ଢଳା ହେଲା ପାଣି

ଅସହ୍ୟ ଟାଣ ଖରା ଯୋଗୁଁ ଠାକୁରଙ୍କ ପହଣ୍ଡି ବେଳେ ଲିଙ୍ଗରାଜ ମନ୍ଦିର ପରିସର, ମନ୍ଦିରରୁ ରଥ ପର୍ଯ୍ୟନ୍ତ ଓ ରଥଖଳାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ରାସ୍ତାରେ ପାଣି ସିଞ୍ଚନ କରାଯାଇଥିଲା। ମନ୍ଦିର ଭିତରେ ସେଚ୍ଛାସେବୀ ଓ ଏଏସ୍ଆଇ ପକ୍ଷରୁ ପାଣି ପକାଯାଇଥିବା ବେଳେ ମନ୍ଦିର ବାହାରେ ବିଏମ୍‌ସି ପକ୍ଷରୁ ପାଣି ପକାଯାଇଥିଲା।

ଭାବ ଗଦ୍‌ଗଦ୍ ଭକ୍ତ

ମହାମାରୀ କରୋନା କଟକଣା ପାଇଁ ୨୦୨୦ ମସିହାରେ ଏହି ପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇଥିଲା। ଗତବର୍ଷ କେବଳ ସେବାୟତ ଓ ପୁଲିସ ଉପସ୍ଥିତିରେ ରଥଟଣା ହୋଇଥିଲା। ତେଣୁ ଦୁଇ ବର୍ଷ ହେଲା ଏହି ଯାତ୍ରା ଭକ୍ତଶୂନ୍ୟ ଭାବେ ସମାହିତ ହୋଇଥିଲା। ଚଳିତ ବର୍ଷ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମଳିଥିଲା। ଆଜି ଲକ୍ଷାଧିକ ଭକ୍ତ ଯାତ୍ରାକୁ ଆସିଥିଲେ। ସନ୍ଧ୍ୟା ପରେ ରଥ ଅଟକିଯିବା ପରେ ରଥ ନିକଟରେ ଶ୍ରଦ୍ଧାଳୁମାନେ ଦୀପ ଜାଳିଥିଲେ। ରଥକୁ ଛୁଇଁ ମୁଣ୍ଡିଆ ମାରିଥିଲେ।

ମନ୍ଦିର ସମ୍ମୁଖରେ ଅର୍ଦ୍ଧନାରୀଶ୍ୱର ରଙ୍ଗୋଲି

ପୁରୁଣା ଭୁବନେଶ୍ବରର କିଛି କଲେଜ ପିଲା ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ୨୩ ଫୁଟ୍‌ ଲମ୍ବ ଓ ୧୫ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ବିଶାଳ ରଙ୍ଗୋଲି ତିଆରି କରିଥିଲେ। ଏହି ରଙ୍ଗୋଲି ମାଧ୍ୟମରେ ସେମାନେ ଅର୍ଦ୍ଧ ନାରୀଶ୍ବରଙ୍କ ନଟରାଜ ଅବତାରକୁ ଆଙ୍କିଥିଲେ। ଏହା ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କୁ ବେଶ୍ ଆକର୍ଷିତ କରିଥିଲା।

ରଥ ପାଖରେ ପ୍ରବଚନ

ଜିଲ୍ଲା ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହାଖଳା ମଣ୍ଡପରେ ବିଭିନ୍ନ ସୂଚନା ଦିଆଯିବା ସହ ରଥଯାତ୍ରା ସଂପର୍କିତ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ଏଥିସହିତ ରଥ ପାଖରେ ମଧ୍ୟାହ୍ନ ସାଢ଼େ ୧୨ଟାରୁ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକସମ୍ପର୍କ ବିଭାଗୀୟ ଅଧିକାରୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିନନ୍ଦନ ଦାସ, ବୈକୁଣ୍ଠ ପ୍ରଧାନ, ପ୍ରସନଜିତ୍‌ ସିଂ, ଡ. ଅଂଶୁମାନ କର, ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ପ୍ରବଚନ ଦେଇଥିଲେ।

ସମ୍ବନ୍ଧିତ ଖବର