ଜବରଦଖଲରେ ଶ୍ରୀଲିଙ୍ଗରାଜଙ୍କ ୧୨ଶହ ଏକର ଜମି

ହୋଇପାରୁନି ପୁନରୁଦ୍ଧାର, ମାତ୍ର ୧୦ ଭାଗକୁ ଜଗିଛି ପ୍ରଶାସନ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୧୨ଶହ ଏକରରୁ ଊର୍ଧ୍ବ ସମ୍ପତ୍ତି ଜବରଦଖଲରେ ରହିଛି। କୋଟି କୋଟି ଟଙ୍କାର ଏହି ସମ୍ପତ୍ତିକୁ ଉଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେଇ ପାରୁନାହାନ୍ତି। ରାଜ୍ୟ ଦେବୋତ୍ତର କାର୍ଯ୍ୟାଳୟରୁ ୨କିଲୋମିଟର ଓ ମନ୍ଦିର ପ୍ରଶାସନର ୨ଶହ ମିଟର ଦୂରରେ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତି ଉପରେ ମାର୍କେଟ୍‌ ନିର୍ମାଣ କରି ବହୁ ଜବରଦଖଲକାରୀ ଏହାକୁ ମାଡ଼ି ବସିଛନ୍ତି। ହେଲେ ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଜବରଖଲକାରୀ ଠାକୁରଙ୍କ ସମ୍ପତ୍ତିକୁ ଦଖଲ କରିବାରେ ଲାଗି ପଡ଼ିଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରହିଛି ୧୫ଶହ ୨୩ଏକର ୮୭୯ ଡେସିମିଲ ଜମି। ଖୋର୍ଧା ସମେତ ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, କେନ୍ଦୁଝର, ବାଲେଶ୍ବର ଜିଲ୍ଲାରେ ରହିଛି। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶରେ ରହିଛି ୬ଶହ ଡେସିମିଲ ଜମି। ସମୁଦାୟ ୨ଶହ ମୌଜାରେ ରହିଛି ଠାକୁରଙ୍କ ସମ୍ପତ୍ତି। ଏଥିମଧ୍ୟରୁ ପ୍ରଶାସନ ଦଖଲରେ ଅଛି ୨ଶହ ୨୫ ଏକର ୭ଶହ ୯୩ ଡେସିମିଲ ଜମି। ପୁରୀ, କଟକ ଓ ଖୋର୍ଧା ଜିଲ୍ଲାରେ ରହିଛି ଏହି ଜମି। ସେଥିମଧ୍ୟରୁ ଭୁବନେଶ୍ବର ମୌଜାରେ ୧୨୦ ଏକର ୬୨୨ ଡେସମିଲ ଜମି ଥିବା ବେଳେ ଜଟଣୀ ମୌଜାରେ ୨୪ଏକର ୨୦୮ ଡେସିମିଲ ରହିଛି। ସେହିପରି ଡେଲାଙ୍ଗ ମୌଜାରେ ୩୨ ଏକର ୯୫୦ ଡେସିମିଲ, କଟକ ଜିଲ୍ଲାରେ ୨୮ ଏକର ୯୪୬ ଡେସିମିଲ, ଗଞ୍ଜାମରେ ୧୯ଏକର ୬୭ ଡେସିମିଲ ଜମି ରହିଛି। ଠାକୁରଙ୍କ ବିଭିନ୍ନ ଜମି ଚାଷ ହୋଉଥିବା ବେଳେ ଖୋର୍ଧା ଜିଲ୍ଲାର ଓଗରସୁଆଁ ମୌଜା, ପୁରୀ ଜିଲ୍ଲାର ଅମାଳଙ୍ଗ ମୌଜା ଓ ଦକ୍ଷିଣ ନୂଆଗାଁରୁ ଧାନ ଅମଳ ହୋଇ ବିକ୍ରି କରାଯାଏ।

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରହିଛି ୬୯ଏକର ୪୨୩ ଡେସିମିଲ ଜମି। ସେଥିରୁ ୩୪ଏକର ୯୫୯ ଡେସିମିଲ ଜମି ଦଖଲ ହୋଇପାରି ନାହିଁ। ଏହି ଜମିରେ ମକଦ୍ଦମା ଫଇସଲା ହୋଇଥିଲେ ମଧ୍ୟ ପ୍ରଶାସନ ଏହାକୁ ନିଜ ଆୟତ୍ତକୁ ଆଣିବା‌ରେ ଫେଲ୍‌ ମାରିଛି। ୨୦୧୮ମସିହା ଜୁଲାଇରେ ଭୁବନେଶ୍ୱର ତହସିଲ ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ଏଥିପାଇଁ ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ କରିଥିଲେ। ସେତେବେଳେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କ ନେତୃତ୍ୱରେ ପ୍ରଥମେ ୫ଟି ମୌଜାରେ ତଦନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶ୍ରୀଲିଙ୍ଗରାଜଙ୍କ ଭୋଗ ଦଖଲରେ ଥିବା ଜମି କେଉଁମାନେ ଦଖଲରେ ରଖିଛନ୍ତି। କେଉଁ ମୌଜାରେ କେତେ ଜମି ରହିଛି, କେତେ ଜବରଦଖଲ ଅଛି, କେତେ ଜମି ପ୍ରଭାବଶାଳୀ ଲୋକଙ୍କ ଦଖଲରେ ରହିଛି, ଆଉ କେତେ ଜମି ଏବେ ଖାଲି ପଡ଼ିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ତହସିଲ ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ଏହି ପକ୍ରିୟାରେ ମନ୍ଦିର ପ୍ରଶାସନର ଆର୍‌ଆଇ, ଅମିନ, ଭୁବନେଶ୍ୱର ଅଧୀନ ବିଭିନ୍ନ ମୌଜାର ଆର୍‌ଆଇ, ଅମିନ ଓ କର୍ମଚାରୀମାନେ ଏହି କାମରେ ଲାଗି ପଡ଼ିଥିଲେ। ପ୍ରଥମ ଦଫାରେ ଭୁବନେଶ୍ୱର ମୌଜା, କପିଳପ୍ରସାଦ ମୌଜା, ରାଜାରାଣୀ ମୌଜା, ଗୌତମନଗର ମୌଜା ଓ ଭୀମପୁର ମୌଜାରେ ଥିବା ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଜମି ଚିହ୍ନଟ ହୋଇ ଏକ ତାଲିକା ପ୍ରସ୍ତୁତ କରାଯାଇ ବୋର୍ଡ ଅଫ୍‍ ରେଭିନ୍ୟୁକୁ ପଠାଯିବ ବୋଲି ମନ୍ଦିର ପଶାସନ ପକ୍ଷରୁ କୁହାଯାଇଥିଲା। ଏହା ଏବେ ଶୀତଳ ଭଣ୍ଡାରରେ ରହିଛି।

ରାଜଧାନୀର ମାତ୍ର ୧୬ଟି ସ୍ଥାନରେ ମନ୍ଦିର ପ୍ରଶାସନ ନିଜର ବୋର୍ଡ ଲାଗାଇଛି। ସେହିପରି ମନ୍ଦିର ପ୍ରଶାସନ ଅଧୀନ କିଛି ଖାଲି ସ୍ଥାନକୁ ଭଡ଼ା ମଧ୍ୟ ଦିଆଯାଇଛି। ଏହି ଭଡ଼ା ମାସକୁ ୫ହଜାର ଟଙ୍କାରୁ କମ୍‌। ଠାକୁରଙ୍କ ସମ୍ପତ୍ତିକୁ ଭଡ଼ା ସୂତ୍ରରେ ଦିଆଯିବ ବୋଲି ଗତ ବର୍ଷ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯାଇଥିଲା। ଖାଲି ଜମିକୁ ବାର୍ଷିକ ଚୁକ୍ତି ଅନୁଯାୟୀ ଭଡ଼ା ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି ବୋଲି କୁହାଯାଇଥିଲା। ହେଲେ ଏହି କାର୍ଯ୍ୟ ମଧ୍ୟ ଶୀତଳ ଭଣ୍ଡାରରେ ରହିଛି।

ବରିଷ୍ଠ ଆଇନଜୀବୀ ଲିଙ୍ଗରାଜ ଦାଶଙ୍କ କହିବାନୁଯାୟୀ, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଚଳାଚଳ ସମ୍ପତ୍ତି ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ଜମି ମହାପ୍ରଭୁଙ୍କ ଅଧୀନକୁ ଆସି ପାରୁନାହିଁ। ବହୁ ପ୍ରତିଷ୍ଠିତ ବ୍ୟକ୍ତି ମହାପ୍ରଭୁଙ୍କ ଜମି ଜବରଦଖଲ କରିବା ଅଭିଯୋଗ ରହିଥିଲେ ମଧ୍ୟ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଇ ପାରୁନାହିଁ। ଏଥିପାଇଁ କଡ଼ା ଆଇନ କରାଯିବା ସହ ଠିକଣା ଭାବେ ଆଇନକୁ କାର୍ଯ୍ୟକାରୀ କରାଗଲେ ଜମିଗୁଡ଼ିକ ପୁନରୁଦ୍ଧାର ହୋଇପାରିବ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ବହୁ ଜମି ରହିଛି। ଏହାର ପୁନରୁଦ୍ଧାର ହୋଇ ପାରୁନାହିଁ। ମାମଲା ଥିବାରୁ ମଧ୍ୟ କିଛି ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏନେଇ ଦେବୋତ୍ତର ବିଭାଗକୁ ଜଣାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର