ଆରମ୍ଭ ହେଲା ଅଜିତ ନାଟ୍ୟ ମହୋତ୍ସବ: ଲୋ ରେବି..ଲୋ ନିଆଁ..

ଭୁବନେଶ୍ବର: ଲୋ ରେବି… ଲୋ ନିଆଁ…ଲୋ ଚୁଲି…ଲୋ ପାଉଁଶ…। ଫକୀର ମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପର ଏ ଡାକ ହୁଏତ ଆଜି ଶୁଣିବାକୁ ମିଳେନି। ‌ତେବେ ଆଜି ବି କ’ଣ ସେଇଭଳି ରେବତୀମାନେ ନିଜ ପଢ଼ିବାର ଆକାଂକ୍ଷାକୁ ସାକାର କରିପାରିଛନ୍ତି? ସମାଜ କ’ଣ ନାରୀଶିକ୍ଷାକୁ ଶତପ୍ରତିଶତ ସ୍ବୀକୃତି ଦେଇଛି? ସରକାର ଏବେ ହୁଏତ, ବେଟି ପଢ଼ାଓ…ର ନାରା ଦେଉଛନ୍ତି, କିନ୍ତୁ ଆଜକୁ ଶହେ ବର୍ଷେ ତଳେ ଗଳ୍ପରେ ନାରୀଶିକ୍ଷା ପ୍ରତି ହିନମନ୍ୟତାର ବ୍ୟାଧିକୁ ଦୂର କରିବାକୁ ବାଟ ଖୋଜିଥିଲା ‘ରେବତୀ’। ଆଉ ଆଜି ବି ଏଇ ପ୍ରଶ୍ନର ଉତ୍ତର ଖୋଜିଥିଲା ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ ‘ରେବତୀ’। ନାଟ୍ୟାନୁଷ୍ଠାନ ‘ଅଜିତ’ ପକ୍ଷରୁ ଆୟୋଜିତ ୭ମ ଅଜିତ୍‌ ନାଟ୍ୟ ମହୋତ୍ସବ ଅବସରରେ ମଂଚସ୍ଥ ହୋଇଥିଲା ବ୍ୟାସକବିଙ୍କ ସେଇ କାଳଜୟୀ ଗଳ୍ପର ନାଟ୍ୟ ରୂପାନ୍ତର। ବିଶ୍ବଜିତ ଦାସ ଏହି ଗଳ୍ପକୁ ନାଟ୍ୟରୂପ ଦେଇଥିବା ବେଳେ ତାହା ଥିଲା ତାଙ୍କର ଶେଷ ଲିଖିତ ନାଟକ। ତେଣୁ ଆଜିର ନାଟକକୁ ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ନାଟକର ନିର୍ଦେଶନା ଦେଇଥିଲେ ବିଶିଷ୍ଟ ଅଭିନେତା ତଥା ନାଟ୍ୟ ନିର୍ଦେଶକ ଅଜିତ ଦାସ। ଅଜିତ ନାଟ୍ୟଦଳର କଳାକାର ପ୍ରଣତି, ପୂଜା, ଲିଜା, କିଶୋର ଖଣ୍ଡୁଆଳ, ଅଖିଳ, ଅଶେଷ, ଶୁଭ୍ରାଂଶୁ, ପୃଥ୍ବୀରାଜ, ଚିନ୍ମୟ, ସିଦ୍ଧାର୍ଥ, ଉମା, ଚନ୍ଦନ, ପ୍ରଣୟ, ହିମାଂଶୁ, ଦୀପକ, ବିଜୟ ଓ ସମିର ପ୍ରମୁଖ ଅଭିନୟ କରିଥିଲେ। ସଂଗୀତ ନିର୍ଦେଶନା ଦେଇଥିଲେ ତାପସ ଦାସ। ପ୍ରଦୀପ ତ୍ରିପାଠୀ ଆଲୋକ ପରିଚାଳନା ଏବଂ ସାଗର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଓଡ଼ିଆ ଭା‌ଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅଜିତ ଦାସ ସ୍ବାଗତ ଭାଷଣ ଦେଇ ଆଭିମୁଖ୍ୟ ବାବଦରେ କହିଥିଲେ। ଇଂ ଶ୍ରୀନିବାସ ଘଟୁଆରୀ ପ୍ରାରମ୍ଭିକ ସଭାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର