ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ‘କୁଟି ଖାଅ…କାଟି ପିନ୍ଧ…’କୁ ଯଦି ଆମେ ଅନୁସରଣ କରିପାରିବା, ତାହା ହିଁ ତାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଓଡ଼ିଶାର ପ୍ରତି ପ୍ରାନ୍ତ ନିଜ ନିଜ ହସ୍ତଶିଳ୍ପ ଓ କାରିଗରୀରେ ସିଦ୍ଧହସ୍ତ। ଏଣୁ ଏହାକୁ ଗୁରୁତ୍ବ ଦେବାର ସମୟ ଆସିଛି। ଗାନ୍ଧୀଜୀଙ୍କ ସ୍ବଦେଶୀ ସାମଗ୍ରୀ ବ୍ୟବହାର ଡାକରାକୁ ସଫଳ କରିପାରିଲେ ଏ ରାଜ୍ୟ ଓ ଦେଶ ଉନ୍ନତି କରିପାରିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
Sambad is now on WhatsApp
Join and get latest news updates delivered to you via WhatsApp
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ‘ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ପକ୍ଷରୁ ଜାତୀୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଆଜି ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ ମନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ସ୍ବଦେଶ ସାମଗ୍ରୀର ପ୍ରଚାରପ୍ରସାରରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଏଥିସହ ଖୁବ୍ ଶୀଘ୍ର ଖଣ୍ଡଗିରିଠାରେ ନିର୍ମାଣାଧୀନ ‘ଶାଶ୍ବତ ଗାନ୍ଧୀ ଶାନ୍ତି କେନ୍ଦ୍ର’ ଖୋଲିବ। ଏହି ସଂଗ୍ରହାଳୟରେ ଗାନ୍ଧୀଜୀଙ୍କ ସହ ଖାରବେଳଙ୍କ ମଧ୍ୟ ଏକ ସ୍ବତନ୍ତ୍ର ଗ୍ୟାଲେରି ରହିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ, ଗାଁ ଗହଳିର ଗରିବ ବୁଣାକାର ଓ ହିତାଧିକାରୀମାନଙ୍କର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ଦିଗରେ ଖଦି ବୋର୍ଡର ଏହି ଉଦ୍ୟମ ନିଶ୍ଚୟ ଅଧିକ ସହାୟକ ହେବ। ‘ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର’। ଖଦିକୁ ସ୍ୱରାଜ ଆନ୍ଦୋଳନର ପ୍ରମୁଖ ଆୟୁଧ ଭାବରେ ବ୍ୟବହାର କରି ଗାନ୍ଧୀଜୀ ବିଦେଶୀ ବସ୍ତ୍ର ବର୍ଜନ କରିବା ପାଇଁ ଆହ୍ୱାନ ଦେବା ସହ ଖଦିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ‘ଖଦି ବଜାର’ ନାମରେ ନାମିତ ଏହି ମେଳା ଖଦିର ପ୍ରଚାର କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଦିଗରେ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ। ଖଦି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଉଦ୍ଘାଟନୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଏହି ପ୍ରଦର୍ଶନୀରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟର ପ୍ରତିନିଧିମାନେ ନିଜ ନିଜର ସାମଗ୍ରୀ ସହ ଅଂଶଗ୍ରହଣ କରିଛନ୍ତି। ମେଳାରେ ଗାଁ ଗହଳିର ଓଡ଼ିଆ ପାରମ୍ପରିକ ଖାଦ୍ୟ ଷ୍ଟଲ ବି ଖୋଲାଯାଇଛି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ବୋର୍ଡର ସଚିବ ସରୋଜ ପଟେଲ ଧନ୍ୟବାଦ ଦେଇଥିଲେ। ବୋର୍ଡର ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାଶ ଉପସ୍ଥିତ ଥିଲେ।