ଭୁବନେଶ୍ୱର: ଭାରତ ସମେତ ଅନେକ ଦେଶରେ ଗ୍ୟାଷ୍ଟ୍ରିକଜନିତ ସମସ୍ୟା ବଢ଼ିବାରେ ଲାଗିଛି। ଉତ୍ତମ ଖାଦ୍ୟ, ପାଣି, ପରିମଳ ଓ ଅନ୍ୟାନ୍ୟ ସଚେତନତା ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଦୂର କରିପାରିବ। ଶିଶୁ ଅବସ୍ଥାରୁ ସଚେତନ ହୋଇପାରିଲେ ରୋଗ ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆନ୍ ସୋସାଇଟି ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋଲୋଜିଜିଷ୍ଟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞ ଅତ୍ୟାଧୁନିକ ଏଣ୍ଡୋସ୍କୋପି ପଦ୍ଧତି ଅବଲମ୍ବନ କରୁଛନ୍ତି। ଯକୃତ ପ୍ରତିରୋପଣ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି, ଯନ୍ତ୍ରପାତି ଓ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ଯୋଜନା ହୋଇଛି। ସାଧାରଣ ଭାବେ ଲୋକମାନେ ପ୍ରଭାବିତ ହେଉଥିବା ଜିଆଇ ଏଲିମେଣ୍ଟ ସଂପର୍କରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା କର୍ମକର୍ତା ଏହା ଉପରେ ଗୁରୁତ୍ୱ ଦିଅନ୍ତୁ। ଆଧୁନିକ ଚିକିତ୍ସା ପଦ୍ଧତି ଓ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ ସହାୟକ ହୋଇପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ସୁପର ସ୍ପେଶାଲିଷ୍ଟ ଚିକିତ୍ସା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ୯ଟି ନୂତନ ମେଡିକାଲ କଲେଜ ନିର୍ମାଣ କରାଯିବ। ନିକଟରେ କୋରାପୁଟ ଓ ବାରିପଦାସ୍ଥିତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଚଳିତବର୍ଷ ୪୫୩ ସ୍ପେଶାଲିଷ୍ଟ ଓ ୪୪ ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସମ୍ମିଳନୀରେ ଇଣ୍ଡିଆନ୍ ସୋସାଇଟି ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋଲୋଜିଜିଷ୍ଟର କର୍ମକର୍ତା ଓ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଛନ୍ତି।