ନୃତ୍ୟଗୀତରେ କମ୍ପିଲା ରଥ ଦାଣ୍ଡ

ଲିଙ୍ଗରାଜ ମହୋତ୍ସବ ଉଦ୍‌ଘାଟିତ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ରଥ ଦାଣ୍ଡରେ ଆରମ୍ଭ ହୋଇଛି ୬ଦିନିଆ ଲିଙ୍ଗରାଜ ମହୋତ୍ସବ। ଆଜିର ଉଦ୍‌ଘାଟନୀ ଉତ୍ସବରେ ପ୍ରଥମେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ କୋଲକାତାର ବିକାଶ ନାଟ୍ୟ ମଣ୍ଡଳୀ ପକ୍ଷରୁ କ୍ରିଏଟିଭ୍‌ ନୃତ୍ୟରେ ମନ୍ଦିର ଖୁବ୍‌ ଚିତ୍ତାକର୍ଷକ ହୋଇଥିଲା। ଏହାପରେ ହରିପଦ ମହନ୍ତଙ୍କ ଦ୍ଵାରା ଛଉ ନୃତ୍ୟ, ବଲାଙ୍ଗୀର କଳାପରିଷଦ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଢୋଲ ମହୁରି ଓ ଦୁଲ୍‌ଦୁଲି ବାଦ୍ୟ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ଇଜେଡ୍‌ସିସି ପକ୍ଷରୁ ପୁରୁଲିଆ ଛଉନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା। ଏହାକୁ ବାସୁଦେବ ନାଥ ସଂଯୋଜନା କରିଥିଲେ। ଏମିତି ଭାବେ ବିଳମ୍ବିତ ରାତି ଯାଏ ନୃତ୍ୟଗୀତରେ କମ୍ପିଥିଲା ରଥ ଦାଣ୍ଡ। ଏହି ଅବସରରେ ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ର ଓ ସଭ୍ୟମାନେ ଉପସ୍ଥିତ ଥିଲେ।

ଆରମ୍ଭ ହେଲା ରାମେଶ୍ୱର ମହୋତ୍ସବ
ପୁରୁଣା ଭୁବନେଶ୍ୱର: ରାମେଶ୍ୱର ମନ୍ଦିର ନିକଟ ରାମେଶ୍ୱର କ୍ଲବ୍‌ ପକ୍ଷରୁ ୫ଦିନିଆ ରାମେଶ୍ୱର ମହୋତ୍ସବ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦଶ ଅବତାର ନାଟ୍ୟ ଶାଳା ପକ୍ଷରୁ ମମତା ଶତପଥୀଙ୍କ ଓ ତାଙ୍କ ଦଳଙ୍କ ଦ୍ଵାରା ଓଡ଼ିଶୀ, ନକ୍ଷତ୍ର ଗୁରୁକୁଳର ବିଜୟ ସାହୁ ଓ ତାଙ୍କ ସାଥୀଙ୍କ ଦ୍ଵାରା ଗୋଟିପୁଅ ନୃତ୍ୟ, ପରେ ବରପାଲ୍ଲୀ ନୁପୁର କ୍ଲବ ପରମାନନ୍ଦ ସ୍ୱାଇଁ ତାଙ୍କ ଦଳ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅତିଥି ଭାବେ ବିଏମ୍‌ସି ଡେପୁଟି ମେୟର କେ. ଶାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଅକ୍ଷୟ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ରମେଶ ବାରିକ, ସଞ୍ଜୟ ମହାପାତ୍ର, ଗଦାଧର ଦାସ ଓ ବହୁ ସଭ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର